ସିବିଆଇରୁ ଅସ୍ଥାନା ବି ହଟିଲେ

ବେସାମରିକ ବିମାନ ଚଳାଚଳ ବ୍ୟୁରୋକୁ ବଦଳି

ନୂଆଦିଲ୍ଲୀ : ସିବିଆଇରେ ଚାଲିଥିବା ବିବାଦର ପରିସମାପ୍ତି ପାଇଁ ସରକାର ଆଜି ବଡ଼ ଧରଣର ଅଦଳବଦଳ କରିଛନ୍ତି। ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ସିବିଆଇରୁ ହଟାଯିବା ପରେ ଏବେ ଦ୍ବିତୀୟ ସ୍ଥାନରେ ଥିବା ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ମଧ୍ୟ ସିବିଆଇରୁ ହଟାଇ ଦିଆଯାଇଛି। ଅସ୍ଥାନାଙ୍କ ସହିତ ଅନ୍ୟ ୩ ଜଣ ସିବିଆଇ ଅଧିକାରୀଙ୍କ କାର୍ଯ୍ୟକାଳ ମଧ୍ୟ ହ୍ରାସ କରାଯାଇଛି। ଆଜି କ୍ୟାବିନେଟ ନିଯୁକ୍ତି କମିଟି ବୈଠକରେ ଏ ବାବଦ ନିଷ୍ପତ୍ତି ନିଆଯାଇଛି ଏବଂ ସଂକ୍ରାନ୍ତ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଅସ୍ଥାନାଙ୍କୁ ବେସାମରିକ ବିମାନ ଚଳାଚଳ ବ୍ୟୁରୋକୁ ବଦଳି ହୋଇଛି। କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିବା ଅନ୍ୟ ୩ ଜଣ ଅଧିକାରୀ ହେଲେ ଏସ୍‌ପି ଜୟନ୍ତ ଜେ ନାଇକନ୍‌ବରେ, ଡିଆଇଜି ମନିଷ କୁମାର ସିହ୍ନା ଏବଂ ଯୁଗ୍ମ ନିର୍ଦ୍ଦେଶକ ଅରୁଣ ଶର୍ମା। ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ସିବିଆଇ ନିର୍ଦ୍ଦେଶକ ପଦରୁ ଆଲୋକ ବର୍ମାଙ୍କୁ ହଟାଇ ଦେଇଥିଲେ। ଏହି କମିଟିରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଲୋକସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼୍‌ଗେ ଏବଂ ସୁପ୍ରିମ୍‌ କୋର୍ଟ ବିଚାରପତି ଏ.କେ. ସିକ୍ରି ରହିଥିଲେ। ବର୍ମାଙ୍କୁ ସିଭିସି ତଦନ୍ତ ରିପୋର୍ଟ ଆଧାରରେ ହଟାଯାଇଥିଲେ ମଧ୍ୟ ଏ ନେଇ ସରକାରଙ୍କୁ କଡ଼ା ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଆଲୋକ ବର୍ମାଙ୍କୁ ହଟାଇବା ପାଇଁ ସରକାର ଏତେ ତରବରିଆ ଭାବେ କାହିଁକି ପଦକ୍ଷେପ ନେଲେ ବୋଲି କଂଗ୍ରେସ ପ୍ରଶ୍ନ କରିଥିଲା। ଏବେ ସିବିଆଇର ଅନ୍ତରୀଣ ମୁଖ୍ୟ ଭାବେ ନାଗେଶ୍ବର ରାଓଙ୍କ ନିଯୁକ୍ତିକୁ ସୁପ୍ରି‌ମ୍‌ କୋର୍ଟରେ ଚ୍ୟାଲେଂଜ କରାଯାଇଛି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାନୁଆରି ୨୪ ତାରିଖରେ ମନୋନୟନ କମିଟିର ବୈଠକ ବସିବ ଏବଂ ସିବିଆଇର ନୂତନ ନିର୍ଦ୍ଦେଶକ ଚୟନ ହେବ ବୋଲି ‌ଜଣାପଡ଼ିଛି।

ସମ୍ବନ୍ଧିତ ଖବର