ଗୁଜରାଟ ରାଜ୍ୟସଭା ଉପନିର୍ବାଚନ

ଇସିଙ୍କ ନିଷ୍ପତ୍ତିକୁ ବିରୋଧ କରି ସୁପ୍ରିମ କୋର୍ଟ ଗଲା କଂଗ୍ରେସ

ନୂଆଦିଲ୍ଲୀ: ଦେଶରେ ଖାଲି ପଡ଼ୁଥିବା ୬ଟି ରାଜ୍ୟସଭା ଆସନର ଉପନିର୍ବାଚନ ପାଇଁ ନିର୍ବାଚନ କମିସନ୍‌ (ଇସି) ପୃଥକ୍ ବିଜ୍ଞପ୍ତି ଜାରି କରିଥିବାରୁ କଂଗ୍ରେସ ଦଳ ଏହାକୁ ତୀବ୍ର ବିରୋଧ କରିଛି। ନିର୍ବାଚନ କମିସନଙ୍କ ଏହି ନିଷ୍ପତ୍ତିକୁ ଅସାମ୍ବିଧାନିକ ଦର୍ଶାଇ ଦଳ ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଛି। କଂଗ୍ରେସ ଏମଏଲଏ ତଥା ଗୁଜରାଟ ବିଧାନସଭାର ବିରୋଧୀ ଦଳ ନେତା ପରେଶଭାଇ ଧନାନି ଏହି ଦୁଇଟି ଆସନ ପାଇଁ ନିର୍ବାଚନ ଏକସଙ୍ଗରେ କରିବାକୁ ଆବେଦନରେ ପ୍ରାର୍ଥନା କରିଛନ୍ତି। ଆସନ୍ତାମାସ ୫ ତାରିଖରେ ଦେଶରେ ୬ଟି ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବ। ଏଥିରୁ ୨ଟି ଆସନ ଗୁଜରାଟର ଥିବାବେଳେ ଗୋଟିଏ ବିହାରର ଏବଂ ୩ଟି ଓଡ଼ିଶାର ରହିଛି। କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଏବଂ ସ୍ମୃତି ଇରାନୀ ଗତ ଲୋକସଭା ନିର୍ବାଚନରେ ଯଥାକ୍ରମେ ଗାନ୍ଧୀନଗର ଏବଂ ଆମେଥି ଆସନରୁ ନିର୍ବାଚିତ ହେବାପରେ ଗୁଜରାଟର ଦୁଇଟି ଆସନ ପାଇଁ ଉପନିର୍ବାଚନ ହେବ। ଏଠାରେ ଦୁଇଟି ଆସନ ପାଇଁ ଏକସଙ୍ଗରେ ନିର୍ବାଚନ କରିବାକୁ କଂଗ୍ରେସ ପୂର୍ବରୁ ଦାବି କରିଥିଲା। କଂଗ୍ରେସ ଏଠାରେ ମୁଖ୍ୟ ବିରୋଧୀ ଦଳ ଥିବାରୁ ରାଜ୍ୟ ସଭା ଉପନିର୍ବାଚନରେ ଦଳ ଗୋଟିଏ ଆସନରେ ବିଜୟୀ ହେବା ନେଇ ଆଶା ବାନ୍ଧିଛି। ତେବେ ନିର୍ବାଚନ କମିସନଙ୍କ ପକ୍ଷରୁ ଗତ ୧୫ ତାରିଖରେ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି ଖାଲି ପଡ଼ିଥିବା ପ୍ରତ୍ୟେକ ଆସନକୁ ପୃଥକ ଆସନ ଭାବେ ବିଚାର କରି ପ୍ରତ୍ୟେକ ଆସନ ପାଇଁ ପୃଥକ ବିଜ୍ଞପ୍ତି ଜାରି କରିଛି। ପୃଥକ୍ ବିଜ୍ଞପ୍ତି ଯୋଗୁ ଗୁଜରାଟରେ ବିଜେପି ଖାଲି ହେଉଥିବା ୨ଟି ଯାକ ଆସନରେ ଜିତିବା ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର