କାଠଗଡ଼ାରେ ମୋଦି ସରକାର : ଦୁଷ୍କର୍ମ ଅଭିଯୁକ୍ତଙ୍କୁ ସୁରକ୍ଷା
ମାନବିକତାକୁ ଦୋହଲାଇଦେଲା ଜମ୍ମୁରେ ନାବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା
ଅଭିଯୁକ୍ତମାନଙ୍କ ସପକ୍ଷରେ ବିଜେପିର ବନ୍ଦ ପାଳନ, ମନ୍ତ୍ରୀ ସାମିଲ
ୟୁପି ଦୁଷ୍କର୍ମ ଅଭିଯୁକ୍ତ ବିଜେପି ବିଧାୟକଙ୍କୁ ଗିରଫ କରୁନି ପୁଲିସ
Sambad is now on WhatsApp
Join and get latest news updates delivered to you via WhatsApp
ନୂଆଦିଲ୍ଲୀ : ଉତ୍ତର ପ୍ରଦେଶରେ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଶାସକ ବିଜେପି ବିଧାୟକଙ୍କୁ ଗିରଫ କରିବା ପରିବର୍ତେ ତାଙ୍କୁ ଯୋଗୀ ଆଦିତ୍ୟନାଥ ସରକାର ଯେଉଁଭଳି ସୁରକ୍ଷା ଦେଇ ଚାଲିଛି ସେଥିରେ କେବଳ ସାଧାରଣ ଜନତା ନୁହନ୍ତି, ହାଇକୋର୍ଟ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ିଲାଣି ବୋଲି ମନ୍ତବ୍ୟ ଦେବା ସହିତ ବିଧାୟକଙ୍କୁ କାହିଁକି ଗିରଫ କରାଯାଉ ନାହିଁ ବୋଲି ଆହ୍ଲାବାଦ ହାଇକୋର୍ଟ ଆଜି ପ୍ରଶ୍ନ କରିଛନ୍ତି। ଏହାକୁ ନେଇ ବିବାଦ ଥମି ନଥିବା ବେଳେ ଜମ୍ମୁର କଠୁଆ ଜିଲ୍ଲାରେ ଜଣେ ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଛି। ଏହି ଅଘଟଣ ଜାନୁଆରୀ ମାସରେ ସଂଘଟିତ ହୋଇଥିଲେ ମଧ୍ୟ ମାମଲାର ଚାର୍ଜସିଟରେ ଯେଉଁ ଲୋମଟାଙ୍କୁରା ତଥ୍ୟ ଦିଆଯାଇଛି ତାହା ମାନବିକତାକୁ ଦୋହଲାଇ ଦେଇଛି।
ତେବେ ସମଗ୍ର ଘଟଣାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିରବତା ଏବଂ ତାଙ୍କ ଦଳ ଓ ମନ୍ତ୍ରୀମାନଙ୍କ ଭୂମିକା ପରିସ୍ଥିତିକୁ ଆହୁରି ବିସ୍ଫୋରକ କରିଦେଇଛି। କାରଣ ଉଭୟ ଘଟଣାରେ ବିଜେପି ନେତା ଓ ମନ୍ତ୍ରୀ ଅଭିଯୁକ୍ତମାନଙ୍କ ସପକ୍ଷରେ ଯୁକ୍ତି ଦର୍ଶାଇ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛନ୍ତି। କଠୁଆ ଘଟଣାରେ ରାଜ୍ୟର ଦୁଇ ଜଣ ବିଜେପି ମନ୍ତ୍ରୀଙ୍କ ସମର୍ଥନରେ ବିଜେପି ନେତା, କେତେକ ସଂଗଠନ ଏବଂ ଅନେକ ଓକିଲ ତଦନ୍ତକୁ ଭଣ୍ଡୁର କରିବାକୁ ଜୋରଦାର ଉଦ୍ୟମ ଚଳାଇଛନ୍ତି। ସେହିଭଳି ଯେଉଁ ସମୟରେ ୟୁପି ଦୁଷ୍କର୍ମ ମାମଲାରେ ଆହ୍ଲାବାଦ ହାଇକୋର୍ଟ ରାଜ୍ୟ ସରକାରଙ୍କ ଆନ୍ତରିକତା ନେଇ ପ୍ରଶ୍ନ ଉଠାଉଥିଲେ, ଠିକ୍ ସେହି ସମୟରେ ମୋଦି ସରକାରର ତିନି ଜଣ ବରିଷ୍ଠ ମନ୍ତ୍ରୀ ୟୁପି ମୁଖ୍ୟମନ୍ତ୍ରୀ ଏବଂ ଅଭିଯୁକ୍ତ ଦଳୀୟ ବିଧାୟକଙ୍କ ସପକ୍ଷରେ ଅଣ୍ଟା ଭିଡ଼ି ଦୃଢ଼ ଯୁକ୍ତି ରଖିଛନ୍ତି। ଏହି ଦୁଇଟି ଘଟଣା ନାରୀ ସୁରକ୍ଷା ଓ ନାରୀ ସମ୍ମାନ ପ୍ରତି ମୋଦି ସରକାରର ଅସଲ ମୁଖାକୁ ପଦାରେ ପକାଇ ଦେଇଛି।
ତେବେ ସବୁଠାରୁ ଲଜ୍ଜାଜନକ ଓ ମାନବିକତାକୁ ଦୋହଲାଇ ଦେବା ଭଳି ଘଟଣା ଘଟିଛି ଜମ୍ମୁ-କଶ୍ମୀରର କଠୁଆରେ। ସେଠାରେ ଜଣେ ୮ ବର୍ଷର ନାବାଳିକାକୁ ଅପହରଣ କରିବା ପରେ ଏକ ମନ୍ଦିର ପରିସରରେ ବନ୍ଦୀ କରାଯାଇ ଦୁଷ୍କର୍ମ କରାଯାଇଥିଲା। ତାକୁ ନିଶା ଦେଇ ଗଣଦୁଷ୍କର୍ମ କରାଯାଇଥିଲା। ଏହାପରେ ପ୍ରମାଣ ନଷ୍ଟ କରିବା ଲାଗି ତାକୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ପୋଲିସ ୮ ଜଣଙ୍କୁ ଗିରଫ କରିଛି। ପୋଲିସ ଗତକାଲି ଚାର୍ଜସିଟ୍ ଦାଖଲ କରିବା ପରେ ମନୁଷ୍ୟ କେତେ ବର୍ବର ହୋଇପାରେ ତାହା ଧରାପଡ଼ିଛି। ଏହି ଘଟଣାରେ ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦେବାଲାଗି ଅଣ୍ଟା ଭିଡ଼ିଛି ରାଜ୍ୟ ବିଜେପି। ଏଥିରେ ରାଜ୍ୟର ଦୁଇ ଜଣ ମନ୍ତ୍ରୀ ମଧ୍ୟ ଅଛନ୍ତି। ଅଭିଯୁକ୍ତକୁ ସମର୍ଥନ ଓ ଦୁଷ୍କର୍ମ ଓ ହତ୍ୟାର ଶିକାର ନାବାଳିକାର ପରିବାର ବିରୋଧରେ ସେମାନେ ଜମ୍ମୁରେ ଆଜି ବନ୍ଦ ପାଳନ କରିଛନ୍ତି। ଏଥିପାଇଁ ହୋଇଥିବା ରାଲିରେ ମଧ୍ୟ ସେମାନେ ସାମିଲ ହୋଇଛନ୍ତି। କେବଳ ସେତିକି ନୁହେଁ ବିଜେପିକୁ ସମର୍ଥନ କରୁଥିବା ଅନେକ ଓକିଲ କୋର୍ଟରେ ଅଭିଯୁକ୍ତମାନଙ୍କୁ ହାଜର କରାଯିବା ସମୟରେ ପୋଲିସକୁ ବାଧା ଦେଇଥିଲେ। ଅଭିଯୁକ୍ତମାନଙ୍କର ଡାକ୍ତରୀ ପରୀକ୍ଷା ଏବଂ ସିବିଆଇ ତଦନ୍ତ ଦାବିରେ ସେମାନେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲେ। ତେବେ ଅଧିକ ପୋଲିସ ଫୋର୍ସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଏହାକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।
ଏହି ଘଟଣାରେ କେବଳ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଭିକେ ସିଂହଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବିଜେପି ନେତା କିମ୍ବା ମନ୍ତ୍ରୀ ମୁହଁ ଖୋଲୁ ନାହାନ୍ତି। ଆଜି ଟୁଇଟ କରି ଜେନେରାଲ ଭିକେ ସିଂହ ଘଟଣାର ନିନ୍ଦା କରିବା ସହିତ ନାବାଳିକାକୁ ସୁରକ୍ଷା ଦେବାରେ ଶାସନ ବ୍ୟବସ୍ଥା ବିଫଳ ହୋଇଥିବା ସ୍ୱୀକାର କରିଛନ୍ତି। ମୃତ ନାବାଳିକାକୁ ନ୍ୟାୟ ଦେବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି।
ସେହିଭଳି ଉତ୍ତର ପ୍ରଦେଶରେ ଉନ୍ନାଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କୁ ନେଇ ଦିନକୁ ଦିନ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। ପୋଲିସ ଏଫଆଇଆର ସତ୍ତ୍ୱେ ତାଙ୍କୁ ଗିରଫ କରାଯାଉ ନଥିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ସେପଟେ ଆହ୍ଲାବାଦ ହାଇକୋର୍ଟ ମଧ୍ୟ ଯୋଗୀ ସରକାର ଉପରେ ବର୍ଷିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା ମନ୍ତବ୍ୟ ଦେଇଛନ୍ତି। ଏହାସହିତ ବିଧାୟକ କୁଲଦୀପଙ୍କୁ କାହିଁକି ଗିରଫ କରାଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ବିଧାୟକଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ମିଳୁନାହିଁ ବୋଲି ରାଜ୍ୟ ସରକାଙ୍କ ଯୁକ୍ତିକୁ ହାଇକୋର୍ଟ ନାପସନ୍ଦ କରିଛନ୍ତି। ଆଉ କେତେ ପ୍ରମାଣ ମିଳିଲେ ତାଙ୍କୁ ଗିରଫ କରାଯିବ ବୋଲି ପ୍ରଶ୍ନ କରିଛନ୍ତି। ଅଭିଯୁକ୍ତ ବିଧାୟକଙ୍କୁ ସୁରକ୍ଷା ଦେବାଲାଗି ଯୋଗୀ ଉଦ୍ୟମ ଚଳାଇଥିବା ବେଳେ ବିଜେପିର ତିନି ଜଣ ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ତାଙ୍କ ପାଇଁ ଅଣ୍ଟା ଭିଡ଼ିବା ସମସ୍ତଙ୍କୁ ବିସ୍ମିତ କରିଛି। ଏହି ତିନି ଜଣ ମନ୍ତ୍ରୀ ହେଲେ ମହେଶ ଶର୍ମା, ମେନେକା ଗାନ୍ଧୀ ଏବଂ ପୀୟୂଷ ଗୋଏଲ। ସେମାନେ ପୃଥକ ପୃଥକ ବିବୃତି ଜାରି କରି ଯୋଗୀ ସରକାରକୁ ସମର୍ଥନ ଜଣାଇଛନ୍ତି। ସେମାନେ କହିଛନ୍ତି ଯେ ଯୋଗୀ ସରକାର ଠିକ୍ ପଦକ୍ଷେପ ନେଉଛନ୍ତି। ଆଇନ ତା ବାଟରେ ଯିବ ଏବଂ ଦୋଷୀଙ୍କୁ ଦଣ୍ଡ ମିଳିବ।
ତେବେ ଏହି ଦୁଇଟି ଘଟଣାକୁ ନେଇ ଦେଶସାରା ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିନ୍ତୁ ମୁହଁ ଖୋଲି ନାହାନ୍ତି। ଅନ୍ୟପକ୍ଷରେ ସେ ତାମିଲନାଡ଼ୁ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ତେବେ ସେଠାରେ ପ୍ରଧାନମନ୍ତ୍ରୀ ମୋଦି ଅନ୍ୟ ଘଟଣାକୁ ନେଇ ଅଡ଼ୁଆରେ ପଡ଼ିଥିଲେ। କାବେରୀ ବିବାଦରେ କେନ୍ଦ୍ରର ଭୂମିକାକୁ ବିରୋଧ କରି ତାମିଲନାଡୁରେ ପ୍ରଧାନମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଥିଲା। ସମସ୍ତ ବିେରୋଧୀ ଦଳ ଓ ସଂଗଠନ ଏକାଠି ହୋଇ ପ୍ରଧାନମନ୍ତ୍ରୀଙ୍କୁ ବିରୋଧ କରିଛନ୍ତି। ଆଜି ଦିନ ତମାମ ଟୁଇଟରରେ ‘ମୋଦି ଫେରିଯାଅ’ ଅଭିଯାନ ଜୋର ଧରିଥିଲା। ଫଳରେ ମୋଦିଙ୍କ କାର୍ଯ୍ୟକ୍ରମ ଠିକଠାକ୍ ଭାବେ ଆୟୋଜିତ ହୋଇ ପାରିନଥିଲା।