ଦୁଷ୍କର୍ମ ପରେ ଅନାହାର, ନିଅାଁ ଚେଙ୍କ

ମୁଜାଫରପୁର ଆଶ୍ରୟସ୍ଥଳ ଦୁଷ୍କର୍ମ ମାମଲା

ପାଟନା: ବିହାର ମୁଜାଫରପୁର ଆଶ୍ରୟ ସ୍ଥଳ ନାବାଳିକା ଦୁଷ୍କର୍ମ ଘଟଣାରେ ପୁଲିସକୁ ଅନେକ ହୃଦୟ ବିଦାରକ ତଥ୍ୟ ହସ୍ତଗତ ହୋଇଛି। ଆଶ୍ରୟସ୍ଥଳରେ ନାବାଳିକାଙ୍କୁ କେବଳ ଦୁଷ୍କର୍ମ କରାଯାଉ ନ ଥିଲା। ସେମାନଙ୍କ ଉପରେ ଅନେକ ବର୍ବରୋଚିତ ଅତ୍ୟାଚାର କରାଯାଉଥିଲା। ଦୀର୍ଘଦିନ ଧରି ଉପାସରେ ରଖାଯାଇ ବାରମ୍ବାର ଦୁଷ୍କର୍ମ କରାଯାଉଥିଲା। ପ୍ରତିବାଦ କଲେ ଦୁର୍ବୃତ୍ତମାନେ ନିଅାଁଚେଂକ ଦେଉଥିଲେ। ଫଳରେ ଆଶ୍ରୟସ୍ଥଳଟି ନର୍କ ପାଲଟି ଯାଇଥିଲା। ଯୌନ ରାକ୍ଷସମାନେ ସମସ୍ତ ବର୍ବରତାର ସୀମା ଟପିଯାଇଥିଲେ। ଏହି ଛାତିଥରା ଘଟଣା ଏବେ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ପୀଡ଼ିତା ନାବାଳିକାମାନଙ୍କୁ ଏବେ ଉକ୍ତ ମରଣଯନ୍ତାରୁ ଉଦ୍ଧାର କରାଯାଇ ମୋକାମା ନଜରେଥ୍‌ ଏକାଡେମିର ଏକ କ୍ଷୁଦ୍ର ଆଶ୍ରୟ ସ୍ଥଳରେ ରଖାଯାଇଛି। ତେବେ ବିହାର ରାଜ୍ୟ ମହିଳା କମିସନ୍‌ ସଦସ୍ୟମାନେ ଏବେ ନାବାଳିକାମାନଙ୍କୁ ଭେଟି ସେମାନଙ୍କ ସହ କଥା ହୋଇଛନ୍ତି। ନାବାଳିକାଙ୍କ ମାନସିକ ସ୍ଥିତି ଆଦୌ ଠିକ୍‌ ନ ଥିବା ଜାଣିବାକୁ ମିଳିଛି। ସେମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରାଯାଇଥିଲା। ବାରମ୍ବାର ଦୁଷ୍କର୍ମର ଶିକାର ହେଉଥିଲେ। ବିରୋଧ କଲେ ଜୋତାରେ ପିଟାଯାଉଥିଲା। ଅଧିକାଂଶ ସମୟରେ ଖାଇବାକୁ ଦିଆଯାଉ ନଥିଲା। ସେମାନଙ୍କ ଶରୀରରେ ସିଗାରେଟ୍‌ ନିଅାଁ ଚେଙ୍କ ଲଗାଯାଉଥିଲା। ଆଶ୍ରୟସ୍ଥଳର ଜଣେ ନାବାଳିକା ବାରମ୍ବାର ଏମିତି ଅତ୍ୟାଚାର ସହି ନପାରି ସାହସର ସହିତ ମୁହଁ ଖୋଲିଥିଲେ ଏବଂ ବିରୋଧ କରିଥିଲେ। କିନ୍ତୁ ଶେଷରେ ତାକୁ ଜୀବନରୁ ମାରି ଦିଆଗଲା ଏବଂ ତା’ ମୃତଦେହକୁ ରାତାରାତି ଅଖାରେ ବାନ୍ଧି ଅନ୍ୟତ୍ର ଫୋପାଡ଼ି ଦିଆଗଲା ବୋଲି ରାଜ୍ୟ ମହିଳା କମିସନ୍‌ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ସମସ୍ତ ନାବାଳିକାଙ୍କୁ ଏବେ ବେଙ୍ଗାଲୁରୁ ଏବଂ ଦିଲ୍ଲୀର ଦୁଇ ଜଣ ବିଶେଷଜ୍ଞ କାଉନସେଲିଂ କରୁଛନ୍ତି। ଜଣେ ନାବାଳିକା ଅତ୍ୟଧିକ ଅତ୍ୟାଚାର ସହିନପାରି ନିଜ ହାତ କାଟି ମରିବାକୁ ଉଦ୍ୟମ କରିଥିଲା। କିନ୍ତୁ ଏବେ ସେ ସୁସ୍ଥ ଅଛି। ସେହିପରି ଅନ୍ୟ ଜଣେ ନାବାଳିକା ସଂଘର୍ଷର ପ୍ରତୀକ ଭାବେ ନିଜ ଭାଇର ନାମ ହାତ କାଟି ଲେଖିଥିଲା। ଭାବିଥିଲା ଭାଇ ଆସି ରକ୍ଷା କରିବ। କିନ୍ତୁ ସେମିତି କିଛି ହୋଇନଥିଲା। ସେମାନଙ୍କ ସବୁ ବିରୋଧ ଏବଂ ସବୁ ସଂଘର୍ଷ ବୃଥା ଯାଇଥିଲା। କେହି ବି ସେମାନଙ୍କୁ ସହଯୋଗ କରିନଥିଲେ। ମଝିରେ ମଝିରେ ସିଡବ୍ଲ୍ୟୁସି (ଶିଶୁ ବିକାଶ କମିଟି) ଏବଂ ଜିଲ୍ଲା ଯାଞ୍ଚ କମିଟି ଆଶ୍ରୟସ୍ଥୟ ବୁଲିବାକୁ ଯାଉଥିଲେ ମଧ୍ୟ ସେ ସମୟରେ ଆଶ୍ରୟସ୍ଥଳ କର୍ମୀ ପାଖେପାଖେ ରହୁଥିବାରୁ ନାବାଳିକାମାନେ ମୁହଁ ବନ୍ଦ ରଖୁଥିଲେ। ହତ୍ୟା ଭୟରେ ସକାରାତ୍ମକ ଉତ୍ତର ଦେଉଥିଲେ।

ଉଲ୍ଲେଖଯୋଗ୍ୟ, ଆଶ୍ରୟସ୍ଥଳ ଅଧିକାରୀଙ୍କ ସମେତ ବିଭିନ୍ନ ସରକାରୀ ଅଧିକାରୀମାନେ ନାବାଳିକାଙ୍କୁ ଦୁଷ୍କର୍ମ କରିଆସୁଥିଲେ। ତେବେ ଆଶ୍ରମରେ ରହୁଥିବା ୪୪ ଜଣ ନାବାଳିକାଙ୍କ ମଧ୍ୟରୁ ୨୯ ଜଣ ଦୁଷ୍କର୍ମର ଶିକାର ହୋଇଥିବା ମେଡିକାଲ ରିପୋର୍ଟରୁ ଜଣାପଡ଼ିଥିଲେ ମଧ୍ୟ ପୁଲିସର ଦାବି ଅନୁଯାୟୀ ୩୪ ଜଣଙ୍କୁ ଦୁଷ୍କର୍ମ କରାଯାଇଛି।

ସମ୍ବନ୍ଧିତ ଖବର