ବାବା ନିତ୍ୟାନନ୍ଦ ବିରୁଦ୍ଧରେ ରେଡ୍‌ କର୍ଣ୍ଣର ନୋଟିସ ଜାରି କରାଯିବ, ଉଦ୍ୟମ ଆରମ୍ଭ କଲେ ଭାରତ ସରକାର

ନୂଆଦିଲ୍ଲୀ : ଦୁଷ୍କର୍ମ ଅଭିଯୁକ୍ତ ବାବା ନିତ୍ୟାନନ୍ଦକୁ ଗିରଫ କରି ଭାରତ ଆଣିବାକୁ କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ତା’ବିରୁଦ୍ଧରେ ଏକ ରେଡ କର୍ଣ୍ଣର ନୋଟିସ ଜାରି କରିବାକୁ ଭାରତ ସରକାର ଇଣ୍ଟରପୋଲକୁ ଅନୁରୋଧ କରିବେ । ଏଥିଲାଗି ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରିବାକୁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ଗୃହ ବିଭାଗକୁ ଏକ ଜରୁରୀ ପତ୍ର ଲେଖାଯାଇଛି ।

ଗତ ୧୯ ତାରିଖରେ କେନ୍ଦ୍ର ଗୃହମନ୍ତ୍ରାଳୟର ଡେପୁଟୀ କମାଣ୍ଡାଣ୍ଟ (ଲିଗାଲ) ଅନୁରାଗ କୁମାର କର୍ଣ୍ଣାଟକ ଗୃହବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରଜନୀଶ ଗୋଏଲଙ୍କୁ ଏହି ପତ୍ର ଲେଖିଛନ୍ତି । ନିତ୍ୟାନନ୍ଦ ବିରୁଦ୍ଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏକ ଜାମିନ ବିହୀନ ପରଓ୍ଵାନା ଜାରି କରାଇବାକୁ କର୍ଣ୍ଣାଟକ ସରକାରଙ୍କୁ ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଏହା ପରେ ତା’ର ପ୍ରତ୍ୟାର୍ପଣ ପାଇଁ ଉଦ୍ୟମ ଆରମ୍ଭ ହେବ ।
ଗତ ୬ ତାରିଖରେ କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ ନିତ୍ୟାନନ୍ଦର ପାସପୋର୍ଟକୁ ରଦ୍ଦ କରାଯାଇଛି । କିନ୍ତୁ ସେ ଏକ ଜାଲ ପାସପୋର୍ଟ ବ୍ୟବହାର କରି ଭାରତରୁ ପଳାୟନ କରିଥିବା ସଂଦେହ କରାଯାଉଛି । ଏଥିପାଇଁ କର୍ଣ୍ଣାଟକରେ ତା ବିରୁଦ୍ଧରେ ଏକ ମାମଲା ରୁଜ୍ଜୁ କରାଯାଇଛି । କିଛିଦିନତଳେ ଖବର ଆସିଥିଲା ଯେ ସେ ଦକ୍ଷିଣ ଆମେରିକୀୟ ଦେଶ ଇକ୍ୱେଡର ନିକଟରେ ଏକ ଦ୍ୱୀପ କିଣି ତାହାକୁ କୌଳାସ ନାମରେ ନାମିତ କରିଛି । ତେବେ ଗୁଇନ୍ଦା ସୁତ୍ରରୁ ଜଣାପଡ଼ିଛି ଯେ ସେ କାରିବୀୟ ଅଞ୍ଚଳରେ ରହୁଛି ।

ସମ୍ବନ୍ଧିତ ଖବର