ରାଜନୈତିକ ଦଳ ଗଢ଼ି ଆଗାମୀ ବିଧାନସଭା ନିର୍ବାଚନ ଲଢ଼ିବେ ରଜନୀକାନ୍ତ

ଚେନ୍ନାଇ: ନିଜେ ଦଳ ଗଠନ କରି ରାଜନୀତିରେ ପ୍ରବେଶ କରିବେ ବୋଲି ରବିବାର ଦିନ ତାମିଲ ସୁପର୍‌ଷ୍ଟାର୍‌ ରଜନୀକାନ୍ତ ଘୋଷଣା କରିଛନ୍ତି।

କୋଡ଼ାମ୍ବକ୍କମସ୍ଥିତ ରାଘବେନ୍ଦ୍ର ମ୍ୟାରେଜ୍‌ ହଲ୍‌ରେ ନିଜ ପ୍ରଶଂସକମାନଙ୍କ ସହ ଭାବ ଆଦାନ ପ୍ରଦାନ କରିବାବେଳେ ରଜନୀକାନ୍ତ କହିଲେ ଯେ ସେ ଆସନ୍ତା ୨୦୨୧ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ। ସେଥିପାଇଁ ତାମିଲନାଡୁର ୨୩୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଛିଡ଼ା କରାଇବେ।

ସେ କହିଛନ୍ତି: ମୁଁ ପଦପଦବୀ ନିମନ୍ତେ ରାଜନୀତିରେ ପ୍ରବେଶ କରୁନାହିଁ। ଯଦି ମୁଁ ଏହା ଚାହିଁଥାଆନ୍ତି, ତାହା ମୁଁ ୧୯୯୬ରେ ପାଇ ପାରିଥାଆନ୍ତି। ୪୫ ବର୍ଷ ବୟସରେ ଯଦି ମୁଁ ତାହା ଚାହିଁଲି ନାହିଁ, ୬୮ ବର୍ଷ ବୟସରେ କାହିଁକି ସେ ଦିଗରେ ମନବଳାଇବି?

ମୋର ରାଜନୀତି ଧର୍ମ କିଂବା ଜାତି ନୁହେଁ, ଆଧ୍ୟାତ୍ମିକତାକୁ ଆଧାର କରିବ। ସବୁ ଜିନିଷର ପରିବର୍ତ୍ତନ ଲୋଡ଼ା। ପ୍ରଚଳିତ ଧାରା ପରିବର୍ତ୍ତନ କରିବାକୁ ପଡ଼ିବ। ଗଣତନ୍ତ୍ର ଦୁର୍ନୀତିଗ୍ରସ୍ତ ହୋଇ ଯାଇଛି। ଏହାକୁ ଶୋଧନ କରିବାକୁ ପଡ଼ିବ।

Image Courtesy of India TV

ରାଜରାଜୁଡ଼ା ଅମଳରେ ଶାସକମାନେ ଅନ୍ୟ ଦେଶ ଏବଂ ରାଜ୍ୟ ଲୁଟ୍‌ କରୁଥିଲେ। ଏବେ ଆମେ ଏ ଭଳି ସ୍ତରରେ ଆସି ପହଞ୍ଚିଛନ୍ତି ଯେଉଁଠି ଶାସକମାନେ ନିଜ ଦେଶରୁ ଲୁଟ୍‌ କରୁଛନ୍ତି।

ଗତବର୍ଷ ରାଜ୍ୟରେ ରାଜନୀତି ଲୋକଙ୍କର ମଥାକୁ ଲଜ୍ଜାବନତ କରିଛି। ପଞ୍ଚାୟତ ଏବଂ ପୌର ନିର୍ବାଚନ ପ୍ରତି ଧ୍ୟାନ ଦେବାକୁ ସମୟ ନାହିଁ। କିନ୍ତୁ ୨୦୧୯ ଲୋକସଭା ନିର୍ବାଚନକୁ ଅନୁଧ୍ୟାନ କରିବା ପରେ ଯାଇ ସେଥିରେ ପ୍ରତିଦ୍ୱନ୍ଦିତା କରିବେ କି, ନାହିଁ ତାହା ସ୍ଥିର କରିବେ। ଏହା ଚଳଚ୍ଚିତ୍ର ନୁହେଁ, ରାଜନୀତି। ଏଥିରେ ଗଳିକନ୍ଦି ବୁଲିବାକୁ ପଡ଼ିବ।

ପ୍ରଥମେ ପ୍ରଶଂସକ କ୍ଲବ୍‌ ସବୁକୁ ମଜଭୁତ କରିବାକୁ ପଡ଼ିବ। ଯେଉଁଗୁଡ଼ିକ ନିଷ୍କ୍ରିୟ ଅବସ୍ଥାରେ ପଡ଼ିଛି ତାହାକୁ ସକ୍ରିୟ କରିବାକୁ ହେବ। କ୍ଲବ୍‌କୁ ବିଶେଷକରି ମହିଳାମାନଙ୍କୁ ଯୋଗଦେବାକୁ ଉତ୍ସାହ ଦିଆଯିବ।

ରଜନୀକାନ୍ତଙ୍କ ରାଜନୀତି ପ୍ରବେଶ ନିଷ୍ପତ୍ତି ଘୋଷଣାକୁ ପ୍ରଶଂସକମାନେ ସେଲିବ୍ରେଟ୍‌ କରିଥିଲେ। ସେମାନେ ନାଚକୁଦ କରି ସ୍ଲୋଗାନ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର