ପୁଅ ହତ୍ୟାର ପ୍ରତିଶୋଧ ନେବି

ସହିଦ ଔରଙ୍ଗଜେବଙ୍କ ପିତାଙ୍କ ଘୋଷଣା

ଶ୍ରୀନଗର: ଦୁଇ ଦିନ ତଳେ ଜାମୁ-କଶ୍ମୀରରେ ଇଦ୍‌ ମନାଇବା ପାଇଁ ଛୁଟିରେ ଘରକୁ ଯାଉଥିବା ବିଏସଏଫ ଯବାନ ଔରଙ୍ଗଜେବଙ୍କୁ ଆତଙ୍କବାଦୀମାନେ ଅପହରଣ କରିନେଇ ନିର୍ମମ ଭାବେ ହତ୍ୟା କରିଥିଲେ। ଆଜି ପୁଞ୍ଚସ୍ଥିତ ପୈତୃକ ଗ୍ରାମରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଆଜି ସହିଦ ଔରଙ୍ଗଜେବଙ୍କ ପିତା ଗଣମାଧ୍ୟମରେ ବୟାନ ଦେଇ କହିଛନ୍ତି ଯେ, ୭୨ ଘଣ୍ଟା ମଧ୍ୟରେ ତାଙ୍କ ପୁଅର ହତ୍ୟାକାରୀକୁ ସରକାର ନିପାତ ନକଲେ, ସେ ନିଜେ ଏହାର ପ୍ରତିଶୋଧ ନେବେ। ପୁଅ ହତ୍ୟାକାରୀକୁ କ୍ଷମା କରାଯାଇ ପାରିବନାହିଁ ବୋଲି ମୃତ ଔରଙ୍ଗଜେବଙ୍କ ପିତା ତଥା ଭାରତୀୟ ସେନାର ଅବସରପ୍ରାପ୍ତ ଯବାନ ମହମ୍ମଦ ହନିଫ ଆଜି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ପୁଅ ସେନାକୁ ଦେଇଥିବା ପ୍ରତିଶ୍ରୁତି ମୁତାବକ, ନିଜ ଜୀବନ ଦେଇ ଦେଶରକ୍ଷା ପାଇଁ କାର୍ଯ୍ୟ କରିଛି। ସେପଟେ, ଔରଙ୍ଗଜେବଙ୍କ ଭାଇ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରି କହିଛନ୍ତି ଯେ, ଜଣେ ଭାରତୀୟ ଯବାନଙ୍କ ଜୀବନ ବଦଳରେ ୧୦୦ଜଣ ଆତଙ୍କବାଦୀଙ୍କ ଜୀବନ ନେବା ପାଇଁ ସରକାର ପ୍ରୟାସ କରନ୍ତୁ । କିଛିଦିନ ପୂର୍ବେ ହିଜବୁଲ ଆତଙ୍କବାଦୀଙ୍କୁ ନିପାତ କରାଯିବା ଅଭିଯାନରେ ଔରଙ୍ଗଜେବ ସାମିଲ ହୋଇଥିବାରୁ ଏହି ଘଟଣା ପଛରେ ଉକ୍ତ ଆତଙ୍କବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର