କରୋନା ସଂକ୍ରମଣ ଯୋଗୁଁ ରାଜ୍ୟସଭା ନିର୍ବାଚନ ଘୁଞ୍ଚିଲା, ନୂତନ ତାରିଖ ଘୋଷଣା କରିବେ ନିର୍ବାଚନ କମିସନ

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ (କୋଭିଡ-୧୯) ସଂକ୍ରମଣ ସ୍ଥିତିକୁ ଆଖି ଆଗରେ ରଖି ବିଭିନ୍ନ ରାଜ୍ୟରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନକୁ ଭାରତର ନିର୍ବାଚନ ଆୟୋଗ  ସ୍ଥଗିତ ରଖିଛନ୍ତି । ଭବିଷ୍ୟତର ସ୍ଥିତିକୁ ଦେଖି ପରବର୍ତୀ ସମୟରେ ନିର୍ବାଚନ ତାରିଖ ସ୍ଥିର କରାଯିବ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଗତ ୨୫.୨.୨୦୨୦ ୧୭ଟି ରାଜ୍ୟର ୫୫ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ପାଇଁ ଇସିଆଇ ଘୋଷଣା କରିଥିଲେ । ଏପ୍ରିଲ ୨୦୨୦ରେ ଏସବୁ ଆସନର କାର୍ଯ୍ୟକାଳ ଶେଷ ହେଉଛି । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଅର୍ଥାତ ୧୮.୦୩.୨୦୨୦ ସୁଦ୍ଧା ୧୦ଟି ରାଜ୍ୟରେ ୩୭ ଜଣ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ତେଣୁ ଆସନ୍ତା ୨୬.୩.୨୦୨୦ (ଗୁରୁବାର) ଦିନ ଆନ୍ଧ୍ରପ୍ରଦେଶ, ଗୁଜରାଟ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମଣିପୁର, ମେଘାଳୟ ଓ ରାଜସ୍ଥାନର ୧୮ଟି ରାଜ୍ୟସଭା ଆସନ ପାଇଁ ହେବାକୁ ଥିବା ନିର୍ବାଚନ ତାରିଖକୁ ଘୁଂଚାଇ ଦିଆଯାଇଛି । ଏସବୁ ରାଜ୍ୟର ରିଟର୍ଣ୍ଣିଂ ଅଫିସରମାନଙ୍କ ଠାରୁ ବର୍ତମାନର ସ୍ଥିତି ସଂକ୍ରାନ୍ତରେ ମିଳିଥିବା ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି । ତେଣୁ ୩୦.୩.୨୦୨୦ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ କରିବା ନିମନ୍ତେ ହୋଇଥିବା ଘୋଷଣା ଏବେ ବିଳମ୍ବିତ ହେବ ।

Live Law

କୋଭିଡ ୧୯ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ପରାମର୍ଶ ଏବଂ କଟକଣା ଜାରି କରାଯାଇଛି । ସାମାଜିକ ଦୂରତା ରକ୍ଷା କରିବା ଲାଗି ବିଭିନ୍ନ ରାଜ୍ୟ ଇତିମଧ୍ୟରେ ଜନ ସମାଗମ ଏଡ଼ାଇବାକୁ ଲକଡାଉନ ଘୋଷଣା କରିଛନ୍ତି । ଦେଶରେ ଟ୍ରେନ ଓ ବିମାନ ସେବାକୁ ବାତିଲ କରି ଦିଆଯାଇଛି । ଡାକ୍ତରଖାନା, ଟେଲିଯୋଗାଯୋଗ ସେବା, ଔଷଧ ଦୋକାନ, ତେଜରାତି ଦୋକାନ ଆଦିକୁ ବାଦ ଦେଲେ ଅନ୍ୟ ସମସ୍ତ କାରବାର ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି ।

ସମସ୍ତ ପ୍ରସଙ୍ଗକୁ ଧ୍ୟାନରେ ରଖି ଜରୁରିକାଳୀନ ଜନସ୍ୱାସ୍ଥ୍ୟ ପରସ୍ଥିତି କାରଣରୁ ନିର୍ବାଚନ ପ୍ରକ୍ରିୟାକୁ ଘୁଂଚାଇବା ନିମନ୍ତେ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି । ନିର୍ବାଚନ କମିସନଙ୍କ  ପକ୍ଷରୁ କୁହାଯାଇଛି ଯେ ନିର୍ବାଚନ ଅନୁଷ୍ଠିତ ହେଲେ ଅଯଥାରେ ନିର୍ବାଚନ ଅଧିକାରୀ, ରାଜନୈତିକ ଦଳର ପ୍ରତିନିଧି, ସହଯୋଗୀ କର୍ମଚାରୀ ଏବଂ ବିଧାନସଭାଗୁଡ଼ିକର ସଦସ୍ୟମାନଙ୍କ ସମାଗମ ହେବ । ଏହା ସଂକ୍ରମଣ ଆଶଙ୍କା ବଢ଼ାଇବ, ଯାହା ଦେଶରେ ବର୍ତମାନ ଦେଖାଦେଇଥିବା ପରିସ୍ଥିତି ଦୃଷ୍ଟିରୁ ଅନୁକୂଳ ନୁହେଁ । ଏହାକୁ ଆଖି ଆଗରେ ରଖି ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୧୫୩ ଅନ୍ତର୍ଗତ ପ୍ରାପ୍ତ କ୍ଷମତା ଅନ୍ତର୍ଗତ, ଧାରା ୩୦ ଏବଂ ଧାରା ୩୯ର ଉପଧାରା (୧) ଅନୁଯାୟୀ ରାଜ୍ୟସଭା ନିର୍ବାଚନର ଅବଶିଷ୍ଟ ପ୍ରକ୍ରିୟାକୁ ଘୁଂଚାଇ ଦେବା ଲାଗି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଘୋଷଣା କରାଯାଇଛି । ତେବେ ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ଘୋଷିତ ପ୍ରାର୍ଥୀଙ୍କ ତାଲିକା ପୂର୍ବପରି ବଳବତର ରହିବ ଏବଂ ପରବର୍ତୀ ସମୟରେ ଅବଶିଷ୍ଟ ନିର୍ବାଚନ ପ୍ରକ୍ରିୟା ଶେଷ କରାଯିବ । ପରିସ୍ଥିତିକୁ ଧ୍ୟାନରେ ରଖି ଭୋଟ ଗ୍ରହଣ ଏବଂ ଗଣତି ତାରିଖ ପରବର୍ତୀ ସମୟରେ ଘୋଷଣା କରାଯିବ।

ସମ୍ବନ୍ଧିତ ଖବର