ଲାଭଜନକ ପଦବି ମାମଲା: ୨୦ ଆପ୍‌ ବିଧାୟକ ଆଶ୍ୱସ୍ତ

ଅଯୋଗ୍ୟ ଘୋଷଣାକୁ ରଦ୍ଦ କଲେ ଦିଲ୍ଲୀ ହାଇକୋର୍ଟ, ଆଉ ଥରେ ଶୁଣାଣି କରିବେ ନିର୍ବାଚନ କମିସନ୍‌

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ସରକାର ଏକ ବଡ଼ ଧରଣର ବିଜୟ ହାସଲ କରିଛି। ଲାଭଜନକ ପଦବି ମାମଲାରେ ଦିଲ୍ଲୀ ବିଧାନସଭାରୁ ଅଯୋଗ୍ୟ ଘୋଷିତ ହୋଇଥିବା ୨୦ ଆପ୍‌ ବିଧାୟକଙ୍କୁ ଆଜି ଆଶ୍ୱସ୍ତି ମିଳିଛି। ଦିଲ୍ଲୀ ହାଇକୋର୍ଟ ନିର୍ବାଚନ କମିସନ ନେଇଥିବା ବିଧାୟକଙ୍କ ଅଯୋଗ୍ୟ ଘୋଷଣା ନିଷ୍ପତ୍ତିକୁ ରଦ୍ଦ କରିଦେବା ଦ୍ୱାରା ସେମାନେ ସେମାନଙ୍କ ସଦସ୍ୟତା ଫେରି ପାଇଛନ୍ତି। ଅନ୍ୟପକ୍ଷରେ, ଅଯୋଗ୍ୟ ଘୋଷଣା ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ଅଦାଲତ ମାମଲାଟିକୁ ନିର୍ବାଚନ କମିସନଙ୍କ ନିକଟକୁ ପଠାଇ ଦେଇଛନ୍ତି। ଆଜି ଦିଲ୍ଲୀ ହାଇକୋର୍ଟରେ ବିଚାରପତି ସଞ୍ଜୀବ ଖାନ୍ନା ଏବଂ ଚନ୍ଦ୍ରଶେଖରଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା। ମାମଲାର ଶୁଣାଣି କରି ଖଣ୍ଡପୀଠ କହିଛନ୍ତି ଯେ ଆପ୍‌ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା କ୍ଷେତ୍ରରେ ବାସ୍ତବ ନ୍ୟାୟର ଉଲ୍ଲଂଘନ ହୋଇଛି। ବିଧାୟକ ଭାବେ ଅଯୋଗ୍ୟ ଘୋଷଣା କରିବା ପୂର୍ବରୁ ସଂପୃକ୍ତ ବିଧାୟକମାନଙ୍କୁ କୌଣସି ପ୍ରକାର ଶୁଣାଣି ପାଇଁ ସୁଯୋଗ ଦିଆଯାଇନି। ଅପରପକ୍ଷେ, ମାମଲା ଶୁଣାଣି ବେଳେ ଅଭିଯୁକ୍ତ ଆପ୍‌ ବିଧାୟକମାନେ ମଧ୍ୟ ସେମାନଙ୍କ ଠାରୁ ମୌଖିକ ଶୁଣାଣି ପାଇଁ ମାମଲାକୁ ନିର୍ବାଚନ କମିସନଙ୍କ ନିକଟକୁ ଫେରାଇ ଦିଆଯିବାକୁ ରାଜି ହୋଇଥିଲେ। ଫଳରେ ନିର୍ବାଚନ କମିସନ ମାମଲାର ପୁନର୍ବାର ଶୁଣାଣି ଆରମ୍ଭ କରିବାକୁ ଅଦାଲତ ନିର୍ଦ୍ଦେଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ସରକାରରେ ‘ସଂସଦୀୟ ସଚିବ’ ପରି ଲାଭଜନକ ପଦବି ହାତେଇଥିବା ଅଭିଯୋଗରେ ଉକ୍ତ ୨୦ ଜଣ ଆପ୍‌ ବିଧାୟକଙ୍କୁ ନିର୍ବାଚନ କମିସନ ଗତ ଜାନୁଆରି ୧୯ ତାରିଖରେ ଅଯୋଗ୍ୟ ଘୋଷଣା କରି ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଇଦେଇଥିଲେ। ଦୁଇଦିନ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେମାନଙ୍କ ଅଯୋଗ୍ୟତାରେ ମୋହର ମାରିଥିଲେ। ତେବେ ରାଷ୍ଟ୍ରପତିଙ୍କ ଅନୁମୋଦନକୁ ବିରୋଧ କରି ୨୦ ଜଣ ଆପ୍‌ ବିଧାୟକଙ୍କ ମଧ୍ୟରୁ ୮ ଜଣ ଗତ ଜାନୁଆରି ୨୩ ତାରିଖରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହି ମାମଲାରେ ରହିତାଦେଶ ଲଗାଇନଥିଲେ ମଧ୍ୟ ନିର୍ବାଚନ କମିସନଙ୍କୁ ଉକ୍ତ ଖାଲି ପଡ଼ିଥିବା ଆସନ ଲାଗି ଉପନିର୍ବାଚନ କରିବା ନେଇ ତାରିଖ ଘୋଷଣା କରିବାକୁ ମନା କରିଦେଇଥିଲେ। ଅପରପକ୍ଷେ, ସେମାନଙ୍କୁ ନିର୍ବାଚନ କମିସନ ନିକଟରେ ମତ ରଖିବା ପାଇଁ ଆଦୌ ସୁଯୋଗ ଦିଆଯାଇନଥିବାରୁ ଏପରି ଅଯୋଗ୍ୟ ଘୋଷଣା କରିବା ବାସ୍ତବ ଆଇନର ସମ୍ପୂର୍ଣ୍ଣ ଉଲ୍ଲଂଘନ କରୁଛି ବୋଲି ବିଧାୟକମାନେ କୋର୍ଟଙ୍କୁ କହିଥିଲେ। ସୂଚନାଯୋଗ୍ୟ, କ୍ୟାବିନେଟ୍‌ ମନ୍ତ୍ରୀମାନଙ୍କୁ କାର୍ଯ୍ୟରେ ସହଯୋଗ କରିବା ପାଇଁ ଦିଲ୍ଲୀ ସରକାର ୨୦୧୫ ମାର୍ଚ୍ଚରେ ମୋଟ ୨୧ ଜଣ ବିଧାୟକଙ୍କୁ ସଂସଦୀୟ ସଚିବ ଭାବେ ନିଯୁକ୍ତ କରିଥିବା ବେଳେ ପରେ ପଞ୍ଜାବ ନିର୍ବାଚନ ଲଢ଼ିବା ପାଇଁ ବିଧାୟକ ଜର୍ଣ୍ଣେଲ ସିଂହ ଦିଲ୍ଲୀ ବିଧାନସଭାରୁ ଇସ୍ତଫା ଦେଇଦେଇଥିଲେ।

ସତ୍ୟର ଜୟ ହୋଇଛି: କେଜ୍ରିଓ୍ଵାଲ

ନୂଆଦିଲ୍ଲୀ: କୋଡ଼ିଏ ଜଣ ଆପ୍‌ ବିଧାୟକଙ୍କ ଅଯୋଗ୍ୟ ଘୋଷଣାକୁ ଦିଲ୍ଲୀ ହାଇକୋର୍ଟ ଆଜି ରଦ୍ଦ କରିଦେବା ପରେ ମାମଲାରେ ସତ୍ୟର ଜୟ ହୋଇଛି ବୋଲି ଏଥିରେ ଖୁସିବ୍ୟକ୍ତ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ କହିଛନ୍ତି। ନିର୍ବାଚିତ ପ୍ରତିନିଧିମାନଙ୍କୁ ଭୁଲ୍‌ରେ ଅଯୋଗ୍ୟ ଘୋଷଣା କରାଯାଇଥିଲା। କିନ୍ତୁ ହାଇକୋର୍ଟ ଦିଲ୍ଲୀ ବାସିନ୍ଦାଙ୍କୁ ନ୍ୟାୟ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ମନୀଶ ଶିଶୋଦିଆ ମଧ୍ୟ କୋର୍ଟଙ୍କର ଏହି ରାୟକୁ ସ୍ୱାଗତ କରିଛନ୍ତି। ସେହିପରି ଅଦାଲତଙ୍କ ଏହି ରାୟ ପକ୍ଷପାତିତା କରୁଥିବା ମୋଦି ସରକାରଙ୍କୁ ଶକ୍ତ ଝଟ୍‌କା ଦେଇଛ ବୋଲି କେଜ୍ରିଓ୍ଵାଲ୍‌ଙ୍କ ଗଣମାଧ୍ୟମ ପରାମର୍ଶଦାତା ନଗେନ୍ଦ୍ର ଶର୍ମା ଟ୍ଵିଟ୍‌ କରି କହିଛନ୍ତି।

ସମ୍ବନ୍ଧିତ ଖବର