ଯୋଗୀଙ୍କ ୟୁପିରେ ବର୍ବର କାଣ୍ଡ: ବିଜ୍‌ନୋରରେ ମହିଳାଙ୍କୁ ଦୁଷ୍କର୍ମ ପରେ ଜିଅନ୍ତା ଜାଳିଦେଲେ, ଚିହ୍ନଟ କରିପାରୁନି ପୁଲିସ

ବିଜ୍‌ନୋର: ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଆଜି ମହିଳା ବିରୋଧୀ ଜଘନ୍ୟ ଅପରାଧ ଦେଖିବାକୁ ମିଳିଛି। ବିଜ୍‌ନୋରର ଗଜରୌଲା ସ୍ଥିତ ଏକ ଆମ୍ବ ବଗିତା ଭିତରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଏକ ଖଟିଆରେ ବାନ୍ଧି ଜିଅନ୍ତା ଜାଳି ଦିଆଯାଇଛି। ପୁଲିସ ଶବ ଜବତ କରିଛି, କିନ୍ତୁ ମହିଳାଙ୍କୁ ଚିହ୍ନଟ କରିବାରେ ସମର୍ଥ ହୋଇନାହିଁ। ଆଜି ଆମ୍ବ ବଗିଚାର ଠିକାଦାର ଗଜଫର୍‌ ଅଲ୍ଲୀ ବଗିଚାରେ ମହିଳାଙ୍କ ଅର୍ଦ୍ଧଦଗ୍ଧ ଶବକୁ ଠାବ କରିଥିଲେ। ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଏଭଳି ବର୍ବର ହତ୍ୟା କରାଯାଇଛି ବୋଲି ପୁଲିସ ସନ୍ଦେହ କରୁଛି। ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ମହିଳା ବିରୋଧୀ ହିଂସାକୁ ରୋକିବା ପାଇଁ ଅତି କଠୋର ପଦକ୍ଷେପ ନିଆଯିବ ବୋଲି ବାରମ୍କବାର ଘୋଷଣା କରିବା ସତ୍ତ୍ବେ ମହିଳାଙ୍କ କ୍ଷେତ୍ରରେ ଅପରାଧ ଦିନକୁ ଦିନ ବଢ଼ି ଚାଲିଛି।

ଜାମିନରେ ଆସିଥିବା ଅଭିଯୁକ୍ତ ପୀଡ଼ିତାଙ୍କ ମା’ଙ୍କୁ ହତ୍ୟା କଲେ, ଏନ୍‌କାଉଣ୍ଟରରେ ୨ ଗିରଫ
କାନପୁର: ଉତ୍ତର ପ୍ରଦେଶର କାନପୁରରେ ଜଣେ ୧୩ ବର୍ଷର ନାବାଳିକାଙ୍କୁ ଯୌନ ଉତ୍ପୀଡ଼ନ ମାମଲାରେ ଜାମିନରେ ଆସିଥିବା ଅଭିଯୁକ୍ତମାନେ ପୀଡ଼ିତାଙ୍କ ମା’ଙ୍କୁ ପିଟିପିଟି ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆକ୍ରମଣ କରିଥିବା ଦୁଇ ଜଣ ଅଭିଯୁକ୍ତ ମହମ୍ମଦ ଆବିଦ ଏବଂ ପରଭେଜକୁ ପୁଲିସ ଏନ୍‌କାଉଣ୍ଟର ପରେ ଗିରଫ କରିଛି। ଉଭୟଙ୍କୁ ପୁଲିସର ଗୁଳି ବାଜିଛି।। ପୁଲିସ ସେମାନଙ୍କୁ ଦେଶୀ ପିସ୍ତଲ ଏବଂ ଗୁଳି ଜବତ କରିଛି। ପୁଲିସ ଏହି ମାମଲାରେ ସଂପୃକ୍ତ ଅନ୍ୟ ୪ ଜଣଙ୍କୁ ମଧ୍ୟ ଗିରଫ କରିଛି। ଅଭିଯୁକ୍ତମାନେ ଦୁଇ ଦିନ ତଳେ ପିଡ଼ିତାଙ୍କ ମା’ଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ଏବଂ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ପୁଲିସ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତତ୍ପରତାର ସହ କାର୍ଯ୍ୟାନୁଷ୍ଠାନ କରିଥିଲା।

ସମ୍ବନ୍ଧିତ ଖବର