ଭାରତୀୟ ସ୍ଥଳ ସେନାରେ ସୈନିକ ସଙ୍କଟ, ଖାଲି ପଡିଛି ୪୫ ହଜାର ପଦବୀ

ନୂଆଦିଲ୍ଲୀ: ଭାରତୀୟ ସେନାରେ ଯବାନ ଓ ଅଧିକାରୀଙ୍କ ସଂଖ୍ୟା କମିବାରେ ଲାଗିଛି | ସ୍ଥଳସେନାରେ ୪୫ ହଜାରରୁ ଅଧିକ ସୈନିକଙ୍କର ପଦବୀ ଖାଲି ରହିଛି | ଯେଉଁଥିରେ ଲେଫ୍ଟନେଣ୍ଟ ରାଙ୍କର ୭ହଜାର ଅଧିକାରୀ ମଧ୍ୟ ଅଛନ୍ତି | ରାଜ୍ୟସଭାରେ ସୋମବାର ଦିନ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସୂଚନା ଦେଇଛନ୍ତି | ରାଜନାଥ କହିଛନ୍ତି ଯେ ୨୦୧୯ ଜାନୁୟାରୀ ୧ ତାରିଖ ସୁଦ୍ଧା ଲେଫ୍ଟନେଣ୍ଟରୁ ଉପର ରାଙ୍କର ୭୩୯୯ ପଦବୀ ଖାଲି ରହିଛି |

ଏହାସହ ଅନ୍ୟ ପଦବୀରେ ୪୫୬୩୪ଟି ପଦ ଖାଲି ରହିଛି | ସେ କହିଛନ୍ତି ଯେ ଗତ ୩ ବର୍ଷ ମଧ୍ୟରେ ଦେଶର ବିଭିନ୍ନ ଅଞ୍ଚଳରେ ୨୦୦ରୁ ଅଧିକ ନିଯୁକ୍ତି ଶିବିରର ଆୟୋଜନ କରାଯାଇଛି | ସେହିପରି ଏହି ବର୍ଷ ୧୨ଟି ନିଯୁକ୍ତି ଶିବିରର ବ୍ୟବସ୍ଥା ହୋଇଥିଲା, ଆଉ ୭୨ଟି ନିଯୁକ୍ତି ଶିବିରର ଆୟୋଜନ କରାଯିବ | ତେବେ ସୈନିକଙ୍କ କମିବାର କାରଣ ବାବଦରେ ରାଜନାଥ କହିଛନ୍ତି ଯେ ସେନାର ଚୟନ ପ୍ରକ୍ରିୟା ବହୁତ କଡା| ସେନାରେ ଟ୍ରେନିଂ ପ୍ରକ୍ରିୟା ମଧ୍ୟ ବହୁତ ଉଚ୍ଚକୋଟୀର |

ଅତ୍ୟଧିକ ବିପଦ ଓ କଡା ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ତାଲିମ ଦିଆଯାଇଥାଏ | ସେନା ତାଲିମ ପ୍ରକ୍ରିୟାର ଗୁଣବତ୍ତା ଉପରେ କୌଣସି ସାଲିସ କରିବ ନାହିଁ | ସେ କହିଛନ୍ତି ଆଶା ରହିଛି ଖୁବଶୀଘ୍ର ଏହି ସବୁ ଖାଲି ପଡିଥିବା ପଦବୀରେ ନିଯୁକ୍ତି କରାଯିବ | ସେହିପରି ଯୁବକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ବିଜ୍ଞାପନରେ ୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି | ୨୦୧୬-୨୦୧୯ ମଧ୍ୟରେ ଏହି ଟଙ୍କା ଖର୍ଚ୍ଚ କରାଯାଇଛି |

ସମ୍ବନ୍ଧିତ ଖବର