ସମ୍ପର୍କୀୟଙ୍କ ଅଭିଯୋଗ:ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି

ଅନ୍ଧବିଶ୍ୱାସୀ ନ ଥିଲେ, ତନ୍ତ୍ରମନ୍ତ୍ରଠୁ ଦୂରରେ ଥିଲେ

ନୂଆଦିଲ୍ଲୀ: ଗୋଟିଏ ପରିବାରର ୧୧ ଜଣଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଦେଶସାରା ଚର୍ଚ୍ଚା ଜୋର ଧରିଥିବା ବେଳେ ମୃତକଙ୍କର ଜଣେ ସମ୍ପର୍କୀୟା ଏହାକୁ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଦର୍ଶାଇଛନ୍ତି। ମୃତକଙ୍କ ମଧ୍ୟରେ ଥିବା ଦୁଇ ଭାଇ ଲଳିତ ଓ ଭୂପିଙ୍କ ଭଉଣୀ ସୁଜାତା କହିଛନ୍ତି, ପରିବାରର କୌଣସି ସଦସ୍ୟ ଅନ୍ଧବିଶ୍ୱାସର ଶିକାର ନ ଥିଲେ କି କୌଣସି ତନ୍ତ୍ରମନ୍ତ୍ରକୁ ପ୍ରଶ୍ରୟ ଦେଉ ନ ଥିଲେ। ବରଂ ସେମାନେ ସମସ୍ତେ ଧାର୍ମିକ ଥିଲେ। ଏମିତି କି ପରିବାର ମଧ୍ୟରେ କୌଣସି ପ୍ରକାର ଅସନ୍ତୋଷର ଛିଟା ବି ନ ଥିଲା। ଅନ୍ୟପକ୍ଷରେ ତାଙ୍କ ଝିଆରୀଙ୍କ ବିବାହକୁ ନେଇ ପରିବାର ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନାର ମାହୋଲ ଥିଲା। ଏ ସବୁ ବାଦ୍‌ କ’ଣ ପାଇଁ ପରିବାରର ସମସ୍ତ ୧୧ ଜଣ ସଦସ୍ୟ ଆତ୍ମହତ୍ୟାର ବାଟ ବାଛିବେ ତାହା ଭାବି ତାଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି ବୋଲି ସୁଜାତା କହିଛନ୍ତି।
ପୁଲିସର ପ୍ରାଥମିକ ରିପୋର୍ଟକୁ କଡ଼ା ଭର୍ତ୍ସନା କରି ସେ କହିଛନ୍ତି, ମାମଲାକୁ କୌଣସି କାରଣରୁ ବନ୍ଦ କରିବା ପାଇଁ ପୁଲିସ ଘଟଣାକୁ ଆତ୍ମହତ୍ୟାର ରୂପ ଦେବାକୁ ଚାହୁଁଛି। ଯଦି ସେମାନେ ଆତ୍ମହତ୍ୟା କରିଥାନ୍ତେ ତେବେ ଘରର କବାଟ ଖୋଲା ରହି ନ ଥାନ୍ତା।

କୌଣସି ଦୁର୍ବୃତ୍ତ ହତ୍ୟାକାଣ୍ଡ ଘଟାଇବା ପରେ କବାଟ ଖୋଲା ରଖି ପଳାଇ ଥାଇ ପାରନ୍ତି। ଚିତ୍ତୋରରେ ରହୁଥିବା ଲଳିତ ଓ ଭୂପିଙ୍କ ଭାଇ ମଧ୍ୟ ଏହାକୁ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଦର୍ଶାଇଛନ୍ତି। ମୃତକଙ୍କ ମଧ୍ୟରେ ଥିବା ବୃଦ୍ଧା ନାରାୟଣ ଦେବୀଙ୍କ ପୁତୁରା ଓ ଅନ୍ୟ ସମ୍ପର୍କୀୟମାନେ ଆତ୍ମହତ୍ୟା ରିପୋର୍ଟକୁ ଖଣ୍ଡନ କରିଛନ୍ତି। ମୃତକମାନେ ହେଲେ ନାରୟଣ ଦେବୀ (୭୭), ଦୁଇ ପୁଅ ପୁଅ ଭବନେଶ (ଭୂପି)(୪୬), ଲଳିତ (୪୫), ବୋହୂ ସବିତା (୪୮), ଟିନା (୪୨), ଝିଅ ପ୍ରତିଭା (୫୭), ନାତିନାତୁଣି ପ୍ରିୟଙ୍କା (୩୩), ନିତୁ (୨୫), ମୋନୁ (୨୩), ଧ୍ରୁବ (୧୫ ଏବଂ ଶିବମ୍‌ (୧୫)।

ସମ୍ବନ୍ଧିତ ଖବର