ରାମ ମନ୍ଦିର ରାଜନୀତି, ଦିଲ୍ଲୀରେ ସନ୍ଥ ସମ୍ମିଳନୀ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ଦାବି ନେଇ ଦିଲ୍ଲୀରେ ସାଧୁ ସନ୍ଥ ସମାଜର ଦୁଇ ଦିନିଆ ସମ୍ମିଳନୀ ଆଜିଠାରୁ ଆରମ୍ଭ ହୋଇଛି। ଆଜି ପ୍ରଥମ ଦିବସରେ ୧ ହଜାରରୁ ଊର୍ଦ୍ଧ୍ବ ସାଧୁ ସନ୍ନ୍ୟାସୀଙ୍କ ସମାଗମ ହୋଇଥିବା ବେଳେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ରାସ୍ତାରେ ସବୁ ପ୍ରତିବନ୍ଧକ ଦୂର କରିବାକୁ ପଦକ୍ଷେପ ନିଆଯିବ ବୋଲି ଘୋଷଣା କରାଯାଇଛି। କେନ୍ଦ୍ର ସରକାର ଅଧ୍ୟାଦେଶ ବଳରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ପଦକ୍ଷେପ ଗ୍ରହଣ ନକଲେ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ ହେବ ବୋଲି ଚେତାବନୀ ଦିଆଯାଇଛି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ୩୦ ବର୍ଷ ଧରି ଆନ୍ଦୋଳନ ଚାଲିଛି ଏବଂ ଏହାକୁ କୌଣସି ସରକାର ଅଣଦେଖା କରିପାରିବେ ନାହିଁ ବୋଲି ସନ୍ଥ ସମାଜ ପକ୍ଷରୁ କୁହାଯାଇଛି। ଆସନ୍ତାକାଲି ସନ୍ଥ ସମାଜର ନିଷ୍ପତ୍ତି ସମ୍ପର୍କରେ ସରକାରଙ୍କୁ ଜଣାଇ ଦିଆଯିବ।

ଅଯୋଧ୍ୟା‌ରେ ହେବ ଶ୍ରୀରାମଙ୍କ ବିଶାଳ ପ୍ରତିମା, ଆଦିତ୍ୟନାଥ କରିବେ ଘୋଷଣା!

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ମାହୋଲ ସରଗରମ ହୋଇଥିବା ବେଳେ ଏବେ ଭଗବାନ ଶ୍ରୀରାମଙ୍କ ବିଶାଳ ପ୍ରତିମା ନିର୍ମାଣ ହେବ ବୋଲି ଚର୍ଚ୍ଚା ହେଉଛି। ଦୀପାବଳି ପୂର୍ବରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମଙ୍କ ପ୍ରତିମା ନିର୍ମାଣ ସମ୍ପର୍କ‌ରେ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ସୂଚନା ମୁତାବକ ୟୁପିର ସରାୟୁ ନଦୀ ତଟରେ ଭଗବାନ ରାମଙ୍କ ସୁଉଚ୍ଚ ପ୍ରତିମା ନିର୍ମାଣ ପାଇଁ ଯୋଜନା କରାଯାଉଛି। ସମ୍ଭବତଃ ଏହି ପ୍ରତିମା ନ୍ୟୁୟର୍କରେ ଥିବା ଷ୍ଟାଚ୍ୟୁ ଅଫ୍‌ ଲିବର୍ଟିଠାରୁ ଆହୁରି ଅଧିକ ଉଚ୍ଚ ହେବ ବୋଲି ଆଶା କରାଯାଉଛି। ଏହି ପ୍ରସ୍ତାବିତ ପ୍ରତିମାର ଉଚ୍ଚତା ୧୫୧ ମିଟର ହେବ ଏବଂ ଏହା ବିଶ୍ବର ତୃତୀୟ ସର୍ବୋଚ୍ଚ ପ୍ରତିମୂର୍ତ୍ତି ହେବ। ଏହାର ନିର୍ମାଣ ନିମନ୍ତେ ୪୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ୟୁପିର ଭାଜପା ଅଧ୍ୟକ୍ଷ ମହେନ୍ଦ୍ରନାଥ ପାଣ୍ଡେ ଏ ନେଇ ସ‌ଂକେତ ଦେଇଥିଲେ। ତେଣୁ ଅଯୋଧ୍ୟା ବାବଦରେ ୟୁପି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଦୀପାବଳି ସୁଦ୍ଧା ସୁସମ୍ବାଦ ଦେଇପାରନ୍ତି ବୋଲି ସେ କହିଥିଲେ। ତାଙ୍କ କହିବାନୁଯାୟୀ ରାମଙ୍କ ପ୍ରତିମା ନିର୍ମାଣ ନିମନ୍ତେ କର୍ପୋରେଟ୍‌ କ୍ଷେତ୍ରଠାରୁ ପାଣ୍ଠି ସଂଗ୍ରହ କରାଯିବ।

ଅଧ୍ୟାଦେଶ ପାଇଁ ପ୍ରବଳ ଦାବି ଉଠୁଛି: ବିଜେପି
ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅଧ୍ୟାଦେଶ ଆଣିବାକୁ ପ୍ରବଳ ଦାବି ଉଠୁଛି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସ୍‌ଏସ୍‌) ଏବଂ ସନ୍ଥ ସମାଜ ଏହି ପ୍ରସଙ୍ଗରେ ଜୋର୍‌ଦାର ଦାବି ଉପସ୍ଥାପନ କରିଛି ବୋଲି ବିଜେପି ସାଧାରଣ ସଂପାଦକ ରାମ ମାଧବ ଆଜି କହିଛନ୍ତି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆବଶ୍ୟକ ହେଲେ ୧୯୯୨ ଭଳି ଆନ୍ଦୋଳନ ଆରମ୍ଭ କରିବାକୁ ଗତକାଲି ଆରଏସ୍‌ଏସ୍‌ ନେତା ଭୈୟାଜୀ ଯୋଶୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ମାଧବ କହିଛନ୍ତି ଯେ ମନ୍ଦିର ପାଇଁ ସବୁ ମହଲରେ ଦାବି ଜୋର୍‌ ଧରିଛି । ଆର୍‌ଏସ୍‌ଏସ୍‌ ଏବଂ ସାଧୁ ସନ୍ଥ ସମାଜ ତୁରନ୍ତ ଅଧ୍ୟାଦେଶ ଆଣିବା ପାଇଁ ଦାବି କରିଛନ୍ତି। ମନ୍ଦିର ନିର୍ମାଣ ନେଇ ଆରଏସ୍‌ଏସ୍‌ କାହା ସହିତ ମୁହାଁମୁହିଁ ହେବାକୁ ଚାହୁନାହିଁ ଏବଂ ଶାନ୍ତିପୂର୍ଣ୍ଣ ଭାବେ ଏହି କାର୍ଯ୍ୟ କରିବାକୁ ଅଧ୍ୟାଦେଶ ଉପରେ ଗୁରୁତ୍ବ ଦେଇଛି ବୋଲି ବୋଲି ସେ କହିଛନ୍ତି। ମନ୍ଦିର ନିର୍ମାଣ ପାଇଁ ଅଧ୍ୟାଦେଶ ଅଣାଯିବ କି ବୋଲି ପ୍ରଶ୍ନରେ ରାମ ମାଧବ କହିଥିଲେ ଯେ ଅଧ୍ୟାଦେଶ ସର୍ବଦା ଏକ ବିକଳ୍ପ ଭାବେ ରହିଛି। ସୁପ୍ରିମ୍‌ କୋର୍ଟ ଏ ଦିଗରେ ଶୀଘ୍ର ଶୁଣାଣି କରିବେ ବୋଲି ଆଶା ରହିଛି। ତେବେ ଏହି ମାମଲାରେ ହିନ୍ଦୁ ସଂପ୍ରଦାୟରେ ଉଦ୍‌ବିଗ୍ନତା ବଢ଼ିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର