ପୁଅମାନଙ୍କ ପାଇଁ ବିବାହ ବୟସ ୧୮ ବର୍ଷକୁ କମାଇ ଦେବାକୁ ଲ’ କମିସନ୍‌ର ପ୍ରସ୍ତାବ

ନୂଆଦିଲ୍ଲୀ: ଧର୍ମମତ ନିର୍ବିଶେଷରେ ଉଭୟ ପୁଅ ଓ ଝିଅଙ୍କର ଆଇନଗତ ବିବାହ ବୟସ ୧୮ ବର୍ଷରେ ନିର୍ଦ୍ଧାରଣ କରାଯାଉ ବୋଲି ଲ’ କମିସନ୍‌ ପ୍ରସ୍ତାବ ଦେଇଛି।

ଶୁକ୍ରବାର ଦିନ ପ୍ରକାଶିତ ପର୍ସନାଲ୍‌ ଲ’ଜ୍‌ର ସଂସ୍କାର ସମ୍ପର୍କୀୟ ପରାମର୍ଶ ପତ୍ରରେ ଲ’ ପାନେଲ୍‌ କହିଛି: ସାବାଳକ ହେବା ପାଇଁ ଯଦି ସାର୍ବଜନୀନ ବୟସ ଧାର୍ଯ୍ୟ କରାଯାଇଛି, ଏବଂ ତାହା ସମସ୍ତ ନାଗରିକଙ୍କୁ ସେମାନଙ୍କ ସରକାର ବାଛିବାକୁ ଅଧିକାର ଦେଉଛି, ନିଶ୍ଚିତ ଭାବେ ସେମାନେ ସେମାନଙ୍କର ଜୀବନସାଥି ବାଛିବାକୁ ସମର୍ଥ ବୋଲି ବିଚାର କରିବାକୁ ହେବ। ବାସ୍ତବ ସମାନତା ପାଇଁ ସହମତି ଥିବା ଦୁଇ ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ବୟସଗତ ତାରତମ୍ୟ ଉଚ୍ଛେଦ କରାଯିବା ଉଚିତ। ସାବାଳକ ହେବା ପାଇଁ ବୟସ ସୀମା ୧୮ରେ ଧାର୍ଯ୍ୟ କରାଯାଇଛି।

ପାନେଲ୍‌ କହିଛି: ପର୍ସନାଲ୍‌ ଲ’କୁ ସଂଶୋଧନ କରାଗଲେ ବାଲ୍ୟବିବାହ ପ୍ରତିରୋଧ କରିହେବ ଏବଂ ଅସମାନତା ହଟାଇ ହେବ। ପ୍ରାପ୍ତ ବୟସ୍କ ହେବା ଲାଗି ଝିଅମାନଙ୍କ ପାଇଁ ୧୮ ବର୍ଷ ଏବଂ ପୁଅମାନଙ୍କ ପାଇଁ ୨୧ ବର୍ଷ ରଖାଯାଇଥିବାରୁ ଲିଙ୍ଗଗତ ବିଭେଦ ସୃଷ୍ଟି ହେଉଛି। ଏହା ଫଳରେ ପତ୍ନୀମାନେ ସେମାନଙ୍କ ପତିଙ୍କ ଠାରୁ ସାନ ହେବାର ଧାରା ଚାଲୁଛି।

ପାନେଲ୍‌ କହିଛି ଯେ ହିନ୍ଦୁ ଆଇନ୍‌ ୧୬ ବର୍ଷୀୟ ଝିଅ ଏବଂ ୧୮ ବର୍ଷିୟ ପୁଅଙ୍କ ବିବାହକୁ ସମ୍ମତି ଦେଇଥିଲେ ବି ତାହା ରଦ୍ଦ କରିହୁଏ। ଭାରତରେ ମୁସଲମାନ ଆଇନ ଅନୁସାରେ ଘରଯୋଗ୍ୟା ହୋଇଥିବା ନାବାଳିକାର ବିବାହ ଆଇନ୍‌ ସମ୍ମତ।

ସମ୍ବନ୍ଧିତ ଖବର