ରାମ ମନ୍ଦିର ଟ୍ରଷ୍ଟ ଗଠନ ପ୍ରକ୍ରିୟା ଆରମ୍ଭ, ମୁସ୍‌ଲିମ୍‌ ଲ ବୋର୍ଡର ନିଷ୍ପତ୍ତି ୧୭ରେ

ନୂଆଦିଲ୍ଲୀ,: ଅଯୋଧ୍ୟା ରାୟ ପ୍ରକାଶ ପାଇବାର ଦୁଇ ଦିନ ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିନେଇ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ୧୦୪୫ ପୃଷ୍ଠା ସମ୍ବଳିତ ସୁପ୍ରିମ୍‌ କୋର୍ଟଙ୍କ ରାୟକୁ ପଢ଼ିବା ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ, ଅଯୋଧ୍ୟାର ବିବାଦୀୟ ଜମିରେ ରାମ ମନ୍ଦିର ନିର୍ମାଣ କରିବାକୁ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଏକ ଟ୍ରଷ୍ଟ ଗଠନ କରି ଏହା ମାଧ୍ୟମରେ ମନ୍ଦିର ନିର୍ମାଣ କାର୍ଯ୍ୟ ତଦାରଖ କରିବାକୁ ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାକୁ ଯାଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଟ୍ରଷ୍ଟ ଗଠନ କରିବା ପ୍ରକ୍ରିୟା ଆରମ୍ଭ କରିଦେଇଛି। ବିବାଦୀୟ ୨.୭୭ ଏକର ଜମିକୁ କେନ୍ଦ୍ର ସରକାରଙ୍କ ଦ୍ବାରା ଗଠିତ ଟ୍ରଷ୍ଟକୁ ହସ୍ତାନ୍ତର କରାଯିବ ବୋଲି ସୁପ୍ରିମ୍‌ କୋର୍ଟ କହିଥିଲେ। ଅପରପକ୍ଷେ, କେନ୍ଦ୍ର ସରକାରଙ୍କ ଦ୍ବାରା ଗଠନ ହେବାକୁ ଥିବା ଏହି ଟ୍ରଷ୍ଟରେ ସାଧୁସନ୍ଥ ଏବଂ ବୁଦ୍ଧିଜୀବୀମାନଙ୍କୁ ସାମିଲ୍‌ କରାଯାଉ ବୋଲି ଅସ୍ଥାୟୀ ରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି। ତେବେ ମନ୍ଦିର ନିର୍ମାଣ ପାଇଁ ଅର୍ଥର ଅଭାବ ପଡ଼ିବ ନାହିଁ। କେବଳ ଟ୍ରଷ୍ଟ୍‌ ଗଠନକୁ ଅପେକ୍ଷା କରାଯାଇଛି ‌ବୋଲି ସତ୍ୟେନ୍ଦ୍ର କହିଛନ୍ତି। ଅଯୋଧ୍ୟା ରାୟ ପ୍ରକାଶ ପାଇବା ପରେ ଉତ୍ତର ପ୍ରଦେଶର ଜଣେ ପୂର୍ବତନ ଆଇପିଏସ୍‌ ଅଧିକାରୀ ତଥା ରାମ ଜନ୍ମଭୂମି ନ୍ୟାସର ସଦସ୍ୟ ଆଚାର୍ଯ୍ୟ କିଶୋର କୁନାଲ୍‌ ମନ୍ଦିର ପାଇଁ ୧୦ କୋଟି ଟଙ୍କା‌ ଦାନ କରିଛନ୍ତି। ମନ୍ଦିର ପାଇଁ ଆର୍ଥିକ ସହାୟତାର ସୁଅ ଛୁଟିଛି ବୋଲି ମୁଖ୍ୟ ପୂଜକ ସତ୍ୟେନ୍ଦ୍ର ସୂଚନା ଦେଇଛନ୍ତି। ଅପରପକ୍ଷେ, ଅଯୋଧ୍ୟା ଖୁବ୍‌ ଶୀଘ୍ର ଦେଶର ଏକ ପ୍ରମୁଖ ଧାର୍ମିକ ପର୍ଯ୍ୟଟନ ସ୍ଥଳ ଏବଂ ସ୍ମାର୍ଟ‌୍ ସିଟି ହେବାକୁ ଯାଉଛି ବୋଲି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଘୋଷଣା କରିଛନ୍ତି।

ନୂଆଦିଲ୍ଲୀ: ଅଯୋଧ୍ୟା ରାୟ ପ୍ରକାଶ ପାଇବା ପରେ ଏହା ଉପରେ ପୁନଃ ଆବେଦନ କରାଯିବ କି ନାହିଁ ସେ ସମ୍ପର୍କରେ ନଭେମ୍ବର ୧୭ରେ ଅଲ୍‌ ଇଣ୍ଡିଆ ମୁସ୍‌ଲିମ୍‌ ପର୍ସନାଲ୍‌ ଲ ବୋର୍ଡ (ଏଆଇଏମ୍‌ପିଏଲ୍‌ବି) ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଅଯୋଧ୍ୟାର ବିବାଦୀୟ ଜମି ଉପରେ ମନ୍ଦିର ନିର୍ମାଣ କରିବାକୁ ସୁପ୍ରିମ୍‌ କୋର୍ଟ ରାୟ ଶୁଣାଇବା ପରେ ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ବିବାଦୀୟ ଜମିରେ ରାମ ମନ୍ଦିର ନିର୍ମାଣ ହେବା ସହିତ ସୁନ୍ନି ୱାକଫ ବୋର୍ଡକୁ ଅଯୋଧ୍ୟାର ଅନ୍ୟ ସ୍ଥାନରେ ୫ ଏକର ଜମି ଯୋଗାଇ ଦେବାକୁ ସୁପ୍ରିମ୍‌ କୋର୍ଟ‌୍ ନିର୍ଦ୍ଦେଶ ଦେଇଥିଲେ। ତେବେ ସୁପ୍ରିମ୍‌ କୋର୍ଟଙ୍କ ଏହି ରାୟର ପୁନର୍ବିଚାର ପାଇଁ ରିଭ୍ୟୁ ପିଟିସନ୍‌ କରାଯିବ କି ନାହିଁ ସେ ସମ୍ପର୍କରେ ଆସନ୍ତା ୧୭ ତାରିଖରେ ନିଷ୍ପତ୍ତି ନିଆଯିବ ବୋଲି ଏଆଇଏମ୍‌ପିଏଲ୍‌ବିର ବରିଷ୍ଠ ଆଇନଜୀବୀ ଜାଫରୢାବ୍‌ ଜିଲାନି କହିଛନ୍ତି।

ସମ୍ବନ୍ଧିତ ଖବର