ରିଲ୍‌ର ‘ଟଏଲେଟ୍‌’ ରିଅଲ୍‌ରେ! ଶୌଚାଳୟ ଲାଗି ଶ୍ୱଶୁର ଘର ଲୋକଙ୍କୁ ଥାନାକୁ ଭିଡ଼ିଲେ ବୋହୂ

ମୁଜାଫରପୁର(ବିହାର): ବାସ୍ତବଧର୍ମୀ ଭାରତୀୟ ଚଳଚ୍ଚିତ୍ର ସମାଜ ପରିବର୍ତ୍ତନରେ ବେଶ୍‌ ସହାୟକ ବୋଲି କୁହାଯାଉଥିବା ବେଳେ ଏଥିରୁ ଲୋକେ ଅନୁପ୍ରାଣିତ ହୋଇ ନାନା ଉଦ୍‌ଭଟ କାର୍ଯ୍ୟ କରୁଥିବା ମଧ୍ୟ ନଜିର ରହିଛି । ନିକଟରେ ସେମିତି ଗୋଟିଏ ଘଟଣା ଘଟିଛି । ଯାହାକୁ ଶୁଣିଲେ ପାଠକେ ଆଶ୍ଚର୍ଯ୍ୟ ହେବେ । ‘ଟଏଲେଟ୍‌’ ଏକ ପ୍ରେମ କଥା-ଏହି ହିନ୍ଦୀ ଚଳଚ୍ଚିତ୍ର ନାଁଟି ଆପଣ ବେଶ୍‌ ଜାଣିଥିଲେ । ଜଣେ ମହିଳା ନିଜ ଶ୍ୱଶୁର ଘରେ ଟଏଲେଟ୍‌ ନ ଥିବାରୁ ପୋଲିସ୍‌ର ଦ୍ୱାରସ୍ଥ ହୋଇଥିବା କଥାକୁ ବେଶ୍‌ ରୋଚକ ଢଙ୍ଗରେ ଏହି କଥାଚିତ୍ରରେ ଉପସ୍ଥାପିତ କରାଯାଇଛି । ଏ ତ ଗଲା ରିଲ୍‌ ଲାଇଫ୍‌ର କଥା । ବାସ୍ତବରେ ମଧ୍ୟ ଏମିତି ଏକ ଘଟଣା ଘଟିଛି ବିାହାର ରାଜ୍ୟର ମୁଜାଫରପୁର ଅଞ୍ଚଳରେ ।

ମୁଜାଫରପୁରର ମିନାପୁର ଅଞ୍ଚଳର ଜଣେ ମହିଳା ନିଜ ଶ୍ୱଶୁର ଘରେ ଶୌଚାଳୟ ନ ଥିବାରୁ ପୋଲିସ୍‌ର ଦ୍ୱାରସ୍ଥ ହୋଇଥିଲେ । ଶେଷରେ ଶ୍ୱଶୁର ଘର ଲୋକଙ୍କୁ ପୋଲିସ୍‌ ଥାନାକୁ ଡକାଇ ଶୌଚାଳୟ ବନାଇବା ଓ ବୋହୂଙ୍କ ପ୍ରତି ଉଚିତ୍‌ ବ୍ୟବହାର କରିବା ପାଈଁ ବଣ୍ଡ ସାଇନ୍‌ କରାଇବା ପରେ ଛାଡିଥିଲାା

ସୂଚନା ଯୋଗ୍ୟ, ୬ ବର୍ଷ ତଳେ ମିନାପୁର ଅଞ୍ଚଳର ଜଣେ ଯୁବତୀଙ୍କ ବିବାହ କରଜା ଅଞ୍ଚଳର ଜଣେ ଯୁବକଙ୍କ ସହ ହୋଇଥିଲା । ବିବାହର କିଛି ଦିନ ପରେ ସ୍ୱାମୀ ଚେନ୍ନାଇ କାମ କରିବାକୁ ଚାଲି ଯାଇଥିଲେ । ଏହାପରେ ଶୌଚାଳୟ ପାଇଁ ଶ୍ୱଶୁର ଘର ଲୋକଙ୍କର ବୋହୂ ସହ ମତାନ୍ତର ହୋଇଥିଲା । ବାହାଘରର ମାତ୍ର ବର୍ଷେ ପରେ ନିଜ ପୁତ୍ର ସନ୍ତାନକୁ ଧରି ମହିଳା ନିଜ ବାପଘରକୁ ଚାଲି ଯାଇଥିଲେ ।

ନିକଟରେ ଉପର ବର୍ଣ୍ଣିତ ଚଳଚ୍ଚିତ୍ର ଦେଖି ସେ ଅନୁପ୍ରାଣିତ ହେବା ସହ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ପୋଲିସ୍‌ର ଦ୍ୱାରସ୍ଥ ହୋଇଥିଲେ । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ସମ୍ବନ୍ଧିତ ଖବର