ଅନୁପ୍ରବେଶ ବନ୍ଦ କରିବାକୁ ପୂର୍ବସୀମାନ୍ତରେ ଜମ୍ମୁ ଓ କଶ୍ମୀର ଭଳି ଗ୍ରୀଡ୍‌ ବ୍ୟବସ୍ଥା କରାଯିବ: ରାଜନାଥ

ନୂଆଦିଲ୍ଲୀ: ସୀମାନ୍ତ ନିରାପତ୍ତା ନିମନ୍ତେ ବାଂଲାଦେଶ ସୀମା ସହ ଲାଗିଥିବା ପାଞ୍ଚଟି ଭାରତୀୟ ରାଜ୍ୟର ସହଯୋଗ ଆବଶ୍ୟକ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଦିନ କହିଛନ୍ତି। ରୋହିଙ୍ଗ୍ୟାମାନଙ୍କର ଅନୁପ୍ରବେଶ ଏବଂ ଅନ୍ୟାନ୍ୟ ବେଆଇନ୍‌ ପ୍ରବାସବାସ ରୋକିବା ପାଇଁ ସେଠାରେ ଗ୍ରୀଡ୍‌ ବସାଇବା ଆବଶ୍ୟକ। ନଚେତ୍‌ ଏହା ଦେଶର ଅଭ୍ୟନ୍ତରୀଣ ନିରାପତ୍ତା ପ୍ରତି ବିପଦ୍‌ ସୃଷ୍ଟି କରିପାରେ।

ପଶ୍ଚିମବଙ୍ଗ, ଆସାମ, ମିଜୋରାମ, ମେଘାଳୟ ଏବଂ ତ୍ରିପୁରା ଆଦି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ସହ କୋଲକାତା ଠାରେ ଅନୁଷ୍ଠିତ ଏକ ଦିବସୀୟ ବୈଠକରେ ଏ କଥା କହିଛନ୍ତି ରାଜନାଥ। ଭାରତ-ବାଂଲାଦେଶ ସୀମାନ୍ତ ଯୋଗୁଁ ଉପୁଜୁଥିବା ସମସ୍ୟା ସମ୍ପର୍କରେ ଏହି ଆଲୋଚନା ଆହୂତ ହୋଇଥିଲା। ଜମ୍ମୁ ଏବଂ କଶ୍ମୀରରେ ଦିଆ ଯାଇଥିବା ‘ବର୍ଡର୍‌ ପ୍ରୋଟେକ୍‌ସନ୍‌ ଗ୍ରିଡ୍‌’ ଭଳି ଏସବୁ ରାଜ୍ୟ ସୀମାନ୍ତରେ ଫିଜିକାଲ୍‌ ଏବଂ ନନ୍‌ଫିଜିକାଲ୍‌ ବ୍ୟାରିଅର୍‌, ସର୍ଭିଲେନ୍‌ସ୍‌ ସିଷ୍ଟମ୍‌ସ୍‌, ଇଣ୍ଟେଲିଜେନ୍‌ସ୍‌ ଏଜେନସିଜ୍‌, ଷ୍ଟେଟ୍‌ ପୋଲିସ୍‌, ବିଏସ୍‌ଏଫ୍‌ ଏବଂ ରାଜ୍ୟ ଓ କେନ୍ଦ୍ରର ଅନ୍ୟାନ୍ୟ ଗୁଇନ୍ଦା ସେବା ବ୍ୟବସ୍ଥା କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି। ସେମାନେ ଉଭୟ ଦେଶ ସୀମାନ୍ତରେ ଚାଲିଥିବା ମଣିଷ, ଗୋରୁ, ଜାଲ୍‌ ଭାରତୀୟ ମୁଦ୍ରା ଏବଂ ନିଶା ଔଷଧ ଚଳାଚଳ ବନ୍ଦ କରିବେ।

ବିଶେଷକରି ବାଂଲାଦେଶରୁ ପଶ୍ଚମବଙ୍ଗ ଏବଂ ଆସାମକୁ ରୋହିଙ୍ଗ୍ୟାମାନଙ୍କର ବେଆଇନ୍‌ ଅନୁପ୍ରବେଶ ସମସ୍ୟା ଉପରେ କଡ଼ା ଦୃଷ୍ଟି ଦେବାକୁ ରାଜନାଥ କହିଥିଲେ। ଏଥିପାଇଁ ଦଲାଲ୍‌ମାନଙ୍କ ସୁସଙ୍ଗଠିତ ନେଟ୍‌ଓ୍ଵାର୍କ ଉପରେ ଚଢ଼ାଉ କରିବାକୁ ଏହି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ରାଜନାଥ ଅନୁରୋଧ କରିଛନ୍ତି। ଏଭଳି ଦଲାଲମାନେ କୋଲକାତା ଏବଂ ଗୌହାଟିରେ ରହି ରୋହିଙ୍ଗ୍ୟାମାନଙ୍କର ଯାତାୟାତର ସୁବିଧା ନିମନ୍ତେ ସେମାନଙ୍କୁ ଜାଲ୍‌ ପରିଚୟ କାଗଜପତ୍ର ଏବଂ ଅସ୍ଥାୟୀ ବସବାସ ସ୍ଥଳୀର ବ୍ୟବସ୍ଥା କରୁଛନ୍ତି। ପରେ ସେମାନଙ୍କୁ ଜମ୍ମୁ, ହାଇଦ୍ରାବାଦ ମେଓ୍ଵାଟ (ହରିୟାନା), ପଶ୍ଚମି ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ଜୟପୁର ଆଦିରେ ଥିବା ସେଟଲ୍‌ମେଣ୍ଟ୍‌କୁ ପଠା ଯାଉଛି।

ଅଧିକାରୀମାନଙ୍କ ଆକଳନ ଅନୁସାରେ ଭାରତର ବିଭିନ୍ନ ସ୍ଥାନରେ ପ୍ରାୟ ୪୦ ହଜାର ରୋହିଙ୍ଗ୍ୟା ବସବାସ କରୁଛନ୍ତି।

ସମ୍ବନ୍ଧିତ ଖବର