୫ ସ୍ବେଚ୍ଛାସେବୀଙ୍କୁ ଗଣଦୁଷ୍କର୍ମ ମାମଲା: ପାଦ୍ରୀଙ୍କ ସମେତ ୬ ଜଣଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ରାଞ୍ଚି: ଗତ ବର୍ଷ ଜୁନ ମାସରେ ଝାଡ଼ଖଣ୍ଡ ଖୁଣ୍ଟି ଜିଲ୍ଲାର କୋଚଙ୍ଗ୍‌ଠାରେ ହୋଇଥିବା ୫ ଜଣ ସ୍ବେଚ୍ଛାସେବୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଜଣେ ପାଦ୍ରୀଙ୍କ ସମେତ ୬ ଜଣଙ୍କୁ ଆଜୀବନ ଜେଲ୍‌ଦଣ୍ଡ ହୋଇଛି। ପାଦ୍ରୀଙ୍କୁ ଗଣଦୁଷ୍କର୍ମର ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ଜେଲ୍‌ଦଣ୍ଡ ହୋଇଥବା ବେଳେ ୩ ଜଣ ଯୁବକଙ୍କୁ ଦୁଷ୍କର୍ମ ଏବଂ ଅନ୍ୟ ୨ଜଣଙ୍କୁ ଏଥିରେ ସହଯୋଗ କରିଥିବା ଯୋଗୁଁ ଆଜୀବନ ଜେଲ୍‌ଦଣ୍ଡ ହୋଇଛି।

ବିଚାରପତି ରାଜେଶ କୁମାର ୨୨୫ ପୃଷ୍ଠାର ରାୟରେ କହିଛନ୍ତି, ଦୁଷ୍କର୍ମକାରୀ ଯେଉଁ ଦଣ୍ଡ ପାଇ‌େବ ସେହି ଦଣ୍ଡ ଷଡ଼ଯନ୍ତ୍ରକାରୀ ମଧ୍ୟ ପାଇବା ଉଚିତ। ଉକ୍ତ ରାୟରେ ପାଦ୍ରୀ ଅଲ୍ଫୋନ୍ସେ ଏଇଣ୍ଡ୍‌ଙ୍କୁ ଅପରାଧିକ ଷଡ଼ଯନ୍ତ୍ର ଧାରା ୧୨୦(ଖ) ଏବଂ ଦୁଷ୍କର୍ମ ଧାରା ୩୭୬(ଘ) ଅନୁଯାୟୀ ଏହି ଦଣ୍ଡ ଦିଆଯାଇଛି। ଯଦିଓ ଏଇଣ୍ଡ୍‌ ଘଟଣାସ୍ଥଳରେ ଉପସ୍ଥିତ ନଥିଲେ ତାଙ୍କୁ ଗଣଦୁଷ୍କର୍ମର ଷଡ଼ଯନ୍ତ୍ର ପାଇଁ ଏହି ଦଣ୍ଡ ହୋଇଛି। ଏତଦ୍‌ ବ୍ୟତୀତ ଧାରା ୩୫୪(ଖ) ଏବଂ ୩୬୫ ଅନୁଯାୟୀ ତାଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ ହୋଇଛି। ଏହା ସହ ଆହତ ପହଂଚାଇବା ଏବଂ ଘଟଣାକୁ ଲୁଚାଇବା ଅଭିଯୋଗରେ ଆଉ ଏକ ବର୍ଷ ଦଣ୍ଡାଦେଶ ହୋଇଛି। ଜେଲ୍‌ଦଣ୍ଡ ସହ ଏକ ଲକ୍ଷ ଟଙ୍କା ଜରିମାନା ମଧ୍ୟ ହୋଇଛି। ଯଦି ସେ ଜରିମାନା ନଦିଅନ୍ତି ତେବେ ତାଙ୍କୁ ଅଧିକ ୨ ବର୍ଷ ଜେଲ୍‌ଦଣ୍ଡ ଭୋଗିବାକୁ ପଡିବ। ତିନି ଜଣ ଦୁଷ୍କର୍ମକାରୀ ଯଥା ଜୁନସ ମୁଣ୍ଡା, ଆୟୁବ ପୁର୍ତ୍ତି ଏବଂ ବାଜୀ ସମଦକୁ ଧାରା ୩୭୬(ଘ) ଅନୁଯାୟୀ ଆଜୀବନ ଜେଲ୍‌ଦଣ୍ଡ ସହ ପ୍ରତ୍ୟେକଙ୍କୁ ଏକ ଲକ୍ଷ ଟଙ୍କା ଜରିମାନା ହୋଇଛି। ଏହି ଅପରାଧରେ ସହଯୋଗ କରିଥିବା ଅଭିଯୋଗରେ ପଥଲଗଡି ଆନ୍ଦୋଳନର ସମର୍ଥକ ଜୋନ୍‌ ଜନାସ ତିରୁ ଏବଂ ବଳରାମ ସମଦକୁ ମଧ୍ୟ ଆଜୀବନ ଜେଲ୍‌ଦଣ୍ଡ ହୋଇଛି। ଦୋଷୀଙ୍କଠାରୁ ଆଦାୟ ଅର୍ଥରାଶିକୁ ପୀଡ଼ିତାଙ୍କୁ ଦିଆଯିବ। ଏଥିସହ ପୀଡ଼ିତାଙ୍କୁ ଥଇଥାନ କରିବା ପାଇଁ ମଧ୍ୟ ବିଚାରପତି ନିର୍ଦେଶ ଦେଇଛନ୍ତି।ଗତ ବର୍ଷ ଜୁନ ୧୯ରେ ଖୁନ୍ତି ଜିଲ୍ଲାରେ ମାନବ ଚାଲାଣ ବିରୋଧରେ ସଚେତନ ସୃଷ୍ଟି କରିବା ପାଇଁ ପଥପ୍ରାନ୍ତ ସଭା କରାଯାଉଥିବା ବେଳେ ୫ ଜଣ ସ୍ବେଚ୍ଛାସେବୀଙ୍କୁ ଅପହରଣ କରାଯାଇ ଗଣଦୁଷ୍କର୍ମ କରାଯାଇଥିଲା। ଗଣଦୁଷ୍କର୍ମ ପରେ ପୀଡ଼ିତାମାନଙ୍କୁ ଅଣାଯିବା ପରେ ମଧ୍ୟ ଉକ୍ତ ପାଦ୍ରୀ ଜଣକ ଜାଣିଶୁଣି ପୁଲିସକୁ ସୂଚନା ଦେଇନଥିଲେ। ଯାହା ପ୍ରମାଣିତ ହେବା ପରେ ତାଙ୍କୁ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗରେ ଆଜୀବନ ଜେଲ୍‌ ଦଣ୍ଡ ହୋଇଛି।

ସମ୍ବନ୍ଧିତ ଖବର