ରାଜସ୍ଥାନରେ ମହିଳାଙ୍କୁ ମିଳିବ ସନ୍ତାନ ଯତ୍ନ ପାଇଁ ୭୩୦ ଦିନ ଛୁଟି

ନୂଆଦିଲ୍ଳୀ : ରାଜସ୍ଥାନର ବସୁନ୍ଧରା ରାଜେ ସରକାର ମହିଳାଙ୍କ ପାଇଁ ଆଣିଛନ୍ତି ଖୁସି ଖବର । ଏ ନେଇ ମହିଳା କର୍ମଚାରୀଙ୍କୁ ୨ ବର୍ଷ ଅର୍ଥାତ୍‌ ୭୩୦ ଦିନର ସନ୍ତାନ ଯତ୍ନ ପାଇଁ ଛୁଟି ମିଳିବା ନିୟମକୁ ମଞ୍ଜୁରୀ ମିଳିଛି। ଏହି ବିଷୟରେ ଅର୍ଥ ବିଭାଗ ପକ୍ଷରୁ ମଙ୍ଗଳବାର ସୂଚନା ଜାରି କରାଯିବା ସହ ଏହି ଆଦେଶକୁ ମଞ୍ଜୁର କରାଯାଇ ଚାଇଲ୍ଡ କେୟାର ଲିଭ୍‌ (ସିସିଏଲ)କୁ ଲାଗୁ କରାଯାଇଛି।

news18

କ୍ୟାବିନେଟରୁ ମଞ୍ଜୁରୀ ପ୍ରାପ୍ତି ପରେ ଅର୍ଥ ବିଭାଗ ରାଜ୍ୟପାଳଙ୍କ ନିକଟକୁ ଏହାର ଅନୁମୋଦନ ଲାଗି ପଠାଇଥିଲା। ସରକାର ସିସିଏଲ ପାଇଁ ଷଷ୍ଠ ବେତନ ଆୟୋଗର ସୁପାରିସକୁ ଆଧାର କରି ମହିଳାଙ୍କୁ ସନ୍ତାନ ଜନ୍ମ ଓ ପରବର୍ତ୍ତୀ ଯତ୍ନ ଲାଗି ୭୩୦ ଦିନ ପର୍ଯ୍ୟନ୍ତ ଛୁଟି ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଯେଉଁ ମହିଳା କର୍ମଚାରୀଙ୍କ ସନ୍ତାନର ବୟସ ୧୮ ବର୍ଷରୁ ଅଧିକ ସେମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ ।
ଏହା ପୂର୍ବରୁ କେନ୍ଦ୍ର ସରକାର ମହିଳାଙ୍କୁ ଷଷ୍ଠ ବେତନ କମିସନ ସୁପାରିସ ଅନୁଯାୟୀ ସିସିଏଲ ଛୁଟି ନେବା ପାଇଁ ସ୍ୱୀକୃତି ଦେଇଥିଲେ । ଏହା ଦ୍ୱାରା ରାଜସ୍ଥାନ ସରକାର ମଧ୍ୟ ସିସିଏଲ୍‌ ଛୁଟିକୁ ମହିଳାଙ୍କ ପାଇଁ ଲାଗୁ କରିବା ସହ ଏହାର ସମୟସୀମାକୁ ବୃଦ୍ଧି କରି ଦୁଇ ବର୍ଷ କରିଛନ୍ତି।

ସମ୍ବନ୍ଧିତ ଖବର