ରିଜର୍ଭ ବ୍ୟାଙ୍କ-ସରକାର ବିବାଦ : ଇସ୍ତଫା ଦେବେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର!

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ‌େରେ ଚାଲିଥିବା ବିବାଦ ଚରମ ସୀମାରେ ଯାଇ ପହଞ୍ଚିଲାଣି। ରିଜର୍ଭ ବ୍ୟାଙ୍କ କାମରେ ସରକାର ଅଯଥାରେ ହସ୍ତକ୍ଷେପ କରୁଥିବାରୁ ଏଥିରେ କ୍ଷୁବ୍ଧ ହୋଇଛନ୍ତି ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ। ଏହାର ପ୍ରତିବାଦରେ   ସେ ତାଙ୍କ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚା ଆରମ୍ଭ ହୋଇଯାଇଛି।

ଏସଂପର୍କରେ କେନ୍ଦ୍ର ସରକାର କିମ୍ବା ରିଜର୍ଭ ବ୍ୟାଙ୍କ ପକ୍ଷରୁ କିଛି କୁହାଯାଇ ନାହିଁ।‌ କିନ୍ତୁ କେତେକ ଟିଭି ଗଣମାଧ୍ୟମରେ ଏହି ଖବର ପ୍ରସାରିିତ ହେବା ପରେ ସେ‌ନସେକ୍ସ ଖସିବା ସହିତ ଡଲାର ତୁଳନାରେ ଟଙ୍କା ମଧ୍ୟ ଆହୁରି ଦୁର୍ବଳ ହୋଇଯାଇଥିଲା। ପରବର୍ତୀ ସମୟରେ ଟଙ୍କା ସ୍ଥିତିରେ ସୁଧାର ଆସିଥିଲା।

ମିଳିଥିବା ସୂଚନା ଅନୁଯା‌ୟୀ, ଉର୍ଜିତ ନଭେମ୍ବର ୧୯ରେ ବୋର୍ଡ ବୈଠକ ଡକାଇଛନ୍ତି। ତେଣୁ‌ ସେ ଇସ୍ତଫା ଦେଇପାରନ୍ତି ବୋଲି ଯାହା ଚର୍ଚ୍ଚା ହେଉଛି ତାହା ଗୁଜବ ହୋଇଥାଇପାରେ ବୋଲି ମଧ୍ୟ କୁହାଯାଉଛି। ଆସନ୍ତା ଶୁକ୍ରବାର ସରକାର ଓ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଓ ଡେପୁଟି ଗଭର୍ଣ୍ଣରମାନଙ୍କ ମଧ୍ୟରେ ଏକ ବୈଠକ ହେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

ଅନ୍ୟପକ୍ଷରେ କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କ ଧାରା ୭ ଅନୁଯାୟୀ କ୍ଷମତାର ପ୍ରୟୋଗ କରି କେନ୍ଦ୍ରୀୟ ବ୍ୟାଙ୍କକୁ କେତେକ ନିର୍ଦେଶ ଦେଇଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି। ଏହା ସତ ହୋଇଥିଲେ ‌ସ୍ବାଧୀନ ଭାରତ ଇତିହାସରେ ଏହା ହେବ ପ୍ରଥମ ଘଟଣା। ଏହି ଧାରା ଅନୁଯାୟୀ କେନ୍ଦ୍ର ସରକାର ଜନହିତ ଦୃଷ୍ଟିରୁ ଆବଶ୍ୟକ ପଦକ୍ଷେପ ନେବା ଲାଗି ରିଜର୍ଭ ବ୍ୟାଙ୍କକୁ ନିର୍ଦେଶ ଦେଇପାରିବେ ଏବଂ ଏହାକୁ କାର୍ଯ୍ୟକାରୀ କରିବା ଲାଗି ରିଜର୍ଭ ବ୍ୟାଙ୍କ ବଧ୍ୟ। ତେବେ ଏଭଳି କ୍ଷମତା କେବେ ହେଲେ କୌଣସ ସରକାର ପ୍ରୟୋଗ କରି ନଥିଲେ।

ଇତିମଧ୍ୟରେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସଫେଇ ଦିଆଯାଇଛି ଯେ, ଆର୍‌ବିଆଇ ନିୟମ, ୧୯୩୪ ଅନୁଯାୟୀ ରିଜର୍ଭ ବ୍ୟାଙ୍କର ସ୍ବାଧୀନତା ବଜାୟ ରହିବା ନିହାତି ଜରୁରୀ ଓ ସରକାର ଏହାର ସମ୍ମାନ କରୁଛନ୍ତି। ତେବେ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ସରକାର ରିଜର୍ଭ ବ୍ୟାଙ୍କ ସହିତ ଆଲୋଚନା ଚଳାଇଛନ୍ତି। ଧାରା ୭ରେ ‌ଥିବା ନିୟମ ବିଷୟରେ ମନେ ପକାଇ ଦେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଉଭୟ ସରକାର ଓ ରିଜର୍ଭ ବ୍ୟାଙ୍କକୁ ଭାରତୀୟ ଅର୍ଥ ବ୍ୟବସ୍ଥାର ଆବଶ୍ୟକତା ଓ ସାର୍ବଜନୀନ ହିତକୁ ଧ୍ୟାନରେ ରଖିବାକୁ ପଡ଼ିଥାଏ।

ସରକାରଙ୍କ ବିରୋଧରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିୟମିତ ବ୍ୟବଧାନରେ ଯେଉଁ ବୟାନବାଜି କରାଯାଉଛି ତାହାକୁ ନେଇ ସରକାର କେତେ ଅସନ୍ତୁଷ୍ଟ ତାହା ମଧ୍ୟ ଅର୍ଥ ମନ୍ତ୍ରାଳୟ ଜାରି କରିଥିବା ପ୍ରେସ୍‌ ନୋଟ୍‌ରୁ ଜଣାପଡ଼ୁଛି। ଏଥିରେ କୁହାଯାଇଛି ଯେ, ଭାରତ ସରକାର କେବେ ବି ଚର୍ଚ୍ଚାର ବିଷୟବସ୍ତୁକୁ ସାର୍ବଜନୀନ କରିନାହାନ୍ତି। କେବଳ ଅନ୍ତିମ ନିଷ୍ପତ୍ତି ହିଁ ପ୍ରକାଶ କରନ୍ତି। ସରକାର ବିଭିନ୍ନ ବିଷୟ ଉପରେ ନିଜର ମତାମତ ପ୍ରଦାନ କରିଛନ୍ତି ଓ ତାହାର କିଭଳି ସମାଧାନ ହୋଇପାରିବ ସେଥିପାଇଁ କେତେକ ପରାମର୍ଶ ମଧ୍ୟ ଦେଇଛନ୍ତି। ଆଗାମୀ ଦିନରେ ମଧ୍ୟ ସରକାର ଏଭଳି କାମ ଜାରି ରଖିବେ।

ଉଲ୍ଲେଖଯୋଗ୍ୟ, ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ ଗତ ଶୁକ୍ରବାର ଏକ ସାର୍ବଜନୀନ ସଭାରେ ସରକାରଙ୍କ ବିରୋଧରେ ମନ୍ତବ୍ୟ ଦେଇଥିଲେ। ରିଜର୍ଭ ବ୍ୟାଙ୍କ କାମରେ ସରକାର ହସ୍ତକ୍ଷେପ କରୁଛନ୍ତି ଓ ଏହାର ଗମ୍ଭୀର ପରିଣାମ ବଜାରକୁ ଭୋଗିବାକୁ ପଡ଼ିପାରେ ବୋଲି ସେ କହିଥିଲେ। ଏହା ପରେ ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ଭିତରେ ସମ୍ପର୍କ ଭଲ ନାହିଁ ବୋଲି ଜଣାପଡ଼ିଥିଲା। ରିଜର୍ଭ ବ୍ୟା‌ଙ୍କର ସ୍ବାଧୀନତାକୁ ଅଣଦେଖା କରିବା ବିନାଶକାରୀ ହୋଇପାରେ ବୋଲି ଆଚାର୍ଯ୍ୟ କହିଥିଲେ। ବିରଳଙ୍କ ଏହି ମନ୍ତବ୍ୟ ଉପରେ ରିଜର୍ଭ ବ୍ୟାଙ୍କ ବୋର୍ଡରେ ନିକଟରେ ସାମିଲ ହୋଇଥିବା ନୂଆ ସଦସ୍ୟ ଏସ୍‌ ଗୁରୁମୂର୍ତ୍ତି ଆପତ୍ତି ଉଠାଇଛନ୍ତି। ସେ ଏବିଷୟରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ୍‌ଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡ଼ିଛି।  ଗତକାଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲି ମଧ୍ୟ ରିଜର୍ଭ ବ୍ୟାଙ୍କ ଉପରେ ବର୍ଷିଥିଲେ। କହିଥି‌େଲ, ୟୁପିଏ ସରକାର ଅମଳରେ ଆଖିବୁଜା ଋଣ ଦିଆଯିବାରୁ ବ୍ୟାଙ୍କଗୁଡ଼ିକ ଏବେ ଅନାଦେୟ ଋଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ସୂଚନାଯୋଗ୍ୟ, ଋଣ ସର୍ତ କୋହଳ କରିବା ସହିତ ରିଜର୍ଭ ବ୍ୟାଙ୍କ ନିଜ ପାଖରେ ରଖିଥିବା ନଗତ ରାଶିର କିଛି ଅଂଶ ସରକାରଙ୍କୁ ଦେବାଲାଗି କେନ୍ଦ୍ର ଚାପ ପକାଉଥିବା ବେଳେ ରିଜର୍ଭ ବ୍ୟାଙ୍କ ଏଥ୍ିରେ ରାଜି ହେଉନାହିଁ। ଏହି କାରଣରୁ ସରକାର ଓ ରିଜର୍ଭ ବ୍ୟାଙ୍କ ସଂପର୍କ ତିକ୍ତ ହୋଇଛି।

ସମ୍ବନ୍ଧିତ ଖବର