ପାକ୍‌ରୁ ଦୂତ ପ୍ରତ୍ୟାହାର କଲା ପାଲେଷ୍ଟାଇନ୍‌: ହାଫିଜ ସହ ସଂପର୍କ

ନୂଆଦିଲ୍ଲୀ: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦର ଏକ କାର୍ଯ୍ୟକ୍ରମରେ ପାକିସ୍ତାନରେ ଅବସ୍ଥାପିତ ପାଲେଷ୍ଟାଇନ ରାଷ୍ଟ୍ରଦୂତ ଓ୍ଵାଲିଦ ଅବୁ ଅଲ୍ଲୀ ଯୋଗଦେବା ଘଟଣାକୁ ନେଇ ଭାରତ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। ପାଲେଷ୍ଟାଇଲ୍‌ ରାଷ୍ଟ୍ରଦୂତ ରାଓ୍ଵଲପିଣ୍ଡିରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ହାଫିଜ ସହ ଗୋଟିଏ ମଞ୍ଚରେ ଉପସ୍ଥିତ ରହିବା ଘଟଣାରେ ଭାରତ ତା’ର କଡ଼ା ଆଭିମୁଖ୍ୟ ପାଲେଷ୍ଟାଇନ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ଏ ବାବଦ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଜେରୁଜେଲମ୍‌କୁ ଇସ୍ରାଏଲର ରାଜଧାନୀ ଭାବେ ଗ୍ରହଣ ପାଇଁ ଆମେରିକାର ନିଷ୍ପତ୍ତି ବିରୋଧରେ ଭାରତ ପାଲେଷ୍ଟାଇନ୍‌ ସପକ୍ଷରେ ଭୋଟ୍‌ ଦେଇଥିବା ବେଳେ ପାଲେଷ୍ଟାଇନ୍‌ ରାଷ୍ଟ୍ରଦୁତଙ୍କ ଏଭଳି ଆଚରଣ କଦାପି ଗ୍ରହଣୀୟ ନୁହେଁ ବୋଲି ଭାରତ ସ୍ପଷ୍ଟ କରିଛି। ଭାରତର ଉଦ୍‌ବେଗକୁ ଦେଖି ପାଲେଷ୍ଟାଇନ୍‌ ସରକାର ଏହି ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହ ପାକିସ୍ତାନରୁ ଏହାର ରାଷ୍ଟ୍ରଦୂତଙ୍କୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସଂପର୍କରେ ଭାରତରେ ଅବସ୍ଥାପିତ ପାଲେଷ୍ଟାଇନ୍‌ ରାଷ୍ଟ୍ରଦୂତ ଅଦନାନ୍‌ ଅବୁ ଅଲ୍‌ ହୈଜା କହିଛନ୍ତି ଯେ ପାକ୍‌ରେ ଥିବା ରାଷ୍ଟ୍ରଦୂତଙ୍କୁ ଇସଲାମାବାଦ୍‌ ଛାଡ଼ି ସ୍ୱଦେଶ ଫେରିଯିବା ଲାଗି ଖୁବ୍‌ କମ୍‌ ସମୟ ଦିଆଯାଇଛି। ଭାରତର କ୍ଷତି ଚାହୁଥିବା କୌଣସି ଆତଙ୍କବାଦୀ ସହ ପାଲେଷ୍ଟାଇନ ରାଷ୍ଟ୍ରଦୂତଙ୍କ ସଂପର୍କକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ଭାରତକୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ରିପୋର୍ଟ ଅନୁଯାୟୀ ଜମାତ ଉଦ୍‌ ଦାଓ୍ଵା ମୁଖ୍ୟ ହାଫିଜ ଦ୍ୱାରା ଗତ ୨୯ ତାରିଖରେ ରାଓ୍ଵଲପିଣ୍ଡିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପାଲେଷ୍ଟାଇନ ରାଷ୍ଟ୍ରଦୂତ ଓ୍ଵାଲିଦ ଅବୁ ଅଲ୍ଲୀ ଗୋଟିଏ ମଞ୍ଚରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର