ସହକର୍ମୀଙ୍କୁ ମେଜରଙ୍କ ଦୁଷ୍କର୍ମ

ବେଙ୍ଗାଲୁରୁ: ବେଙ୍ଗାଲୁରୁ‌ରେ ଜଣେ ଆର୍ମି ମେଜର ଜଣେ ସହକର୍ମୀଙ୍କୁ ଦୁଷ୍କର୍ମ କରିବା ଘଟଣା ବିଡ଼ମ୍ବନାର ବିଷୟ ହୋଇଛି। ସେନାବାହିନୀରେ କାର୍ଯ୍ୟରତ ଉକ୍ତ ୨୯ ବର୍ଷୀୟା ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଗତ ଫେବ୍ରୁଆରି ୪ ତାରିଖରେ ସେ ଅନ୍ୟ ଜଣେ ଉପରିସ୍ଥ ଅଧିକାରୀଙ୍କ ବାସଭବନରେ ଆୟୋଜିତ ଏକ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ। ସେଠାକୁ ତାଙ୍କ ସହକର୍ମୀ ତଥା ଉପରିସ୍ଥ ଅଧିକାରୀ ମେଜର ଅମିତ ଚୌଧୁରୀ ମଧ୍ୟ ଆସିଥିଲେ। ଉତ୍ସବ ସରିବା ପରେ ମେଜର ଚୌଧୁରୀ ପୀଡ଼ିତାଙ୍କୁ ଘରେ ଛାଡ଼ିଦେବେ ବୋଲି କହି ତାଙ୍କ ଗାଡ଼ିରେ ବସିବାକୁ କହିଥ‌ିଲେ। ନିଜ କାର୍ଯ୍ୟାଳୟର ମେଜର ଚୌଧୁରୀଙ୍କ ଉପରେ ଭରସା ଥିବାରୁ ସେ ତାଙ୍କ କଥାରେ ବାହାରି ଯାଇଥିଲେ। ମାତ୍ର ବାଟରେ ମେଜର ସ୍ଥାନୀୟ ପୁରୁଣା ବିମାନବନ୍ଦର ରାସ୍ତାର ଏକ ନିର୍ଜନ ସ୍ଥାନରେ ଗାଡ଼ି ରଖି ତାଙ୍କୁ ଦୁଷ୍କର୍ମ କରିଥିଲେ। ମେଜରଙ୍କ ଏଭଳି ଆଚରଣରେ ମହିଳା ଜଣକ ପ୍ରତିବାଦ କରିବାକୁ ମଉକା ନପାଇ ପୂରା ସ୍ତବ୍ଧ ‌ହୋଇଯାଇଥିଲେ। ତେବେ ଘଟଣାର ୨ ଦିନ ପରେ ସେ ତାଙ୍କ ବାପା ମା’ଙ୍କୁ ଏ ବିଷୟରେ ଅବଗତ କରିଥିଲେ। ଏଥି ସହିତ ଗତ ଫେବ୍ରୁଆରି ୮ ତାରିଖରେ ଉପରିସ୍ଥ ଅଧିକାରୀମାନଙ୍କ ନିକଟରେ ମଧ୍ୟ ଘଟଣା ସମ୍ପର୍କରେ କହିଥିଲେ। ବେଙ୍ଗାଲୁରୁ ସିଟି ପୁଲିସ ଘଟଣା ସମ୍ପର୍କରେ ଜାଣି ତାଙ୍କ ବୟାନ ରେକର୍ଡ କରିବାକୁ ଚାହିଥ‌ିଲେ ମଧ୍ୟ ପ୍ରଥମେ ସେ ଆଦୌ ମୁହଁ ଖୋଲିନଥିଲେ। ମାତ୍ର ପରେ ମାମଲାର ତଦନ୍ତ ପାଇଁ ଏତଲା ଦାଏର କରିବା ଆବଶ୍ୟକ ପଡ଼ିବାରୁ ଗତ ଫେବ୍ରୁଆରି ୧୫ ତାରିଖରେ ସେ ବିବେକନଗର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ମେଜର ଚୌଧୁରୀଙ୍କ ବିରୋଧରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ଏହି ଅବସରରେ ମେଜର ଚୌଧୁରୀଙ୍କୁ ଅନ୍ତରୀଣ ଜାମିନ ମିଳିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର