ୟେଦୁରପ୍ପା ମନେପକାଇ ଦେଲେ ବାଜପାୟୀଙ୍କୁ ! ୧୩ ଦିନିଆ ବିଜେପି ସରକାରର ପତନ ବେଳେ ଦେଇଥିଲେ ଏହି ଭାବପୂର୍ଣ୍ଣ ଅଭିଭାଷଣ
ନୂଆଦିଲ୍ଲୀ: ଆଜି କର୍ଣ୍ଣାଟକ ବିଧାନସଭାରେ ଆସ୍ଥାଭୋଟ ଲୋଡ଼ିବା ପୂର୍ବରୁ ବିଜେପି ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦୁରପ୍ପାଙ୍କ ଭାବପୂର୍ଣ୍ଣ ଅଭିଭାଷଣ ମନେପକାଇ ଦିଏ ସେହି ଦଳର ତୁଙ୍ଗନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ। ୧୯୯୬ ମସିହାରେ ବିଜେପିର ୧୩ ଦିନିଆ ସରକାରକୁ ଏଭଳି ଏକ ପରିସ୍ଥିତିରେ ବିଦାୟ ନେବାକୁ ପଡ଼ିଥିଲା। ୧୯୯୬ ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନ୍ଡ଼ିଏ କୁ ୧୬୧ଟି ଆସନ ମିଳିଥିବା ବେଳେ କଂଗ୍ରେସକୁ ମିଳିଥିଲା ୧୪୦ଟି ଆସନ। ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଏନ୍ଡ଼ିଏ ଅଟଳ ବିହାରୀ ବାଜପାୟୀଙ୍କ ନେତୃତ୍ୱରେ କେନ୍ଦ୍ରରେ ସରକାର ଗଠନ କରିବାର ୧୩ ଦିନ ପରେ କଂଗ୍ରେସ ଲୋକସଭାର ତୃତୀୟ ବୃହତ ଦଳ ଜନତା ଦଳକୁ ସରକାର ଗଠନ କରିବାକୁ ସମର୍ଥ କରିଥିଲା। ଫଳରେ ଏଚ୍.ଡ଼ି ଦେବେଗୌଡ଼ା ପ୍ରଧାନମନ୍ତ୍ରୀ ହେବା ସହ ବାଜପାୟୀ ସରକାରର ୧୩ ତମ ଦିନରେ ପତନ ଘଟିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସେଦିନ ଲୋକସଭାରେ ଆସ୍ଥାଭୋଟ୍ ଲୋଡ଼ିବା ପୂର୍ବରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭାବଗର୍ଭକ ଅଭିଭାଷଣ ସମଗ୍ର ଦେଶକୁ ଅଭିଭୂତ କରିଥିଲା। ସେଦିନ ବାଜପାୟୀ କହିଥିଲେ,ଆମେ ଆଜି ଯେତିକି ଆସନ ପାଇଛୁ ତାହା ସୌଭାଗ୍ୟବଶତଃ ପାଇନୁହେଁ ବରଂ ଦେଶବାସୀଙ୍କ ନିକଟରେ ପହଞ୍ଚ ସେମାନଙ୍କ ଲାଗି କାମ କରିବାର ବାର୍ତ୍ତା ଦେବା ପରେ ପାଇଛୁ। ଆଜି ଆମେ ସତ୍ତାରୁ ଯାଉଛୁ, ଯେହେତୁ ଅଳ୍ପ ସଂଖ୍ୟକ ଆସନ ଆମ ହାତରେ ନାହିଁ। ସରକାର ଗଢ଼ିବାକୁ ଆମେ ସମର୍ଥ ହେଲୁ ନାହିଁ ସତ, କିନ୍ତୁ ଦେଶବାସୀଙ୍କ ଲାଗି କାମ କରିବୁ। ଲୋକସଭାରେ ଆମେ ବୃହତ ବିରୋଧୀ ଦଳ ଭାବରେ ଗଣତନ୍ତ୍ରକୁ ସୁରକ୍ଷିତ କରିବୁ।
ଅନ୍ୟପକ୍ଷରେ ସେ କଂଗ୍ରେସକୁ କଟାକ୍ଷ କରି କହିଥିଲେ , ଆମେ ଦେଶବାସୀଙ୍କ ଲାଗି କାମ କରିବାକୁ ଚାହୁଁଛୁ, କିନ୍ତୁ ଆପଣମାନେ କ୍ଷମତା ଚାହୁଁଛନ୍ତି। ଆମେ ଲକ୍ଷ୍ୟ ହାସଲ ଲାଗି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିବୁ। ଆମେ ବସି ରହିବୁ ନାହିଁ। ମୁଁ ଯାଉଛି ରାଷ୍ଟ୍ରପତିଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିବି।