ନୂଆ ନିୟମ ଲାଗୁ ହେବା ପରେ ପ୍ରଥମ : ରାଜସ୍ଥାନ ଟ୍ରକ୍‌ ଚାଳକଙ୍କ କଟିଲା ସର୍ବାଧିକ ଚାଲାଣ, ଟ୍ରକ୍‌ରେ ନେଉଥିଲେ ଦରକାରଠାରୁ ଅଧିକ ଜିନିଷ

ନୂଆଦିଲ୍ଲୀ : ସେପ୍ଟେମ୍ବର ୧ରେ ଲାଗୁ ହୋଇଥିଲା ନୂଆ ମୋଟରଯାନ ଆଇନ । ଏହି ଆଇନ ଲାଗୁ ହେବା ପରେ ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଲାଗୁଥିବା ଜରିମାନାକୁ ବଢ଼ାଇ ଦିଆଯାଇଥିଲା । ଯାହା ପରେ ଦେଶର ବିଭିନ୍ନ ନିୟମ ଉଲ୍ଲଂଘନକାରୀଙ୍କଠାରୁ ଟ୍ରାଫିକ ପୁଲିସ ଲକ୍ଷ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଥିଲା । କିନ୍ତୁ ଏବେ ରାଜସ୍ଥାନର ଜଣେ ଟ୍ରକ୍‌ ଚାଳକଙ୍କୁ ସବୁଠାରୁ ଅଧିକ ଜରିମାନା ଦେବାକୁ ପଡ଼ିଥିବା ଜଣା ପଡ଼ିଛି । ଟ୍ରକ୍‌ରେ ଦରକାରଠାରୁ ଅଧିକ ଜିନିଷ ଲଦି ଯାଉଥିବାରୁ ଦିଲ୍ଲୀର ଟ୍ରାଫିକ ପୁଲିସ ତାଙ୍କର ୧.୪୧ଲକ୍ଷ ଟଙ୍କାର ଚାଲାଣ କାଟିଥିଲା ବୋଲି ସୂଚନା ମିଳିଛି । ସେପ୍ଟେମ୍ବର ୫ରେ ଏହି ଚାଲାଣ କଟା ଯାଇଥିବା ବେଳେ ସେପ୍ଟେମ୍ବର ୯ରେ ରୋହିଣୀ ଅଦାଲତରେ ଜରିମାନା ଟଙ୍କା ଦେଇଥିଲେ ଟ୍ରକ୍‌ ମାଲିକ । ତେବେ ଏତେ ଟଙ୍କାର ଜରିମାନା ଦେବାରେ ପ୍ରଥମ ଟ୍ରକ୍‌ ମାଲିକ ବନିଛନ୍ତି ଭଗବାନ ରାମ୍‌ ।

ସୂଚନା ମୁତାବକ, କିଛି ଦିନ ତଳେ ଓଡ଼ିଶାର ଜଣେ ଟ୍ରକ୍‌ ଚାଳକଙ୍କର ୮୬,୫୦୦ଟଙ୍କା ଚାଲାଣ କଟିଥିଲା । ଟ୍ରାଫିକର ବିଭିନ୍ନ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କର ଚାଲାଣ କଟିଥିଲା । ତାଙ୍କ ପରେ ଏବେ ଭଗବାନ ରାମଙ୍କର ୧.୪୧ଲକ୍ଷ ଟଙ୍କାର ଚାଲାଣ କଟିଛି । ଯାହା ନୂଆ ନିୟମ ଲାଗୁ ହେବା ପରର ସର୍ବାଧିକ ଜରିମାନା ବୋଲି କୁହାଯାଇଛି ।

ସମ୍ବନ୍ଧିତ ଖବର