ଭୁବନେଶ୍ୱରରୁ ସମ୍ବଲପୁର ଦେଇ ଦିଲ୍ଲୀ ଯିବ ରାଜଧାନୀ ଏକ୍ସପ୍ରେସ୍‌

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ପାଇଁ ଖୁସିର ଖବର ଆଣିଛି ଭାରତୀୟ ରେଳବାଇ। ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱରରୁ ରାଜଧାନୀ ଏକ୍ସପ୍ରେସ୍‌ ସମ୍ବଲପୁର ଦେଇ ଦିଲ୍ଲୀରେ ପହଞ୍ଚିବ। ଏହା ଦ୍ୱାରା ପଶ୍ଚିମ ଓଡ଼ିଶାର ଲୋକ ଉପକୃତ ହେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିଲ୍ଲୀରେ ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟି ଏହି ପ୍ରସ୍ତାବ ଦେଇଥିଲେ। ନବୀନଙ୍କ ପ୍ରସ୍ତାବରେ ରେଳମନ୍ତ୍ରୀ ରାଜି ହୋଇଛନ୍ତି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ୬ ଦିନିଆ ଦିଲ୍ଲୀ ଗସ୍ତ କରି ବୁଧବାର କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିଛନ୍ତି। ଦିଲ୍ଲୀସ୍ଥିତ ପରିବହନ ଭବନରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ସାକ୍ଷାତକାର ସମୟରେ ଓଡ଼ିଶାର ସଡ଼କ ଓ ପରିବହନକୁ ନେଇ ସମସ୍ୟା ଓ ଏହାର ସମାଧାନ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି।

ସାକ୍ଷାତ ସମୟରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ନମ୍ବର ୨୦୩, ରେମୁଳି -ରାଜମୁଣ୍ଡା ଜାତୀୟ ରାଜପଥ-୨୧୫, କଟକ-ଅନୁଗୁଳ ଜାତୀୟ ରାଜପଥ-୪୨, ବାରକୋଟ-ପାନପୋଶ ଜାତୀୟ ରାଜପଥ ନମ୍ବର ୨୩, ଚଣ୍ଡୀଖୋଳ-ବାଲେଶ୍ୱର ଜାତୀୟ ରାଜପଥ ନମ୍ବର -୧୬(୪ଥାକିଆ), ଚଣ୍ଡିଖୋଲ-ଡୁବୁରୀ-ତାଲଚେର ଜାତୀୟ ରାଜପଥ ନମ୍ବର ୨୦୦ ଉପରେ ଆଲୋଚନା ହୋଇଛି। ସେହିଭଳି ଖଣ୍ଡଗିରି ଫ୍ଲାଏଓଭର ବ୍ରିଜ, ଗୋହିରା ଛକ ନିକଟରେ ଫ୍ଲାଏଓଭର ବ୍ରିଜ ଉପରେ ମଧ୍ୟ ଆଲୋଚନା ହୋଇଛି।

ସମ୍ବନ୍ଧିତ ଖବର