ପାକ୍‌କୁ ରାଓ୍ଵତଙ୍କ ଚେତାବନୀ

ଅନୁପ୍ରବେଶ ରୋକିବାକୁ କଠୋର କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ଅନୁପ୍ରବେଶ ସୁଯୋଗ ଦେବାପାଇଁ ପାକିସ୍ତାନ ନିୟନ୍ତ୍ରଣ ରେଖା ଅଂଚଳରେ ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି। ଯଦି ପାକିସ୍ତାନ ଶାନ୍ତି ଚାହୁଛି ତା’ହେଲେ ଆତଙ୍କବାଦୀ ପଠାଇବା ତୁରନ୍ତ ବନ୍ଦ ହେବା ଆବଶ୍ୟକ, ଅନ୍ୟଥା ଭାରତୀୟ ସେନା ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ରାଓ୍ଵତ କହିଛନ୍ତି। ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ପାଇଁ ପାକିସ୍ତାନର ଯୋଜନାକୁ ପଣ୍ଡ କରିବା ନିମନ୍ତେ ଭାରତୀୟ ସେନା ସୁଦୃଢ଼ ରଣନୀତିରେ କାର୍ଯ୍ୟ କରୁଛି। ବର୍ତ୍ତମାନର ସ୍ଥିତିରେ ଭାରତ ଚୁପ୍‌ ହୋଇ ବସିପାରିବ ନାହିଁ ଏବଂ ଦେଶର ସୁରକ୍ଷା ଦୃଷ୍ଟିରୁ କଠୋର ପଦେକ୍ଷପ ଗ୍ରହଣ କରିବ ବୋଲି ରାଓ୍ଵତ କହିଛନ୍ତି। ଏବେ କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସେନାର କାର୍ଯ୍ୟାନୁଷ୍ଠାନ ରମଜାନ ପାଇଁ ସାମୟିକ ଭାବେ ବନ୍ଦ ରହିଛି, କିନ୍ତୁ ଆତଙ୍କବାଦୀମାନେ ସକ୍ରିୟ ହେଲେ ସେନା ମଧ୍ୟ ତତ୍‌କ୍ଷଣାତ ପୁନଃ ଅଭିଯାନ ଆରମ୍ଭ କରିବେ ବୋଲି ରାଓ୍ଵତ କହିଛନ୍ତି। ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ସୁଗମ କରିବା ପାଇଁ ପାକିସ୍ତାନ ଯେଉଁ ଗୁଳି ବର୍ଷା କରୁଛି ସେଥିରେ ସୀମାନ୍ତ ଗାଁଗୁଡ଼ିକରେ ଆତଙ୍କ ସୃଷ୍ଟି ହେଉଛି । ଭାରତ ପ୍ରତିଟି ଅସ୍ତ୍ରବିରତି ଉଲ୍ଲଂଘନର ଉଚିତ ଜବାବ ଦେଉଛି । ତେଣୁ ଭାରତ ଏହି ମାମଲାରେ କୌଣସି ନରମ ଆଭିମୁଖ୍ୟ ପୋଷଣ କରିବ ନାହିଁ ବୋଲି ସେ ଚେତାଇ ଦେଇଛନ୍ତି। ସୀମାପାର ଆତଙ୍କବାଦ ବନ୍ଦ ହେଲେ ହିଁ ଶାନ୍ତି ପ୍ରକ୍ରିୟା ସମ୍ଭବ ବୋଲି ରାଓ୍ଵତ କହିଛନ୍ତି। କଶ୍ମୀରରେ ଏବେ ଭାରତୀୟ ସେନା ଶାନ୍ତି ପାଇଁ ଯେଉଁ ନିବେଦନ କରିଛି ଏବଂ ଆତଙ୍କବାଦୀ ନିପାତ ଅପରେସନ ବନ୍ଦ ରଖିଛି ତାହା ଉତ୍ତମ ବାତାବରଣ ପାଇଁ ଉଦ୍ଦିଷ୍ଟ। ଆତଙ୍କବାଦୀମାନେ ଏଥିରୁ ଶିକ୍ଷା ଲାଭ କରିବା ଉଚିତ, ଅନ୍ୟଥା ଯେ କୌଣସି ମୁହୂର୍ତ୍ତରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ ବୋଲି ରାଓ୍ଵତ ଚେତାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର