ନିରାପତ୍ତା ସ୍ଥିତି ସମୀକ୍ଷା କଲେ ରାଜନାଥ:ବୈଠକରେ ଡୋଭାଲ୍‌, ଗୃହ ସଚିବ ସାମିଲ

ବିକାନେର୍‌ରେ ପାକିସ୍ତାନ ନାଗରିକଙ୍କୁ ନିର୍ଦ୍ଦେଶ ୪୮ ଘଣ୍ଟା‌ ମଧ୍ୟରେ ସହର ଛାଡ଼

ନୂଆଦିଲ୍ଲୀ: ଦେଶର ନିରାପତ୍ତା ସ୍ଥିତି ନେଇ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଗୃହମନ୍ତ୍ରୀ ରାଜନାଥ ସିଂହ ସମୀକ୍ଷା କରିଛନ୍ତି। ଜମ୍ମୁ କଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ ହୋଇଥିବାରୁ ଭାରତ ପାକ୍‌ ସୀମାରେ ସାଂପ୍ରତିକ ସ୍ଥିତି ଏବଂ ଦେଶର ସୁରକ୍ଷା ସ୍ଥିତି ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ଭାରତ-ପାକ୍‌ ସୀମାରେ ସୁରକ୍ଷା କଡ଼ାକଡ଼ି କରିବାକୁ ନିକଟରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ସଂପର୍କରେ ଗୃହମନ୍ତ୍ରୀ ଆଲୋକପାତ କରିଥିଲେ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଗୃହ ସଚିବ ରାଜୀବ ଗୌବା, ଗୁଇନ୍ଦା ବ୍ୟୁରୋ ନିର୍ଦ୍ଦେଶକ ରାଜୀବ ଜୈନ ପ୍ରମୁଖ ଉପସ୍ଥିତ ଥିଲେ। ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବା ପାଇଁ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଗୃହମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବିକାନେର: ରାଜସ୍ଥାନର ବିକା‌ନେର୍‌ରେ ଥିବା ପାକିସ୍ତାନୀ ନାଗରିକମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ସହର ଛାଡ଼ିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ପୁଲ୍‌ୱାମା ଆତ୍ମଘାତୀ ଆକ୍ରମଣ ପରେ ଭାରତରେ ଥିବା ପାକିସ୍ତାନୀ ନାଗରିକମାନଙ୍କ ଉପରେ କଟକଣା ଲାଗିଛି। ପାକିସ୍ତାନର ଅଭିନେତା ଏବଂ ଅଭିନେତ୍ରୀମାନଙ୍କୁ ବଲିଉଡ୍‌ ନିଷିଦ୍ଧ କରିଥିବା ବେଳେ ଆଜି ସିଆରପିସିର ଧାରା ୧୪୪ ଅଧୀନରେ ବିକାନେର ପ୍ରଶାସନ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ନିର୍ଦ୍ଦେଶକୁ ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ କରାଯିବ। କୌଣସି ହୋଟେଲ୍‌ କିମ୍ବା ଲଜ୍‌ରେ ଥିବା ପାକିସ୍ତାନୀ ନାଗରିକଙ୍କୁ ତୁରନ୍ତ ହୋଟେଲ୍‌ରୁ ବିଦା କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ପାକିସ୍ତାନୀ ନାଗରିକଙ୍କୁ ରାଜ୍ୟରେ କୌଣସି କମ୍ପାନିରେ ଚାକିରି ଦେବାପାଇଁ ମନା କରାଯାଇଛି ଏବଂ ପଡ଼ୋଶୀ ଦେଶ ସହ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ କୌଣସି ବ୍ୟବସାୟ ଚୁକ୍ତି କରିବାପାଇଁ ମନା କରାଯାଇଛି।

ସମ୍ବନ୍ଧିତ ଖବର