ରାଜସ୍ଥାନ ବିଧାନସଭା ନିର୍ବାଚନ:‘ରାମ’ ନାମଧାରୀ ପ୍ରାର୍ଥୀଙ୍କ ଭିଡ଼

ବିଜେପିର ୩୦, କଂଗ୍ରେସର ୨୩ : ରାହୁଲଙ୍କୁ ଘେରିଲେ ମୋଦୀ

ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ନେତାମାନେ ଦେଉଥିବା ଭାଷଣରେ ରାମ ମନ୍ଦିର ଓ ଭଗବାନ ରାମଙ୍କ କଥା ଅଧିକ ମାତ୍ରାରେ ଶୁଣିବାକୁ ମିଳିଛି। ଭୋଟର୍‌ଙ୍କ ଭାବାବେଗକୁ ପ୍ରଭାବିତ କରି ସେମାନଙ୍କୁ ନିଜ ପକ୍ଷକୁ ନେବା ପାଇଁ ନେତାମାନେ ଏଭଳି ପନ୍ଥା ଆପଣାଉଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ଦଳଗୁଡ଼ିକ ରାମଙ୍କ ନାମ ଧରି ଏଥର ନିର୍ବାଚନ ରଣାଙ୍ଗନ ପାର୍‌ କରିବାକୁ ଯଥାସାଧ୍ୟ ଉଦ୍ୟମ କରୁଛନ୍ତି। ଏମାନଙ୍କର ଏହି ରଣନୀତି ଏତିକିରେ ଶେଷ ହୋଇନାହିଁ। ଏଥର ନିର୍ବାଚନରେ ‘ରାମ’ ନାମଧାରୀ ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି। ଶାସକ ବିଜେପିଠାରୁ ଆରମ୍ଭ କରି ବିରୋଧୀ କଂଗ୍ରେସ ପାରୁପର୍ଯ୍ୟନ୍ତ ଚେଷ୍ଟା କରି ରାମ ନାମଧାରୀ ପ୍ରାର୍ଥୀଙ୍କୁ ଟିକଟ ଦେଇ କ୍ଷମତା ହାସଲର ସ୍ବପ୍ନ ଦେଖିଛନ୍ତି। ପ୍ରାର୍ଥୀମାନେ ମଧ୍ୟ ସେମାନଙ୍କ ନାମକୁ ପାଥେୟ କରି ନିଜ ରାଜନୈତିକ ଭାଗ୍ୟ ଲେଖିବା ଆଶାରେ ଅଛନ୍ତି।
ରାଜସ୍ଥାନର ମୋଟ ୨୦୦ ବିଧାନସଭା ଆସନ ପାଇଁ ଲଢ଼ୁଥିବା ମୋଟ ପ୍ରାର୍ଥୀଙ୍କ ମଧ୍ୟରୁ ୩୧୯ ପ୍ରାର୍ଥୀଙ୍କ ନାମରେ ‘ରାମ’ ରହିଥିବା ଦେଖିବାକୁ ମିଳିଛି। ଏମାନଙ୍କ ମଧ୍ୟରେ ବିଜେପିର ସର୍ବାଧିକ ୩୦ ପ୍ରାର୍ଥୀ ରହିଥିବା ବେଳେ କଂଗ୍ରେସର ୨୩ ଓ ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ୨୭ ପ୍ରାର୍ଥୀ ରହିଛନ୍ତି। ସେହିଭଳି ୧୦୭ ଜଣ ନିର୍ଦଳୀୟ ପ୍ରାର୍ଥୀଙ୍କ ନାମରେ ମଧ୍ୟ ରାମ ରହିଛି।
ବିଜେପିର ରାମପ୍ରତାପ (ହନୁମାନଗଡ଼), ରାମସିଂହ (ସାଦୁଲପୁର), ଖେମାରାମ (ସୁଜାନାଗଡ଼), ରାମଲାଲ (ଚୌମୁ), ରାମାବତାର (ଚାକସୁ), ରାମସ୍ବରୂପ (ବୈର୍‌), ମୋହନରାମ (ନାଗୌର), ରାମଚନ୍ଦ୍ର (ଖିୱଁସର), ରାମସହାୟ (ନିୱାଇ) ପ୍ରମୁଖ ରାମ ନାମଧାରୀ ନିର୍ବାଚନ ଲଢ଼ୁଛନ୍ତି। ସେହିଭଳି କଂଗ୍ରେସର ରାମଗୋପାଳ (ରାମଗଞ୍ଜମଣ୍ଡି), ରାମନାରାୟଣ (ପିପଲଦା), ଦୟାରାମ (ଖେରୱାଡ଼ା), ଲାଲାରାମ (ପିଣ୍ଡୱାଡ଼ା), ଜୀବାରାମ (ସିରୋହି), ସୁଖରାମ (ସାଂଚୌର), ହେମାରାମ (ଗୁଢ଼ାମନାଲି), ମେୱାରାମ (ବାଡ଼ମେର), ରୁପାରାମ (ଜୈସଲମେର), ଟିକାରାମ (ଅଲୱର ଗ୍ରାମୀଣ), ପରସରାମ (ଡୋଢ) ଏବଂ ମଙ୍ଗଲରାମ (ଡୁଙ୍ଗରଗଡ଼) ଓ ଗୋବିନ୍ଦରାମ (ଖାଜୁୱାଲା) ନାମଧାରୀ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ଏହାବ୍ୟତୀତ ବିଏସ୍‌ପିର ୨୭ ପ୍ରାର୍ଥୀଙ୍କ ନାମରେ ରାମ ରହିଛି। ୨୦୦ ଆସନବିଶିଷ୍ଟ ବିଧାନସଭା ନିର୍ବାଚନ ପାଇଁ ମୋଟ ୨,୨୯୪ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।

ମୁଁ ସବୁ ଜାଣିଛି ବୋଲି କଦାପି କହିନାହିଁ
ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ
ଡିସେମ୍ବର ୭ରେ ରାଜସ୍ଥାନ ନିର୍ବାଚନ ପରେ ବିଜେପି ବିରୋଧୀ ଦଳ ଆସନରେ ବସିବ
ହାର୍ଦ୍ଦିକ୍‌ ପଟେଲ୍‌, ପଟିଦାର ନେତା
ତେଲେଙ୍ଗାନାରେ ବିଜେପି ଓ ଟିଆର୍‌ଏସ୍‌ ମଧ୍ୟରେ ସହଯୋଗିତା ହୋଇଛି। ପ୍ରଧାନମନ୍ତ୍ରୀ କେସିଆର୍‌ଙ୍କୁ ନିୟନ୍ତ୍ରଣ କରୁଛନ୍ତି। ସେମାନଙ୍କ ବିରୋଧରେ ରାଜ୍ୟର ମତଦାତା ଭୋଟ୍‌ ଦେଇ ସେମାନଙ୍କ ଅସଲ ମୁଖା ଖୋଲିବା ଦରକାର
ରାହୁଲ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ
ମୁଁ ଜଣେ ଯୋଦ୍ଧା, ଭିକାରି ନୁହେଁ
କେ ଚନ୍ଦ୍ରଶେଖର ରାଓ,
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ
ଭାରତ ମୋ ପିତାଙ୍କ ଦେଶ। ଏଠାରୁ ମୋତେ କେହି ତଡ଼ିପାରିବେ ନାହିଁ। ଆମର ଶହେ ପିଢ଼ି ହାଇଦ୍ରାବାଦରେ ହିଁ ରହିବେ
ଅସଦୁଦ୍ଦିନ୍‌ ଅୱେସି, ଏଆଇଏମ୍‌ଆଇଏମ୍‌ ସଭାପତି
ବିଜେପି ନିର୍ବାଚନ ଜିତିଲେ ହାଇଦ୍ରାବାଦର ନାମ ବଦଳାଇ ଏହାକୁ ‘ଭାଗ୍ୟନଗର’ ନାମ ଦେବୁ
ଯୋଗୀ ଆଦିତ୍ୟନାଥ, ୟୁପି ମୁଖ୍ୟମନ୍ତ୍ରୀ

ଜୟପୁର: ରାଜସ୍ଥାନରେ ବିଜେପିର ନିର୍ବାଚନୀ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହିନ୍ଦୁତ୍ବ ପ୍ରସଙ୍ଗରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଘେରିଛନ୍ତି। ହିନ୍ଦୁତ୍ବକୁ ନେଇ ସେ ରାହୁଲଙ୍କୁ ଅନେକ ପ୍ରଶ୍ନ କରିଛନ୍ତି। ମୋଦୀ କହିଛନ୍ତି, ହିନ୍ଦୁତ୍ବ ହିମାଳୟଠାରୁ ଉଚ୍ଚ ଏବଂ ସମୁଦ୍ରଠାରୁ ଗଭୀର। ମୁଁ କାହିଁକି, କେହି ବି ତାହାର ଗଭୀରତାକୁ ମାପିପାରିବେ ନାହିଁ। ମୁନିଋଷିମାନେ ମଧ୍ୟ ଦାବି କରିପାରୁନାହାନ୍ତି ଯେ ସେମାନେ ହିନ୍ଦୁତ୍ବ ବିଷୟରେ ସମସ୍ତ ଜ୍ଞାନ ହାସଲ କରିଛନ୍ତି। ଏହା ଏତେ ବିଶାଳ ଯେ ଏହାକୁ ସମ୍ପୂର୍ଣ୍ଣ ଭାବେ ବୁଝିବାକୁ କେହି ସମର୍ଥ ନୁହନ୍ତି। ତେବେ ମୋ‌ ନିକଟରେ ହିନ୍ଦୁତ୍ବର ଜ୍ଞାନ ଅଧିକ ରହିଛି କି ନାହିଁ, ଏ ପ୍ରସଙ୍ଗ‌ରେ ରାଜସ୍ଥାନ ଭୋଟ୍‌ କରିବ। ରାହୁଲ ହିନ୍ଦୁତ୍ବକୁ ନେଇ ମୋଦୀଙ୍କୁ ଟାର୍ଗେଟ୍‌ କରିଥିଲେ। ମୋଦୀ ହିନ୍ଦୁତ୍ବ ସମ୍ପର୍କ‌ରେ ଜାଣନ୍ତିନାହିଁ ବୋଲି କହିଥିଲେ।

ସମ୍ବନ୍ଧିତ ଖବର