ଆରଏସ୍‌ଏସ୍‌ରେ ପ୍ରଣବଙ୍କ ଭାଷଣ: କଂଗ୍ରେସ କହିଲା ବିଜେପି ପାଇଁ ଥିଲା ଉପଦେଶ; ବିଜେପି କହିଲା ଏହା ଥିଲା କଂଗ୍ରେସକୁ ଉପଦେଶ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ପ୍ରଣବଙ୍କ ଭାଷଣ ବିଜେପି ପାଇଁ ଉପଦେଶ ଥିଲା ବୋଲି କଂଗ୍ରେସ କହିଛି। ସେହିଭଳି ବିଜେପି କହିଛି, ଆରଏସ୍‌ଏସ୍‌ ମୁଖ୍ୟାଳୟରେ ପୂର୍ବତନ ରାଷ୍ଟ୍ରପତି ତଥା ଅନ୍ୟତମ ବରିଷ୍ଠ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀଙ୍କର ଦୀକ୍ଷାନ୍ତ ଭାଷଣ ଥିଲା କଂଗ୍ରେସକୁ ଉପଦେଶ। ନାଗପୁରସ୍ଥିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ କାର୍ଯ୍ୟାଳୟରେ ଗୁରୁବାର ତୃତୀୟ ବର୍ଷ ସଂଘ ଶିକ୍ଷା ବର୍ଗର ଉଦଯାପନୀ ଦିବସକୁ ସମ୍ବୋଧନ କରିବା ପରେ କଂଗ୍ରେସ ଓ ବିଜେପି ନିଜର ପ୍ରତିକ୍ରିୟା ଦେଇଛନ୍ତି।

ରଣଦୀପ ସୁରଜେଓ୍ଵାଲା କହିଛନ୍ତି, ପ୍ରଣବ ମୁଖାର୍ଜୀ ମୋଦି ସରକାରକୁ ରାଜଧର୍ମ ମନେ ପକାଇ ଦେଇଛନ୍ତି। ସେ ଆରଏସଏସ ମୁଖ୍ୟ କାର୍ଯ୍ୟାଳୟରେ ଏହି ଦେଶର ଭଲ ବିଷୟ ସମ୍ପର୍କରେ ଆଲୋଚନା କରିଛନ୍ତି। ପ୍ରଣବ ମୁଖାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଷ୍ଟ୍ରବାଦ କ’ଣ, ସେ ସମ୍ପର୍କରେ ବୁଝାଇଛନ୍ତି। ସେହିଭଳି ଜେଡିୟୁ ନେତା କେ.ସି. ତ୍ୟାଗୀ କହିଛନ୍ତି, ପ୍ରଣବ ମୁଖାର୍ଜୀ ପୂରା ରାଷ୍ଟ୍ରର। ପ୍ରଣବ ମୁଖାର୍ଜୀ ପରଂପରାକୁ ବଳବତ୍ତର ରଖିଛନ୍ତି।

ପ୍ରଣବ ଆମର ବିଚାରରେ ଭାଷଣ ଆରମ୍ଭ କରିଛନ୍ତି: ସୁଧାଂଶୁ ତ୍ରିବେଦୀ

ଭାରତୀୟ ଜନତା ପାର୍ଟିର ସୁଧାଂଶୁ ତ୍ରିବେଦୀ କହିଛନ୍ତି, ପ୍ରଣବ ନିଜର ଭାଷଣର ଆରମ୍ଭରେ ଭାରତକୁ ପ୍ରଥମ ରାଷ୍ଟ୍ର ବୋଲି ସମ୍ବୋଧନ କରିଛନ୍ତି। ଏହା ହେଉଛି ଆମର ବିଚାର।

ପ୍ରଣବ ମୁଖାର୍ଜୀ କଂଗ୍ରେସର ବିଚାରଧାରା ରଖିଛନ୍ତି: ରସିଦ ଅଲଭି

ବରିଷ୍ଠ କଂଗ୍ରେସ ନେତା ରସିଦ ଅଲଭି କହିଛନ୍ତି, ପ୍ରଣବ ମୁଖାର୍ଜୀ ନିଜ ଭାଷଣରେ ଯାହା କହିଛନ୍ତି, ତାହା ହେଉଛି ଆମର ବିଚାର ଧାରା। ରସିଦ କହିଛନ୍ତି, ଦେଶରେ ଯାହା ଭୟ ସୃଷ୍ଟି କରୁଛି, ତାହା ନହେବା ଦରକାର। ବୋଧେ ଏହାଠାରୁ ବଡ଼ କଥା ଆରଏସ୍‌ଏସ୍‌ର କାର୍ଯ୍ୟକ୍ରମରେ କୁହାଯାଇ ପାରିବ ନାହିଁ।

ଆରଏସଏସର ବିଚାରଧାରା ଭିନ୍ନ: କଂଗ୍ରେସ

କଂଗ୍ରେସ ଟୁଇଟ କରି କହିଛି, ସମସ୍ତ ଭାରତୀୟଙ୍କୁ ଏହା ଜାଣିବା ଜରୁରୀ ଅଛି ଯେ, ଆରଏସଏସ ଐତିହାସିକ ରୂପରେ କ’ଣ କରିଛି। ଭାରତର ଲୋକେ କେବେ ନଭୁଲନ୍ତୁ ଯେ, ଆରଏସଏସର ବିଚାରଧାରା ଭାରତର ବିଚାରଧାରା ଠାରୁ ବିପରୀତ।

ସମ୍ବନ୍ଧିତ ଖବର