ଆର୍ମି କ‌ଲେଜ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା

ପୁନେ: ମହାରାଷ୍ଟ୍ରରେ ଏକ ଅଭାବନୀୟ ଘଟଣାକ୍ରମରେ ଏକ ଆର୍ମି କଲେଜ୍‌ରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। କଲେଜ୍‌ ଅଫ୍‌ ମିଲିଟାରି ଇଞ୍ଜିନିୟରିଂ (ସିଏମ୍‌ଇ)ରେ ଜଣେ ୭ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଦୁଷ୍କର୍ମକାରୀ ମଧ୍ୟ ଆତ୍ମହତ୍ୟା କରିଦେଇଥିବା ଜଣାପଡ଼ିଛି। ପୁଲିସ କଲେଜ୍‌ ପରିସରର ଏକ ଗଛରୁ ଦୁଷ୍କର୍ମକାରୀଙ୍କ ଝୁଲନ୍ତା ଶବ ଉଦ୍ଧାର କରିଛି। ପୁଲିସ ସୁତ୍ରରୁ ଜଣାଯାଇଛି ଯେ ପୀଡ଼ିତା ନାବାଳିକାଙ୍କ ବିଧବା ମା’ ଦୁଷ୍କର୍ମକାରୀର ବିବାହ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିବାରୁ ସେ ରାଗରେ ଏଭଳି କାଣ୍ଡ ଘଟାଇଛି। ପୀଡ଼ିତାଙ୍କ ମା’ ଏବଂ ଅଭିଯୁକ୍ତ ସିଏମ୍ଇର ଏକ ମେସ୍‌ରେ କାର୍ଯ୍ୟ କରୁଥିଲେ। ତେବେ ପୀଡ଼ିତାଙ୍କ ବାପାଙ୍କର ଗତ କିଛିମାସ ପୂର୍ବେ ମୃତ୍ୟୁ ହୋଇଯିବା ପ‌ରେ ସମ୍ପୃକ୍ତ ଅଭିଯୁକ୍ତ ପୀଡ଼ିତାଙ୍କ ମା’ଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। କିନ୍ତୁ ପୀଡ଼ିତାଙ୍କ ମା’ ଅଭିଯୁକ୍ତଙ୍କର ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ଗତ ସୋମବାର ଦିନ ମଧ୍ୟ ଉଭୟଙ୍କ ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ଜୋରଦାର ପାଟିତୁଣ୍ଡ ହୋଇଥିଲା ଏବଂ ଅଭିଯୁକ୍ତ ପୀଡ଼ିତାଙ୍କ ମା’ଙ୍କୁ ଖରାପ୍‌ ପରିଣାମ ଭୋଗିବାର ଧମକ ଦେଇଥିଲା। ଏହାପରେ ଗତ ମଙ୍ଗଳବାର ଦିନ ପୀଡ଼ିତାଙ୍କ ମା’ କାର୍ଯ୍ୟରୁ ଫେରିବ‌ାପରେ ନିଜ ଝିଅକୁ ଚେତାଶୂନ୍ୟ ଅବସ୍ଥାରେ ଦେଖିଥିଲେ। ତାଙ୍କୁ ସେ ସଙ୍ଗେସଙ୍ଗେ ହସ୍ପିଟାଲ୍‌ ନେଇଯାଇଥିଲେ ମଧ୍ୟ ଚିକିତ୍ସକମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ନାବାଳିକାଙ୍କୁ ଦୁଷ୍କର୍ମ ପରେ ଗଳା ଚିପି ହତ୍ୟା କରାଯାଇଛି ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର