ରାଜସ୍ଥାନରେ ବେକାରଙ୍କୁ ମିଳିବ ୩୫୦୦ ଟଙ୍କାର ମାସିକ ଭତ୍ତା

ଜୟପୁର:  ବେକାର ସମସ୍ୟା ନେଇ ରାଜନୀତି ସରଗରମ ଥିବାବେଳେ ରାଜସ୍ଥାନ ସରକାର କରିଛନ୍ତି ବଡ଼ ଘୋଷଣା । ରାଜସ୍ଥାନରେ କଂଗ୍ରେସ ସରକାର ବେରୋଜଗାର ଯୁବକଯୁବତୀଙ୍କ ପାଇଁ ମାସିକ  ୩୫୦୦ ଟଙ୍କାର ଭତ୍ତା ଘୋଷଣା କରିଛନ୍ତି । ଆସନ୍ତା ମାର୍ଚ୍ଚ ୧ ତାରିଖରୁ ଏହି ଟଙ୍କା ବେକାର ଯୁବକ ଯୁବତୀଙ୍କ ବ୍ୟାଙ୍କ ଖାତାକୁ ଯିବ । ଆଗମୀ ୨ ବର୍ଷ ପାଇଁ ବେରାଜଗାର ଯୁବକ ଯୁବତୀଙ୍କୁ ଏହି ରାଶି ପ୍ରଦାନ କରିବେ ରାଜସ୍ଥାନ ସରକାର ।

ମୁଖ୍ୟତଃ ଗ୍ରାଜୁଏସନ କରିଥିବା ଯୁବକଯୁବତୀ, ଯେଉଁମାନେ କୌଣସି ବି କମ୍ପାନୀରେ ଚାକିରି ପାଇ ନାହାଁନ୍ତି ସେମାନଙ୍କୁ ଏହି ଆର୍ଥିକ ସହାୟତା ମିଳିବ । ତେବେ ଗୋଟିଏ ପରିବାରରୁ ସର୍ବାଧିକ ୨ଜଣ ବେକାର ଯୁବକଯୁବତୀ ଏ ନେଇ ଆବେଦନ କରିପାରିବେ । ତେବେ ଯଦି କୌଣସି ଯୁବକଯୁବତୀ ସରକାରଙ୍କ ଅନ୍ୟ କୌଣସି ଯୋଜନାରେ କୌଣସି ବୃତ୍ତି ରାଶି ବା ଆର୍ଥିକ ସହାୟତା ପାଉଛନ୍ତି ସେମାନଙ୍କୁ ଏହି ଅର୍ଥ ମିଳିବ ନାହିଁ। ଏହା ସହ ଆବେଦନକାରୀ ରାଜସ୍ଥାନର ମୂଳ ବାସିନ୍ଦା ହୋଇଥିବା ଦରକାର ।

ରାଜସ୍ଥାନ ନିର୍ବାଚନ ଜିତିବା ପରେ ବେକାର ଯୁବକଯୁବତୀଙ୍କୁ ମାସିକ ୩୫୦୦ଟଙ୍କାର ଆର୍ଥିକ ପ୍ରୋତ୍ସାହନ ନେଇ କଂଗ୍ରେସ ଘୋଷଣା କରିଥିଲା । ଆଉ ବର୍ତମାନ ଯେତେବେଳେ ସର୍ବନିମ୍ନ ଆୟ ନେଇ ସାରା ଦେଶରେଚର୍ଚ୍ଚା ଚାଲିଛି,ଠିକ ସେତିକି ବେଳେ ନିର୍ବାଚନୀ ବର୍ଷରେ ରାଜସ୍ଥାନରେ କଂଗ୍ରେସ ସରକାର ଏକ ବଡ ଘୋଷଣା କରିଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଏ ନେଇ ଘୋଷଣା କରିଥିବା ବେଳେ ଯୋଜନାରେ ନାଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବେରୋଜଗାର ଭତ୍ତା ୨୦୧୯ ରଖାଯାଇଛି । ଯେଉଁଥିରେ ଆଗାମୀ ୨ ବର୍ଷ ଧରି ବେକାର ଯୁବକ ଯୁବତୀଙ୍କୁ ମାସିକ ୩୫୦୦ ଟଙ୍କା ହିସାବରେ ମୋଟ ୮୪ ହଜାର କୋଟି ଟଙ୍କା ପ୍ରଦାନ କରିବେ ରାଜସ୍ଥାନ ସରକାର ।

ସମ୍ବନ୍ଧିତ ଖବର