ସୁପ୍ରିମ୍‌ କୋର୍ଟ ବିଚାରପତିଙ୍କ ବିଦ୍ରୋହ : କଂଗ୍ରେସ-ବିଜେପି ମୁହାଁମୁହିଁ

ନୂଆଦିଲ୍ଲୀ : ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ସୁପ୍ରିମ କୋର୍ଟର ୪ଜଣ ବରିଷ୍ଠ ବିଚାରପତିଙ୍କ ବିଦ୍ରୋହକୁ ନେଇ କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ଏହାର ଉପଯୁକ୍ତ ସମାଧାନ ହେଉ ବୋଲି କଂଗ୍ରେସ ଦାବି କରିଥିବା ବେଳେ ଏହାକୁ ନେଇ ରାଜନୀତି ନକରିବା ଲାଗି ବିଜେପି ପରାମର୍ଶ ଦେଇଛି।

ଆଜି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଦଳର ବରିଷ୍ଠ ନେତା ତଥା ଓକିଲ କପିଲ ଶିବଲ, ପି. ଚିଦମ୍ବରମ, ମନୀଶ ତିଓ୍ଵାରୀ ଏବଂ ସଲମାନ ଖୁର୍ସିଦଙ୍କ ସହିତ ସ୍ୱତନ୍ତ୍ର ବୈଠକ କରି ଦୁଇ ଘଣ୍ଟା ଧରି ଆଲୋଚନା କରିଥିଲେ। ଏହାପରେ ସେ କହିଥିଲେ ଯେ ବରିଷ୍ଠ ବିଚାରପତିମାନେ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ତାହାର ଗୁରୁତ୍ୱ ରହିଛି। ତେଣୁ କୋର୍ଟର ସମସ୍ତ ବିଚାରପତି ଏକାଠି ହୋଇ ଏହାର ସମାଧାନ ରାସ୍ତା ବାହାର କରନ୍ତୁ। ସେହିଭଳି ବିଚାରପତିମାନେ ଉଠାଇଥିବା ଜଷ୍ଟିସ ଲୋୟା ମାମଲାର ବିଚାର ସୁପ୍ରିମ କୋର୍ଟର ଉଚ୍ଚ ସ୍ତରରେ କରାଯାଉ।

ରାହୁଲଙ୍କ ଏଭଳି ମନ୍ତବ୍ୟ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି। ଦଳର ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ ଏହା ହେଉଛି ସୁପ୍ରିମ କୋର୍ଟର ଆଭ୍ୟନ୍ତରୀଣ ବ୍ୟାପାର। ଏହାକୁ ନେଇ କଂଗ୍ରେସ ରାଜନୀତି କରିବା ଠିକ ହେବ ନାହିଁ। ପାର୍ଟିର ଅନ୍ୟ ଜଣେ ନେତା ବିଚାରପତିଙ୍କ ସାମ୍ବାଦିକ ସମ୍ମିଳନୀକୁ ଦୁର୍ଭାଗ୍ୟଜନକ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ ଏହା ବିଦ୍ରୋହ ନୁହେଁ। ଏହାକୁ କେବଳ ବିଶୃଙ୍ଖଳା ବୋଲି କୁହାଯିବ।

ସମ୍ବନ୍ଧିତ ଖବର