ଚଳିତ ବର୍ଷ ହଜରେ ଯିବେ ରେକର୍ଡ ସଂଖ୍ୟକ ତୀର୍ଥଯାତ୍ରୀ

ନୂଆଦିଲ୍ଲୀ :  ସରକାରଙ୍କ ପ୍ରଚେଷ୍ଟାରେ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଭାରତର ହଜ୍ ଯାତ୍ରୀଙ୍କ କୋଟା ବୃଦ୍ଧି ଘଟିଛି । କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଅବାସ ନକଭୀ କହିଛନ୍ତି ଯେ, ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଦେଶରୁ ରେକର୍ଡ ସଂଖ୍ୟକ ମୁସଲିମ୍ ତୀର୍ଥଯାତ୍ରୀ ହଜରେ ଯିବେ, ପୁଣି ବିନା ରିହାତିରେ । ପ୍ରଥମ ଥର ପାଇଁ ୧୩୦୮ ଜଣ ମହିଳା ମେହରମ୍ (ପୁରୁଷ ସାଥୀ)ଙ୍କ ବିନା ହଜରେ ଯିବାକୁ ଆବେଦନ କରିଛନ୍ତି । ମୁମ୍ବାଇର ହଜ୍ ହାଉସରେ ରବିବାର ଶ୍ରୀ ନକଭୀ ହଜ୍ ପାଇଁ ଆୟୋଜିତ ଏକ ପ୍ରଶିକ୍ଷଣ କର୍ମଶାଳା ‘ଖାଦିମ୍-ଉଲ୍-ହଜାଜ୍’ରେ ଉଦବୋଧନ ଅବସରରେ ଏହା କହିଛନ୍ତି ।

ସେ କହିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ହଜ୍ କୋଟାରେ ବୃଦ୍ଧି କରିପାରିଛି । ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଦେଶରୁ ରେକର୍ଡ ସଂଖ୍ୟକ ୧,୭୫,୦୨୫ ଜଣ ତୀର୍ଥଯାତ୍ରୀ ଚଳିତ ବର୍ଷ ହଜରେ ଯିବେ । ହଜ୍ ଯାତ୍ରା ପାଇଁ ମୋଟ ୩,୫୫,୬୦୪ ଟି ଆବେଦନପତ୍ର ମିଳିଥିଲା । ସେଥିରେ ୧,୮୯,୨୧୭ ଜଣ ପୁରୁଷ ଏବଂ ୧,୬୬,୩୮୭ ଜଣ ମହିଳା ଥିଲେ ।
ଏ ବର୍ଷ ହଜ୍ କମିଟି ଜରିଆରେ ମୋଟ ୧,୨୮,୦୦୨ ଜଣ ତୀର୍ଥଯାତ୍ରୀ ହଜ୍ ଯିବେ । ସେଥିରେ ଅଛନ୍ତି ୪୭% ମହିଳା । ପ୍ରାଇଭେଟ ଟୁର୍ ଅପରେଟରଙ୍କ ଜରିଆରେ ୪୭,୦୨୩ ଜଣ ତୀର୍ଥଯାତ୍ରୀ ହଜରେ ଯିବେ । ସେହିପରି ପ୍ରଥମ ଥର ପାଇଁ ମୁସଲିମ ମହିଳା ତୀର୍ଥଯାତ୍ରୀ ମେହରମଙ୍କ ବିନା ହଜରେ ଯିବେ । ମୋଟ ୧୩୦୮ ଜଣ ମହିଳା ମେହରମଙ୍କ ବିନା ହଜରେ ଯିବାକୁ ଆବେଦନ କରିଥିଲେ । ଲଟେରୀ ପ୍ରକ୍ରିୟାରୁ ବାଦ୍ ଦେଇ ସମସ୍ତଙ୍କୁ ହଜରେ ଯିବାକୁ ଅନୁମତି ଦିଆଯାଇଛି ।

ଗତ ବର୍ଷ ରେ ୧,୨୪,୮୫୨ ଜଣ ହଜ୍ ଯାତ୍ରୀଙ୍କ ପାଇଁ ବିମାନ ଭଡ଼ା ବାବଦକୁ ସରକାର ବିଭିନ୍ନ ଏୟାରଲାଇନ୍ସକୁ ଦେଇଥିଲେ ୧୦୩୦କୋଟି ଟଙ୍କା । ୨୦୧୮ ରେ ୧,୨୮,୦୦୨ ଜଣ ତୀର୍ଥଯାତ୍ରୀଙ୍କ ପାଇଁ ଏୟାରଲାଇନ୍ସକୁ ଦିଆଯିବ ୯୭୩ କୋଟି ଟଙ୍କା । ହଜ୍ ରିହାତି ବ୍ୟବସ୍ଥାର ଉଚ୍ଛେଦ ପରେ ମଧ୍ୟ ଏୟାରଲାଇନ୍ସକୁ ଗତ ବର୍ଷ ତୁଳନାରେ ୫୭ କୋଟି ଟଙ୍କା କମ୍ ଦିଆଯିବ ।

ସମ୍ବନ୍ଧିତ ଖବର