ପ୍ରଧାନମନ୍ତ୍ରୀଙ୍କ ସହିତ ବିଦେଶ ଗସ୍ତ କରିଥିବା ବେସରକାରୀ ବ୍ୟକ୍ତିଙ୍କ ତଥ୍ୟ ଦେବାକୁ ହେବ

ବିଦେଶ ମନ୍ତ୍ରାଳୟକୁ କେନ୍ଦ୍ର ସୂଚନା କମିସନଙ୍କ ନିର୍ଦ୍ଦେଶ

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ବିଭିନ୍ନ ସମୟରେ ବିଦେଶ ଗସ୍ତ କରିଥିବା ଅଣ ସରକାରୀ ବ୍ୟକ୍ତିମାନଙ୍କ ସଂପର୍କରେ ତଥ୍ୟ ସାର୍ବଜନୀନ କରିବାକୁ କେନ୍ଦ୍ର ସୂଚନା କମିସନ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କମିସନ ଏ ବାବଦରେ ବିଦେଶ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଜାରି କରି ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ତଥ୍ୟ ଦାଖଲ କରିବାକୁ କହିଛନ୍ତି। ଗତ ବର୍ଷ ଅକ୍ଟୋବରରେ କରାବୀ ଦାସ ନାମକ ଜଣେ ବ୍ୟକ୍ତି ମନ୍ତ୍ରାଳୟକୁ ୨୦୧୫-୨୦୧୬ ଏବଂ ୨୦୧୬-୨୦୧୭ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଦେଶ ଗସ୍ତରେ ହୋଇଥିବା ଖର୍ଚ୍ଚ ଏବଂ ତାଙ୍କ ସହିତ ଯାତ୍ରା କରିଥିବା ଲୋକଙ୍କ ସଂପର୍କରେ ତଥ୍ୟ ମାଗିଥିଲେ।

ତେବେ ଆବେଦନକାରୀଙ୍କୁ ସନ୍ତୋଷଜନକ ତଥ୍ୟ ପ୍ରଦାନ କରାଯାଇ ନଥିଲା ଏବଂ ଏହା ବିରୋଧରେ ଆବେଦନକାରୀ କେନ୍ଦ୍ର ସୂଚନା କମିସନଙ୍କ ଦ୍ୱାରସ୍ଥ ହୋଇଥିଲେ। ଶୁଣାଣି ସମୟରେ ବିଦେଶ ମନ୍ତ୍ରାଳୟ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସଂକ୍ରାନ୍ତରେ ଯାତ୍ରା ତାରିଖ ଏବଂ ବିଶେଷ ବିମାନ ବାବଦରେ ହେଉଥିବା ଖର୍ଚ୍ଚ ବ୍ୟତୀତ ଅନ୍ୟ ତଥ୍ୟ ସଂଗଠିତ ଭାବେ ରଖାଯାଇନଥାଏ। ସୂଚନା କମିସନର କହିଛନ୍ତି ଯେ ସରକାରୀ ଖର୍ଚ୍ଚରେ ପ୍ରଧାନମନ୍ତ୍ରୀଙ୍କ ସହିତ ଯାତ୍ରା କରୁଥିବା ଅଣ ସରକାରୀ ବ୍ୟକ୍ତି (ଯେଉଁମାନଙ୍କର ଦେଶର ସୁରକ୍ଷା ଓ ପ୍ରତିରକ୍ଷା ବ୍ୟବସ୍ଥା ସହିତ ସଂପୃକ୍ତି ନାହିଁ)ଙ୍କ ତାଲିକା ଆବେଦନକାରୀଙ୍କୁ ଉପଲବ୍ଧ କରାଇବାକୁ ପଡ଼ିବ।

ସମ୍ବନ୍ଧିତ ଖବର