ବିଧାନସଭାରେ ରମଣଙ୍କ ତନ୍ତ୍ରପୂଜା

ରାୟପୁର: ଛତିଶଗଡ଼ରେ ବିଜେପି ଚତୁର୍ଥ ଥର ପାଇଁ ସରକାର ଗଠନ କରିବାକୁ ଏବେ ତନ୍ତ୍ରମନ୍ତ୍ରର ସାହାରା ନେଇଛି। ମୁଖ୍ୟମନ୍ତ୍ରୀ ଡ. ରମଣସିଂହ ଜଣେ ତାନ୍ତ୍ରିକଙ୍କୁ ବୁଧବାର ବିଧାନସଭାକୁ ଡକାଇ ତନ୍ତ୍ରପୂଜା କରିବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ପୂଜା କରିବା ପରେ ତାନ୍ତ୍ରିକ ରାମଲାଲ କଶ୍ୟାପ ଗଣମାଧ୍ୟମକୁ କହିଛନ୍ତି ଯେ ସେ ଏବେ ବିଧାନସଭାକୁ ତନ୍ତ୍ର ବଳରେ ବାନ୍ଧି ଦେଇଛନ୍ତି ଏବଂ ରାଜ୍ୟରେ ବିଜେପି ପୁଣି ଥରେ ସରକାର ଗଠନ କରିବ। ତାନ୍ତ୍ରିକ ଜଣକ ଗେରୁଆ ବସ୍ତ୍ର ପିନ୍ଧିଥିବା ବେଳେ ମୁଣ୍ଡରେ ଲାଲ ରଂଗ ବୋଳିଥିଲେ। ତାଙ୍କ ଗଳରେ ୧୧ କିଲୋ ଓନର ବିଭିନ୍ନା ମାଳା ଥିବା ଦେଖିବାକୁ ମିଳିଥିଲା। ତାନ୍ତ୍ରିକ ବାବା ରାମଲାଲଙ୍କୁ ବାମଗଡ଼ର ବିଧାୟକ ଅଂବେଶ ଜାଗଡ଼େ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ବିଧାନସଭାକୁ ଆଣିଥିଲେ। ପୂଜାପାଠ ପରେ ତାନ୍ତ୍ରିକ ବିଧାନସଭା ପରିସରରୁ ମାଟି ନେବା ସହ ପବିତ୍ର ଅମରନାଥ ପୀଠର ମାଟିକୁ ମିଶାଇ ପୂଜା କରି ନଦୀରେ ପ୍ରବାହିତ କରିବେ ବୋଲି କହିଥିଲେ। ତେବେ ସରକାରଙ୍କ ପକ୍ଷରୁ ବିଧାନସଭାରେ ଏଭଳି ତନ୍ତ୍ରପୂଜାକୁ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ଜୋର୍‌୍‌ଦାର ବିରୋଧ କରିଛନ୍ତି। ବିଜେପି ବିକାଶର ରାଜନୀତିରୁ ହଟିଯାଇ ଏବେ ତନ୍ତ୍ରମନ୍ତ୍ରର ଆଶ୍ରୟରେ ନିର୍ବାଚନ ବୈତରଣୀ ପାର୍‌ ହେବାକୁ ଲକ୍ଷ୍ୟ ରଖିଛି ବୋଲି ବିରୋଧୀ ଦଳ ନେତାମାନେ କହିଛନ୍ତି। ସେହିଭଳି ଗତ ଏପ୍ରିଲ ମାସରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସରକାର ରାଜନୈତିକ ଉଦ୍ଦେଶ୍ୟରେ ୫ ଜଣ ବାବାଙ୍କୁ କ୍ୟାବିନେଟ ପାହ୍ୟା ପ୍ରଦାନ କରିବା ପରେ ସାରା ଦେଶରେ ଏହା ଚର୍ଚ୍ଚା ସୃଷ୍ଟି କରିଥିଲା। ଏହି ବାବାମାନଙ୍କର ବେଶ୍‌ ସମର୍ଥକ ରହିଥିବା ବେଳେ ଏମାନେ ତନ୍ତ୍ରମନ୍ତ୍ରରେ ମଧ୍ୟ ପାରଙ୍ଗମ ଥିଲେ। ତେଣୁ ଭୋଟରଙ୍କୁ ହାତେଇବା ଓ ତନ୍ତ୍ରମନ୍ତ୍ରର ପ୍ରୟାଗ କରି ରାଜନୀତିରେ ନିଜର ସ୍ଥିତି ଜାହିର ରହିବାକୁ ମୁଖ୍ୟମନ୍ତ୍ରୀ ଚୌହାନ ଏଭଳି ନିଷ୍ପତ୍ତି ନେଇଥିଲେ ବୋଲି ଚର୍ଚ୍ଚା ହୋଇଥିଲା।

୨୦୧୪ ମସିହାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ରାଜ୍ୟ ଓ ଜାତୀୟ ରାଜନୀତିରେ ତାଙ୍କର ପ୍ରଭାବ କାଏମ ରଖିବାପାଇଁ ଜଣେ ତାନ୍ତ୍ରିକଙ୍କୁ ଭେଟି ତାଙ୍କଠାରୁ ଆଶୀର୍ବାଦ ନେଇଥିଲେ। ଆଲୋଚନା ସମୟରେ ଉକ୍ତ ବାବା ନୀତୀଶ କୁମାରଙ୍କୁ ଆଲିଙ୍ଗନ ଓ ଚୁମ୍ବନ କରୁଥିବାର ଦୃଶ୍ୟ ଭାଇରାଲ ହେବା ପରେ ଏହା ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଥିଲା।

ସମ୍ବନ୍ଧିତ ଖବର