ଫେବ୍ରୁଆରିରୁ ସମ୍ବଲପୁର-ଝାରସୁଗୁଡ଼ା ଦେଇଯିବ ରାଜଧାନୀ ଏକ୍ସପ୍ରେସ

ଭୁବନେଶ୍ୱର: ବହୁପ୍ରତିକ୍ଷୀତ ‘ରାଜଧାନୀ ଏକ୍ସପ୍ରେସ’ ୨୦୧୮ ଫେବ୍ରୁଆରିରୁ ଭୁବନେଶ୍ୱରରୁ ଯାତ୍ରା ଆରମ୍ଭ କରି ପ୍ରତି ଶନିବାର କଟକ, ସମ୍ବଲପୁର ଓ ଝାରସୁଗୁଡ଼ା ଦେଇ ନୂଆଦିଲ୍ଲୀରେ ପହଞ୍ଚିବ। ପୂର୍ବତଟ ରେଳବାଇ ପକ୍ଷରୁ ରବିବାର ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱରରୁ ସମ୍ବଲପୁର ଦେଇ ସପ୍ତାହରେ ଗୋଟିଏ ଦିନ ରାଜଧାନୀ ଏକ୍ସପ୍ରେସ ଚାଲିବ। ପୂର୍ବତଟ ରେଳବାଇର ମୁଖ୍ୟ ଲେକ ସମ୍ପର୍କ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଟ୍ରେନ ନମ୍ବର ୨୦୮୧୭ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଭାୟା ସମ୍ବଲପୁର ଓ ଝାରସୁଗୁଡ଼ା ୨୦୧୮ ଫେବ୍ରୁଆରି ୧୦ରୁ ଚାଲିବାକୁ ଥିବା ବେଳେ ଟ୍ରେନ ନମ୍ବର ୨୦୮୧୮ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ୨୦୧୮ ଫେବ୍ରୁଆରି ୧୧ରୁ ଚାଲିବ।

ଟ୍ରେନ ନମ୍ବର ୨୦୮୧୭ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଭାୟା ସମ୍ବଲପୁର ଓ ଝାରସୁଗୁଡ଼ା ପ୍ରତି ଶନିବାର ୭ଟା ୧୦ରେ ଭୁବନେଶ୍ୱରରୁ ଛାଡ଼ିବ ଓ ନୂଆଦିଲ୍ଲୀରେ ରବିବାର ୧୦ଟା ୪୦ରେ ପହଞ୍ଚିବ। ଫେରିବା ବାଟରେ ଟ୍ରେନ ନମ୍ବର ୨୦୮୧୮ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ଭାୟା ଝାରସୁଗୁଡ଼ା ଓ ସମ୍ବଲପୁର ନୂଆଦିଲ୍ଲୀରୁ ୧୭ଟା ୦୫ରେ ଛାଡ଼ିବ ଓ ଭୁବନେଶ୍ୱରରେ ସୋମବାର ୨୦ଟା ୩୫ରେ ପହଞ୍ଚିବ।

ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାତ୍ରା ସମୟରେ ସମ୍ବଲପୁର ଷ୍ଟେସନ ମଧ୍ୟରେ କଟକ, ସମ୍ବଲପୁର ସିଟି, ଝାରସୁଗୁଡ଼ା, ରାଉରକେଲା, ଚକ୍ରଧରପୁର, ଅନରା, ଗୋମୋ, କୋଡରେମା, ଗୟା, ମୁଗଲସରାଇ ଓ କାନପୁରରେ ରାଜଧାନୀ ଏକ୍ସପ୍ରେସ ଅଟକିବ। ଠିକ ଫେରିବା ବାଟରେ ମଧ୍ୟ ରାଜଧାନୀ ଏକ୍ସପ୍ରେସ ଉପର ଲିଖିତ ଷ୍ଟେସନରେ ଅଟକିବ।

ସୂଚନାଯୋଗ୍ୟ, ପଶ୍ଚିମ ଓଡ଼ିଶା ସହିତ ନୂଆଦିଲ୍ଲୀକୁ ସିଧାସଳଖ ରେଳ ଯୋଗାଯୋଗ ପାଇଁ ବହୁ ଦିନରୁ ଦାବି ହୋଇ ଆସୁଥିଲା। ଏଥି ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୩ଥର ରେଳ ମନ୍ତ୍ରାଳୟକୁ ଚିଠି ଲେଖିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ସେପ୍ଟେମ୍ବରରେ ୨୭ରେ ଦିଲ୍ଲୀ ଗସ୍ତ କାଳରେ ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟି ଭୁବନେଶ୍ୱର-ନୂଆଦିଲ୍ଲୀ ଭାୟା ସମ୍ବଲପୁର ରାଜଧାନୀ ଏକ୍ସପ୍ରେସ ଚଳାଇବା ପାଇଁ ପ୍ରସ୍ତାବ ଦେଇଥିଲେ। ନବୀନଙ୍କ ପ୍ରସ୍ତାବରେ ରେଳମନ୍ତ୍ରୀ ରାଜି ହୋଇଛନ୍ତି। ସପ୍ତାହରେ ଗୋଟିଏ ଦିନ ପାଇଁ ଭୁବନେଶ୍ୱରରୁ ସମ୍ବଲପୁର ଦେଇ ରାଜଧାନୀ ଏକ୍ସପ୍ରେସ ଦିଲ୍ଲୀରେ ପହଞ୍ଚିବ ବୋଲି ରେଳମନ୍ତ୍ରୀ ପୀୟୁଷ ଗୋୟଲ ଚିଠି ଲେଖି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜଣାଇଛନ୍ତି।

ସମ୍ବନ୍ଧିତ ଖବର