ଚିଆଙ୍ଗ ରାଇ: ଉତ୍ତର ଥାଇଲାଣ୍ଡର କାଳ ଗୁମ୍ଫାରେ ୧୭ ଦିନ ଧରି ଫସିରହିବା ପରେ ଆଜି ଆଉ ୪ ଜଣ ଫୁଟ୍ବଲ ଖେଳାଳିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସେମାନଙ୍କୁ ତୁରନ୍ତ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ରବିବାର ୪ ଜଣଙ୍କୁ ଉଦ୍ଧାର କରାଯିବା ପରେ ମିସନ୍ ବନ୍ଦ ରହିଥିଲା। ତେବେ ଆଜିକୁ ମିଶାଇ ମୋଟ ୮ ଜଣ ଫୁଟ୍ବଲ ଖେଳାଳି ଗୁମ୍ଫା ମଧ୍ୟରୁ ବାହାରିଛନ୍ତି। ଆଉ ୧୦-୧୨ ଘଣ୍ଟା ପରେ ଅର୍ଥାତ୍ ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମିସନ୍ ଆରମ୍ଭ ହେବ। ଗୁମ୍ଫା ମଧ୍ୟରେ କୋଚ୍ଙ୍କୁ ମିଶାଇ ଆଉ ୫ ଜଣ ରହିଛନ୍ତି। ବିଶେଷଜ୍ଞଙ୍କ କହିବାନୁସାରେ ଉଦ୍ଧାର କାର୍ଯ୍ୟ ଆଉ ଦିନେ କିମ୍ବା ୨ ଦିନ ଧରି ଜାରି ରହିବ।
ଗତକାଲି ଭଳି ଆଜି ମଧ୍ୟ ଉଦ୍ଧାରକାରୀ ଟିମ୍ ଦଉଡ଼ି, ଅମ୍ଳଜାନ, ମୁଖା ଓ ଟର୍ଚ୍ଚ ଭଳି ସରଞ୍ଜାମ ସାଙ୍ଗରେ ନେଇଥିଲେ। ଏମିତି କି ସାଙ୍ଗରେ ସେମାନେ ଉଦ୍ଧାର ହେବାକୁ ଥିବା ପିଲାମାନଙ୍କ ପାଇଁ ଅମ୍ଳଜାନ ଓ ଅନ୍ୟ ଉପକରଣ ନେଇଥିଲେ। ତେବେ ଗୁମ୍ଫାର ଆଭ୍ୟନ୍ତରୀଣ ଭାଗର କିଛି ସ୍ଥାନ ଅତ୍ୟନ୍ତ ସଂକୀର୍ଣ୍ଣ ଥିବାରୁ ପିଲାମାନଙ୍କୁ ସେହି ବାଟ ଦେଇ ବାହାର କରିବା କଷ୍ଟକର ଥିଲା। ଜଣେ ପିଲାକୁ ଉଦ୍ଧାର ପାଇଁ ୩ ଜଣ ଡାଇଭରଙ୍କୁ ନିୟୋଜିତ କରାଯାଇଥିଲା। ଆଜି ପୂର୍ବାହ୍ନ ୧୧ରେ ଉଦ୍ଧାର କାର୍ଯ୍ୟର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲା। ରବିବାର ମିସନ୍ରେ ଯେଉଁ ଗୁମ୍ଫା ବିଶେଷଜ୍ଞ ସାମିଲ ଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଜିର ମିସନ୍ରେ ଥିଲେ।
ଦୁଇ ସପ୍ତାହ ଧରି ଏହି କାଳ ଗୁମ୍ଫାରେ ଫସିଥିବା ଫୁଟ୍ବଲ୍ ଟିମ୍ ଓ କୋଚ୍ଙ୍କୁ ଉଦ୍ଧାର ପାଇଁ ରବିବାର ସ୍ୱତନ୍ତ୍ର ମିସନ୍ ପ୍ରସ୍ତୁତ ହୋଇଥିଲା। ଗୁମ୍ଫା ମଧ୍ୟରେ ସ୍ଥିତି ଖରାପ ହେଉଥିବାରୁ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଥିଲା। ଜୁନ୍ ୨୩ରେ ‘ଓ୍ଵାଇଲ୍ଡ ବୋର୍ସ’ ନାମକ ଏହି ଫୁଟ୍ବଲ୍ ଟିମ୍ ଗୁମ୍ଫା ବୁଲିବାକୁ ଯାଇଥିଲେ। କିନ୍ତୁ ଗୁମ୍ଫା ମଧ୍ୟରେ ବର୍ଷା ପାଣି ପଶିଯିବାରୁ ସେମାନେ ଆଉ ବାହାରି ପାରି ନ ଥିଲେ। କୁହାଯାଉଛି ଯେ ଗୁମ୍ଫାର ୪ କିମି ଭିତରେ ଫସିଥିବା ପିଲାମାନଙ୍କୁ ଠାବ କରିବାରେ ବାଇକ୍ ଓ ଚପଲ ବିଶେଷ ସହାୟକ ହୋଇଥିଲା। ୯ ଦିନ ଧରି ଫସିବା ପରେ ସେମାନଙ୍କର କୌଣସି ଖୋଜଖବର ନ ଥିଲା। କିନ୍ତୁ ଗୁମ୍ଫା ବାହାରେ ଥିବା ବାଇକ୍ ଓ ଗୁମ୍ଫାର କିଛି ବାଟ ଭିତରେ ପଡ଼ିଥିବା କେଇ ହଳ ଚପଲକୁ ଦେଖି ଗୁମ୍ଫାରେ କେହି ଫସିଥିବା ନେଇ ସନ୍ଦେହ ଉପୁଜିଥିଲା। ଏହାପରେ ଗୁମ୍ଫା ବିଶେଷଜ୍ଞ ଓ କିଛି ନୌସେନା ଟିମ୍ ପ୍ରସ୍ତୁତ କରି ଗୁମ୍ଫା ମଧ୍ୟକୁ ପଶି ସେମାନଙ୍କୁ ଠାବ କରିଥିଲେ।
୧. ଏଇଠି ଫସିଛନ୍ତି ଖେଳାଳି
ଥାଇଲାଣ୍ଡର ନୌସେନା ଅଧିକାରୀମାନେ ପିଲାମାନଙ୍କୁ ସ୍କୁବା ଡାଇଭିଂର ମୌଳିକ ତାଲିମ ଦେଉଛନ୍ତି। ସେମାନେ ଦୁଇସପ୍ତାହ ଧରି ଏଠାରେ ଫସିଛନ୍ତି
୨. ଗୁମ୍ଫାର ସବୁଠୁ
ସଂକୀର୍ଣ୍ଣ ଥିବା ସ୍ଥାନ
ଗୁମ୍ଫା ମଧ୍ୟରୁ ବାହାରିବା ପାଇଁ ଫୁଟ୍ବଲ୍ ଖେଳାଳିଙ୍କୁ ଏହି ସଂକୀର୍ଣ୍ଣ ପଥ ଦେଇ ଆସିବାକୁ ହେବ। ଏହା ଅଧିକ ସଂକୀର୍ଣ୍ଣ ଥିବାରୁ ସେମାନଙ୍କୁ ଗଭୀର କାଦୁଅ ମଧ୍ୟରେ ଗୁରୁଣ୍ଡି ଗୁରୁଣ୍ଡି ଉପରକୁ ଉଠିବାକୁ ପଡ଼ିବ। ଏହାପରେ ପୁଣି ସେମାନଙ୍କୁ ତଳକୁ ଖସି ଆଗେଇବାକୁ ହେବ।
୩. ବାହାରିବା ସ୍ଥାନ
ଗୁମ୍ଫାର ସଂକୀର୍ଣ୍ଣ ଅଞ୍ଚଳରୁ ପାଖାପାଖି ୧ ମାଇଲ ଅତିକ୍ରମ ପରେ ସେମାନେ ଏହିଠାରେ ପହଞ୍ଚିବେ। ପହଞ୍ଚିବା କ୍ଷଣି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇ ବାହାରକୁ ପଠାଯିବ
୧ରୁ ୨ ଚିହ୍ନିତ ମାର୍ଗରେ ଅତ୍ୟଧିକ ପାଣି ଜମିଥିବାରୁ ଉଦ୍ଧାରକାରୀ ଟିମ୍କୁ ଅଧିକ ଯତ୍ନର ସହକାରେ ପିଲାଙ୍କୁ ନେବାକୁ ହେଉଛି
ବାତାବରଣ: ଗୁମ୍ଫା ମଧ୍ୟରେ ତାପମାତ୍ରା ୨୦ ଡିଗ୍ରୀ ସେଲ୍ସିୟସ୍
ସଂକ୍ରମଣ ଭୟ
ଅନ୍ୟପକ୍ଷରେ ଉଦ୍ଧାର ହୋଇଥିବା ମୋଟ ୮ ଜଣ ଖେଳାଳିଙ୍କଠାରେ ସଂକ୍ରମଣ ହୋଇପାରେ ବୋଲି ଆଶଙ୍କା କରାଯାଇଛି। ତେଣୁ ସେମାନଙ୍କ ସହିତ କାହାକୁ ମିଶିବାକୁ ଦିଆଯାଉ ନାହିଁ। ଏମିତି କି ସେମାନଙ୍କ ପିତାମାତାଙ୍କୁ ସେମାନଙ୍କ ପରିଚୟ ବି ଦିଆଯାଇ ନ ଥିବା ଜଣେ ଥାଇ ଅଧିକାରୀ ସୂଚନା ଦେଇଛନ୍ତି। ଅଧିକାରୀଙ୍କ ମୁତାବକ ଗତକାଲି ପିଲାମାନଙ୍କର କିଛି ଅଭିଭାବକ ଉଦ୍ଧାର ହୋଇଥିବା ପିଲାଙ୍କ ନାମ ଜାଣିବା ପାଇଁ ଚାହିଁଥିଲେ। କିନ୍ତୁ ସେମାନଙ୍କୁ କିଛି ତଥ୍ୟ ଦିଆଯାଇ ନ ଥିଲା। ଚିଆଙ୍ଗ୍ ରାଇ ପ୍ରଚାନୁକ୍ରୋ ହସ୍ପିଟାଲ୍ରେ ସେମାନଙ୍କର ଚିକିତ୍ସା ଚାଲିଥିବା ଜଣାଯାଇଛି।
ଫିଫା ଫାଇନାଲ୍ ଦେଖିବାକୁ ନିମନ୍ତ୍ରଣ
ଗୁମ୍ଫା ବାହାରେ ଅନବରତ ଆମ୍ବୁଲାନ୍ସ ପ୍ରସ୍ତୁତ ରଖାଯାଇଛି। ଉଦ୍ଧାର ହେବା କ୍ଷଣି ସେମାନଙ୍କୁ ସେଠାରୁ ଆମ୍ବୁଲାନ୍ସ ଯୋଗେ ଆଣି ପ୍ରାଥମିକ ଚିକିତ୍ସା କରାଯାଇ ହେଲିକପ୍ଟର ଯୋଗେ ଚିଆଙ୍ଗ୍ ରାଇ ହସ୍ପିଟାଲ୍ ସ୍ଥାନାନ୍ତରଣ କରାଯାଉଛି। ଗୁମ୍ଫା ବାହାରେ ଡାକ୍ତରଙ୍କଠାରୁ ଆରମ୍ଭ କରି ଇଞ୍ଜିନିୟର ଓ ସେନାମାନେ ନିୟୋଜିତ ହୋଇଛନ୍ତି। ଗୁମ୍ଫା ମଧ୍ୟରୁ ପିଲାମାନଙ୍କୁ ଉଦ୍ଧାର ହେବାରେ ମିସନ୍ ଟିମ୍ ସଫଳ ହେବା ପରେ ୧୩ ବର୍ଷୀୟ ସମ୍ପଙ୍ଗ୍ ଜାଇଓ୍ଵଙ୍ଗ୍ର ମାଆ କହିଛନ୍ତି, ମୁଁ ଏବେ ବହୁତ ଖୁସି। ମୁଁ ଜାଣିନି ଯେ ମୋ ପୁଅ ଉଦ୍ଧାର ହୋଇଛି କି ନାହିଁ। ତଥାପି ସେମାନେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବେ ବୋଲି ଅନେକ ବିଶ୍ୱାସ। ଅନ୍ୟପକ୍ଷରେ ଉଦ୍ଧାର ସଫଳ ହେଉଥିବାରୁ ଫିଫା ଆୟୋଜକ ମଧ୍ୟ ସନ୍ତୋଷ ଜାହିର କରିଛନ୍ତି। ଏମିତି କି ସମସ୍ତେ ବାହାରକୁ ଆସିବା ପରେ ସେମାନଙ୍କୁ ଫିଫା ଫୁଟ୍ବଲ୍ ବିଶ୍ୱକପର ଫାଇନାଲ୍ ମ୍ୟାଚ୍ ଦେଖିବା ପାଇଁ ଆମନ୍ତ୍ରଣ କରାଯିବ ବୋଲି କହିଛନ୍ତି।
କାଳଗୁମ୍ଫାରେ ୧୭ ଦିନ ଉଦ୍ଧାର ହେଲେ ଆଉ ୪
/sambad/media/post_attachments/wp-content/uploads/2018/07/thailand-cave-rescue.jpg)