୯ରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ

ଏନ୍‌ଡିଏ ପ୍ରାର୍ଥୀ ହେବେ ହରିବଂଶ ,ବିଜେଡି ଆଭିମୁଖ୍ୟ ଅସ୍ପଷ୍ଟ

ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ପଦ ନିର୍ବାଚନରେ ବିଜେଡିର ଆଭିମୁଖ୍ୟ କ’ଣ ରହିବ ସେନେଇ ସ୍ପଷ୍ଟ ଜଣାପଡ଼ିନି। ରାଜ୍ୟସଭାରେ ବିଜେଡିର ୯ ଜଣ ସାଂସଦ ଥିବାରୁ ନିର୍ବାଚନରେ ସେମାନଙ୍କ ଭୂମିକା ଯଥେଷ୍ଟ ଗୁରୁତ୍ୱ ବହନ କରୁଛି। ଏନ୍‌ଡିଏ ଓ ବିରୋଧୀ ଦଳଗୁଡ଼ିକ ନିକଟରେ ଉପାଧ୍ୟକ୍ଷ ପଦ ହାତେଇବା ପାଇଁ ଆବଶ୍ୟକ ସଂଖ୍ୟା ନଥିବାରୁ ବିଜେଡି ଉପରେ ସମସ୍ତଙ୍କ ନଜର ରହିଥିବା ଜଣାପଡ଼ିଛି। ପୂର୍ବରୁ ଏନ୍‌ଡିଏ ଓ କଂଗ୍ରେସ ଦଳ ପକ୍ଷରୁ ବିଜେଡିର ରାଜ୍ୟସଭା ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଉପାଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ଦେବା ନିମନ୍ତେ ବିଚାରବିମର୍ଶ ହୋଇଥିଲା। ହେଲେ ବିଜେପି ଓ କଂଗ୍ରେସଠାରୁ ସମଦୂରତା ଆଳରେ ବିଜେଡି ପକ୍ଷରୁ କୌଣସି ପ୍ରକାର ପ୍ରତିକ୍ରିୟା ପ୍ରକାଶ କରାଯାଇ ନଥିଲା।
ନୂଆଦିଲ୍ଲୀ: ଆସନ୍ତା ୯ ତାରିଖରେ ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଜେଡିୟୁ (ଜନତା ଦଳ ୟୁନାଇଟେଡ୍‌) ସାଂସଦ ହରିବଂଶ ନାରାୟଣ ସିଂହ ଏନ୍‌ଡିଏ ପ୍ରାର୍ଥୀ ହୋଇପାରନ୍ତି। ଏହି ପଦ ପାଇଁ ସର୍ବସମ୍ମତିକ୍ରମେ ପ୍ରାର୍ଥୀ ବାଛିବା ନେଇ ଗୃହ ଅଧ୍ୟକ୍ଷ ଭେଙ୍କୟା ନାଇଡୁ ପରାମର୍ଶ ଦେଇଥିଲେ। କିନ୍ତୁ ଅଦ୍ୟାବଧି ତାଙ୍କ ପରାମର୍ଶ ଉପରେ ଦଳଗୁଡ଼ିକ ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇ ନାହିଁ। ତେଣୁ ଏହି ପଦ ଲାଗି ନିର୍ବାଚନ ହେବ। ଏ ନେଇ ନାଇଡୁ ଆଜି ଘୋଷଣା କରି କହିଛନ୍ତି ଯେ ଆସନ୍ତା ୯ ତାରିଖ ପୂର୍ବାହ୍ନ ୧୧ଟାରେ ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର