ବିହାର ଆଶ୍ରୟସ୍ଥଳ ନାବାଳିକାଙ୍କ କାହାଣୀ, ଶରୀରକୁ କ୍ଷତାକ୍ତ କରୁଥିଲେ

ପାଟନା: ବିହାର ମୁଜାଫରପୁର ଆଶ୍ରୟସ୍ଥଳରୁ ଉଦ୍ଧାର କରାଯାଇ ଏବେ ପୀଡ଼ିତା ନାବାଳିକାମାନଙ୍କୁ ପାଟନା ଓ ମଧୁବନି ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ଏବେ ଏକ ସ୍ୱତନ୍ତ୍ର ଡାକ୍ତର ଦଳ ସେମାନଙ୍କର ଚିକିତ୍ସା କରୁଛନ୍ତି। ତେବେ ଅଧିକାଂଶ ନାବାଳିକାଙ୍କ ଶରୀରରେ କ୍ଷତଚିହ୍ନ ଦେଖି ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଅନ୍ୟପକ୍ଷରେ ନାବାଳିକାମାନେ ଏହି କ୍ଷତଚିହ୍ନ ପଛରେ ଥିବା ଲୋମଟାଙ୍କୁରା ଘଟଣା ସମ୍ପର୍କରେ କହିଛନ୍ତି। ଦୁର୍ବୃତ୍ତମାନେ ଏଭଳି କାଣ୍ଡ କରିଥିବା ପ୍ରଥମେ ସନ୍ଦେହ କରାଯାଉଥିଲା। କିନ୍ତୁ ନାବାଳିକାମାନେ ନିଜେ ଏଭଳି କରିଥିବା ଜଣାଇଛନ୍ତି। ସେମାନେ ଦର୍ଶାଇଛନ୍ତି ଯେ ନିୟମିତ ବ୍ୟବଧାନରେ ସେମାନଙ୍କୁ ବାରମ୍ବାର ଦୁଷ୍କର୍ମ କରାଯାଉଥିଲା। ଦେହ ଖରାପ ଥିଲେ ବି କୌଣସି ଦୟାଭାବ ଦେଖାଯାଉ ନ ଥିଲା। ତେଣୁ ଦୁଷ୍କର୍ମକୁ ଏଡ଼ାଇବା ପାଇଁ ସେମାନେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି କରି ଏହାକୁ ଜାଣିଶୁଣି ବିକୃତ କରୁଥିଲେ। ଏହି କ୍ଷତ ଦେଖିବା ପରେ ଯୌନ ରାକ୍ଷସମାନେ ସେମାନଙ୍କୁ ଛାଡ଼ି ଦେଉଥିଲେ। ଯନ୍ତ୍ରଣା ଅସହ୍ୟ ହେଉଥିଲେ ହେଁ, ଦୁଷ୍କର୍ମ ଭଳି ଘୃଣ୍ୟ କାର୍ଯ୍ୟର ଶିକାର ହେବା ଅପେକ୍ଷା କ୍ଷତାକ୍ତ ହୋଇ ନିଜକୁ ବଞ୍ଚାଇବା ଶ୍ରେୟସ୍କର ବୋଲି ସେମାନେ ଭାବିଥିଲେ। ୭-୧୮ ବର୍ଷ ବୟସର ଏହି ନିରୀହ ବାଳିକାମାନଙ୍କ ମଧ୍ୟରୁ ଅଧିକାଂଶ କହିବାକୁ ଅସମର୍ଥ। କିନ୍ତୁ ଏମାନଙ୍କ ଉପରେ କୌଣସି ପ୍ରକାର ଦୟାଭାବ ପ୍ରଦର୍ଶନ କରାଯାଉ ନ ଥିଲା। ସେମାନେ ଅଭିଯୋଗ କରିଛନ୍ତି ଯେ ଆଶ୍ରୟସ୍ଥଳର ଅଧିକାରୀ ଓ କର୍ମଚାରୀମାନେ ସେମାନଙ୍କୁ ଖାଦ୍ୟରେ ଏକପ୍ରକାର ନିଶା ମିଶାଇ ଦେଉଥିଲେ। ସେମାନେ ଏହାକୁ ଖାଇ ନିଦ୍ରା ଯିବା ପରେ ଦୁର୍ବୃତ୍ତମାନେ ସେମାନଙ୍କୁ ସମ୍ପୂର୍ଣ୍ଣ ଉଲଗ୍ନ କରିଦେଉଥିଲେ। ଏଥିରେ ସାମାନ୍ୟତମ ବାରଣ କଲେ ସେମାନେ ନିର୍ଦୟ ଭାବେ ପିଟୁଥିଲେ। ଶନିବାର ଆସିଥିବା ଡାକ୍ତରୀ ରିପୋର୍ଟ ମୁତାବକ ଆଶ୍ରୟସ୍ଥଳର ୩୪ ନାବାଳିକାଙ୍କୁ ଏଭଳି ଭାବେ ଅତ୍ୟାଚାର କରାଯାଇ ଦୁଷ୍କର୍ମ କରାଯାଇଛି। ଜଣେ ନାବାଳିକାଙ୍କ କହିବାନୁସାରେ ତାଙ୍କୁ ଦିନେ ରାତିରେ ଖାଦ୍ୟରେ ନିଶା ମିଶାଇ ଦିଆଯାଇଥିଲା। ଏହି ନିଶାକୁ ସେମାନେ ‘କୀଡ଼େ କୀ ଦଓ୍ଵାଇ’ ବୋଲି କହୁଥିଲେ। ଏହାପରେ ଆଶ୍ରୟସ୍ଥଳର ମହିଳାମାନେ ତାଙ୍କୁ ବ୍ରଜେଶ୍‌ ସାର୍‌ (ଆଶ୍ରୟସ୍ଥଳ ଚଳାଉଥିବା ଏନ୍‌ଜିଓର ମୁଖ୍ୟ)ଙ୍କ ରୁମ୍‌କୁ ଯାଇ ଶୋଇବାକୁ କହୁଥିଲେ। ନିଶାମିଶା ଖାଦ୍ୟ ପ୍ରତ୍ୟାଖ୍ୟାନ କଲେ ପେଟକୁ ଗୋଇଠା ମରାଯାଉଥିଲା। ବ୍ରଜେଶ ସେମାନଙ୍କୁ ନିଜ କାର୍ଯ୍ୟାଳୟକୁ ନେଇ ଶରୀରର ବିଭିନ୍ନ ଅଂଶକୁ ଖଣ୍ଡିଆ କରୁଥିଲେ। ବେଳେବେଳେ ସେମାନଙ୍କ ଉପରକୁ ଗରମ ପାଣି ମଧ୍ୟ ଫିଙ୍ଗାଯାଉଥିଲା। ବ୍ରଜେଶ୍‌ ସମେତ ଆଶ୍ରୟସ୍ଥଳର ୯ ଜଣ ସଦସ୍ୟ ଏବେ ହାଜତରେ ଅଛନ୍ତି। କୋର୍ଟରେ ସେମାନଙ୍କ ବିରୋଧରେ ଶୁଣାଣି ଆରମ୍ଭ ହୋଇଛି।

ଖାଦ୍ୟରେ ନିଶାଦେଇ ଦୁଷ୍କର୍ମ କରୁଥିଲେ ଦୁର୍ବୃତ୍ତ
ବିରୋଧ କଲେ ଗୋଇଠା ମାରୁଥିଲେ, ଗରମ ପାଣି ଫିଙ୍ଗୁଥିଲେ
ବ୍ରଜେଶ୍‌ ଠାକୁର ଥିଲା ମୁଖ୍ୟ ଖଳନାୟକ

ସିବିଆଇକୁ ତଦନ୍ତ ଦାୟିତ୍ୱ
ନୂଆଦିଲ୍ଲୀ: ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବା ବିହାର ମୁଜାଫରପୁର ଆଶ୍ରୟ ସ୍ଥଳ ନାବାଳିକା ଦୁଷ୍କର୍ମ ମାମଲାର ତଦନ୍ତ ଭାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ହସ୍ତାନ୍ତର କରାଯାଇଛି। ନର୍କଠାରୁ ଭୟଙ୍କର ସ୍ଥାନ ପାଲଟିଥିବା ଏହି ଆଶ୍ରୟସ୍ଥଳରେ କିଭଳି ନାବାଳିକାଙ୍କୁ ଯୌନ ରାକ୍ଷସମାନେ ଅତ୍ୟାଚାର କରିଥିଲେ ଏବଂ କେଉଁମାନେ ଏଥିରେ ସମ୍ପୃକ୍ତ ତାହା ଖୋଳତାଡ଼ କରିବ ସିବିଆଇ। ଅନ୍ୟପକ୍ଷରେ ଆଶ୍ରୟସ୍ଥଳର ଅଧିକାରୀ ଏବଂ କର୍ମଚାରୀଙ୍କ ବିରୋଧରେ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଛି। ଏହି ମାମଲାକୁ ଆଧାର କରି ତଦନ୍ତ କରାଯିବ ବୋଲି ରବିବାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସିବିଆଇର ଜଣେ ଅଧିକାରୀ କହିଛନ୍ତି, ନାବାଳିକାଙ୍କ ଉପରେ ବର୍ବରୋଚିତ ଅତ୍ୟାଚାର ସଂକ୍ରାନ୍ତ ରିପୋର୍ଟକୁ ଭିତ୍ତିକରି ବିହାର ସାମାଜିକ ଉନ୍ନୟନ ବିଭାଗ ପକ୍ଷରୁ ଏକ ଏତଲା ଦାଏର କରାଯାଇଥିଲା। ଫଳରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା। ରିପୋର୍ଟ ଦର୍ଶାଇଥିଲା ଯେ ଆଶ୍ରୟସ୍ଥଳର ନାବାଳିକାମାନଙ୍କୁ ଦୁଷ୍କର୍ମ କରାଯିବା ସହିତ ସେମାନଙ୍କୁ ଅନାହାର ରଖାଯାଇ ଚେଂକ ଦିଆଯାଇଛି। ଏହାପରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ମଧ୍ୟ ଗଠନ କରାଯାଇ ଖୋଳତାଡ଼ କରାଯାଇଥିଲା। ତେବେ ଇତିମଧ୍ୟରେ ଆଶ୍ରୟସ୍ଥଳକୁ ଚଳାଉଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ କଳା ତାଲିକାଭୁକ୍ତ ହୋଇଥିବା ବେଳେ ନାବାଳିକାମାନଙ୍କୁ ପାଟନା ଓ ମଧୁବନିସ୍ଥିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର