ଗତ ବର୍ଷ ଏହି ଗୋପନ ଅପରେସନ କରିଥିଲା ଭାରତ, ଆତଙ୍କବାଦୀ ବେଶରେ ଆଇଏସରେ ପଶିଥିଲେ ର’ ଏଜେଣ୍ଟ

ନୂଆଦିଲ୍ଲୀ : ଭାରତୀୟ ସେନା ଗତ ୨୦୧୬ରେ କରିଥିବା ସର୍ଜିକାଲ ଷ୍ଟ୍ରାଇକ କଥା ବିଶ୍ୱବ୍ୟାପୀ ସମସ୍ତେ ଜାଣିଛନ୍ତି । ଭାରତୀୟ ସେନାର ଏହି ବୀରତ୍ୱକୁ ଦେଶବାସୀ ସଲାମ କରିଥିଲେ । କିନ୍ତୁ ଏହା ମଧ୍ୟ ଆମକୁ ମାନିବାକୁ ହେବ ସବୁବେଳେ ପରଦାପଛରେ ରହି ଅନେକ ସଂସ୍ଥା ଭାରତର ସୁରକ୍ଷା ପାଇଁ ରାତିଦିନ ଉଦ୍ୟମ କରିଚାଲିଛନ୍ତି । ଆମର ଗୁଇନ୍ଦା ସଂସ୍ଥା ର ଏବଂ ଆଇବି ଏପରି ଅନେକ ଗୋପନୀୟ ଅଭିଯାନ କରୁଛନ୍ତି । ଗତ ବର୍ଷ ହୋଇଥିବା ଏପରି ଏକ ଅତି ଗୋପନ ଅଭିଯାନ ସଂପର୍କରେ ନିକଟରେ ଏକ ଇଂରାଜୀ ଖବରକାଗଜରେ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟରେ କୁହାଯାଇଛି ଯେ ଗତ ବର୍ଷ ସେପ୍ଟେମ୍ବରରେ ଭାରତର ମୁଖ୍ୟ ଗୁଇନ୍ଦା ସଂସ୍ଥା ର’ ଏକ ଦୁଃସାହସିକ ମାତ୍ର ଅତି ଗୋପନ ଅପରେସନ  କରିଥିଲା । ଏହି ଅପରେସନରେ ର’ର ଜଣେ ଏଜେଣ୍ଟ ବିଶ୍ୱର କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସର ସଂଗଠନ ଭିତରେ ପଶି ସେମାନଙ୍କ ବିଶ୍ୱାସଭାଜନ ହେବା ସହ ସେମାନଙ୍କର ବିଭିନ୍ନ ଆକ୍ରମଣର ଯୋଜନା ଆଗୁଆ ସୂଚନା ଦେବାରେ ସଫଳ ହୋଇଥିଲେ ।

ଭାରତ, ଆଫଗାନିସ୍ଥାନ ସମେତ ବିଶ୍ୱର ବିଭିନ୍ନ ଦେଶରେ ଆତଙ୍କବାଦୀ ଆକ୍ରମଣ ପାଇଁ ଆଇଏସ୍‌ ଏକ ବଡ଼ ଯୋଜନା ପ୍ରସ୍ତୁତ କରିଥିଲା । ଏଥିପାଇଁ ୧୨ ଜଣ ଆଇଏସ ଆତଙ୍କବାଦୀଙ୍କୁ ପାକିସ୍ତାନରେ ଟ୍ରେନିଂ ଦିଆଯାଇଥିଲା । ଭାରତରେ ନୂଆଦିଲ୍ଲୀରେ ଏହି ଆକ୍ରମଣ ପାଇଁ ସ୍ଥିର କରାଯାଇଥିଲା ଓ ଏକ ଆଫଗାନ ଯୁବକକୁ ନୂଆଦିଲ୍ଲୀ ପଠାଯାଇଥିଲା । ଉକ୍ତ ଯୁବକ ନୂଆଦିଲ୍ଲୀ ନିକଟରେ ଥିବା ଏକ ଇଂଜିନିୟରିଂ କଲେଜରେ ନାଁ ଲେଖାଇବାକୁ ସକ୍ଷମ ହୋଇଥିଲା ଓ ଦିଲ୍ଲୀର ଲଜପତ ନଗରରେ ଏକ ଫ୍ଲାଟ ଭଡ଼ା ନେଇଥିଲା । ଉକ୍ତ ଯୁବକ ଆକାଉଣ୍ଟକୁ ଦୁବାଇରୁ ୫୦ ହଜାର ଡଲାର ଟ୍ରାନ୍ସଫର ହୋଇଥିବା ସୂଚନା ମିଳିବା ପରେ  ର’  ସକ୍ରିୟ ହୋଇଉଠିଥିଲା । ତା ଉପରେ ନଜର ରଖିବାକୁ ସ୍ଥିର ହୋଇଥିଲା । ଏହି କାମରେ ପ୍ରାୟ ୮୦ ଜଣ ଏଜେଣ୍ଟକୁ ଲଗାଯାଇଥିଲା । ଜଣେ ର’ ଏଜେଣ୍ଟଙ୍କୁ ଠିକ ସେହି ଆପାର୍ଟମେଣ୍ଟରେ ଭଡ଼ା ଘର ନେଇ ରହିବାର ବ୍ୟବସ୍ଥା କରାଗଲା । ଉକ୍ତ ଏଜେଣ୍ଟ ଆଇଏସ ଆତଙ୍କବାଦୀଙ୍କ ସହ ବନ୍ଧୁତା କରିବାରେ ସକ୍ଷମ ହେଲେ । ଉକ୍ତ ଆତଙ୍କବାଦୀଙ୍କୁ ବିସ୍ଫୋରକ ଯୋଗାଇବାକୁ ଛଦ୍ମବେଶଧାରୀ ର’ ଏଜେଣ୍ଟ ପ୍ରତିଶ୍ରୁତି ଦେଇଥିଲେ ଓ ପ୍ରତିଶ୍ରୁତି ମୁତାବକ ବିସ୍ଫୋରକ ଯୋଗାଇ ମଧ୍ୟ ଦେଇଥିଲେ । କିନ୍ତୁ ସେଥିରେ ଜାଣିଶୁଣି ଟ୍ରିଗର ରଖାଯାଇନଥିଲା । ଏହା ପରେ ର ପକ୍ଷରୁ ଉକ୍ତ ଆତଙ୍କବାଦୀକୁ ଗିରଫ କରାଯାଇଥିଲା । ତା ସୂଚନା ଆଧାରରେ କେବଳ ଭାରତ ନୁହେଁ, ଆମେରିକା, ଆଫଗାନିସ୍ଥାନରେ ମଧ୍ୟ କେତେକ ସମ୍ଭାବ୍ୟ ଆକ୍ରମଣକୁ ପଣ୍ଡ କରାଯାଇଥିଲା । ଏବେ ଉକ୍ତ ଆତଙ୍କବାଦୀଙ୍କୁ ଆମେରିକାର ସିଆଇଏ ପଚରାଉଚୁରା ପାଇଁ ନିଜ ରିମାଣ୍ଡକୁ ନେଇଛି ।

ସମ୍ବନ୍ଧିତ ଖବର