ଦ୍ରୁତ ଗତିରେ ଆଗେଇ ଚାଲିଛି ଶ୍ରୀରାମ ମନ୍ଦିର ପାଇଁ ପଥର ଖୋଦେଇ

ଅଯୋଧ୍ୟା: ‘ଶ୍ରୀରାମ ଜନ୍ମଭୂମି ନ୍ୟାସ କାର୍ଯ୍ୟାଳୟରେ’ରେ ଏବେ କାରିଗରମାନଙ୍କୁ ଫୁରସତ୍‌ ନାହିଁ। ଅହରହଃ କାମ ଚାଲିଛି। ସେଠାରେ ଗଦା ହୋଇଛି ଖୋଦେଇ କରାଯାଇଥିବା ଅନେକ ପଥର ସ୍ତମ୍ଭ, ସିଲିଙ୍ଗ୍‌ ଟାଇଲ୍‌, ଚଟାଣ ଓ ପାହଚ ପଥର। ସବୁଗୁଡ଼ିକ ତିଆରି ହୋଇଛି ଗୋଲାପୀ ବଉଳମାଳି ପଥରରେ। ଠାଏ ଗଦା ହୋଇଥିବା ବିଶାଳ କାଠ ଓ ପଥର ଖଣ୍ଡ ସବୁ ଖୋଦେଇ କରୁଛନ୍ତି କାରିଗରମାନେ। ସେମାନଙ୍କ ଚାରିପଟେ ରହିଛି ଖୋଦେଇ ହୋଇଥିବା ଉଚ୍ଚା ଉଚ୍ଚା ପଥର ଖମ୍ବମାନ। ରାମଭକ୍ତମାନେ ଶ୍ରୀରାମ ବୋଲି ଲେଖାଯାଇଥିବା ଏକ ଇଟା ପାଚେରି ନିକଟରେ ଗହଳି କରୁଛନ୍ତି।

ବିବାଦୀୟ ରାମ ଜନ୍ମଭୂମୀ-ବାବ୍‌ରି ମସ୍‌ଜିଦ୍‌ ବିବାଦ ସ୍ଥଳ ଠାରୁ ମନ୍ଦିର କାମ ଚାଲିଥିବା ଖଳାର ଦୂରତା ମାତ୍ର ତିନି କିଲୋମିଟର।

ମନ୍ଦିର ତିଆରି ପାଇଁ ୬୭% କାର୍ଯ୍ୟ ସରିଲାଣି। ଏସବୁକୁ ଖଞ୍ଜି ଦେଲେ ଶ୍ରୀରାମ ଜନ୍ମଭୂମି ମନ୍ଦିରର ପ୍ରଥମ ମହଲା ତିଆରି ହୋଇଯିବ। ଏକଥା କହିଛନ୍ତି ମନ୍ଦିର ଓ୍ଵାର୍କସପ୍‌ ଚଳାଉଥିବା ବିଶ୍ୱ ହିନ୍ଦୁ ପରିଷଦ୍‌ର ମୁଖପାତ୍ର ଶରଦ ଶର୍ମା।

ଓ୍ଵାର୍କସପ୍‌ରେ ଅଛି ଦୁଇଟି ବିରାଟ ପଥରକଟା ଯନ୍ତ୍ର। ପଥର ଖୋଦେଇ କାରିଗରମାନଙ୍କ ପାଇଁ ସେଠାରେ ଏକ ଛାଉଣି କରାଯାଇଛି। ମଝିରେ ରଖା ଯାଇଛି ପ୍ରସ୍ତାବିତ ମନ୍ଦିରର ଏକ କାଠ ମଡେଲ୍‌। ଗୋଟିଏ ପଟକୁ ଅଛି ଓ୍ଵାର୍କସପ୍‌ର କର୍ମଚାରୀ ଏବଂ କାରିଗରମାନଙ୍କ ରହିବା ନିମନ୍ତେ କ୍ୱାର୍ଟର୍ସ। ନଭେମ୍ବର ୧୦, ୧୯୮୯ରେ ମନ୍ଦିର ତିଆରି କରାଯିବା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପିତ ହୋଇଥିଲା। ୧୯୯୨ ମସିହାରେ ଓ୍ଵାର୍କସପ୍‌ ଆରମ୍ଭ ହୋଇ ପଥର ଆସିଥିଲା। ୧୯୯୨ରେ ମଧ୍ୟ ପଥର ଖୋଦେଇ ଆରମ୍ଭ ହୋଇଥିଲା। କିନ୍ତୁ ୧୯୯୭ ଠାରୁ କାମ ମନ୍ଥର ହୋଇ ଯାଇଥିଲା। କାରଣ ଅଦାଲତ୍‌ରେ ମାମଲା ପଡ଼ି ରହିଲା।

ଏ ବର୍ଷ ମାର୍ଚ ମାସରେ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ପରେ ପୁଣି କାମର ବେଗ ବଢ଼ିଲା। ଅଗଷ୍ଟରୁ ନଭେମ୍ବର ମାସ ମଧ୍ୟରେ ୨୦ ଟ୍ରକ୍‌ ପଥର ଆସିଛି। ତାହା ୪୦୦୦ ଘନ ଫୁଟ୍‌ ହେବ।

ଗୁଜୁରାଟର ଅହମଦାବାଦରୁ ଆସିଥିବା ୫୦ ବର୍ଷିୟ କାରିଗର କହନ୍ତି: ତିନି ବର୍ଷ ହେବ ମୁଁ ଓ୍ଵାର୍କସପ୍‌ରେ ରହିଛି। ଦୈନିକ ୪୦୦ ଟଙ୍କା ମଜୁରି ପାଉଛି। ପଛରେ ଥିବା କ୍ୱାର୍ଟର୍ସରେ ରହୁଛି। ସମସ୍ତ ପ୍ରକାର ଖୋଦେଇ କାର୍ଯ୍ୟ ହାତରେ ହିଁ କରାଯାଉଛି।

ମନ୍ଦିରର ସ୍ଥପତି ହେଉଛନ୍ତି ଅହମଦାବାଦର ଚନ୍ଦ୍ରକାନ୍ତ ଭାଇ ସୋମ୍ପୁରା। ତାଙ୍କର ଜେଜେବାପା ଗୁଜୁରାଟସ୍ଥିତ ସୋମନାଥ ମନ୍ଦିରର ନିର୍ମାତା। ପଥର ଖୋଦେଇ ସରିବାକୁ ଆହୁରି ବର୍ଷେ ଦେଢ଼ ବର୍ଷ ଲାଗିପାରେ। ମନ୍ଦିରର ନିଅଁ ପକାଇବାକୁ ଅତି କମ୍‌ରେ ଛଅ ମାସ ଲାଗିବ।

ମନ୍ଦିର ତିଆରି ପାଇଁ ପ୍ରଥମେ ୫. ୩୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଏବେ ତାହା ଚାରିଗୁଣ ହୋଇଗଲାଣି।

ସମ୍ବନ୍ଧିତ ଖବର