ବିଜେପିରେ ମନ୍ଥନ ଜାରି:ଦିଗ୍‌ବିଜୟ ବନାମ ସାଧ୍ବୀ ପ୍ରଜ୍ଞା!

ନୂଆଦିଲ୍ଲୀ: ବିଜେପି ଭୋପାଳରେ କଂଗ୍ରେସ ପ୍ରାର୍ଥୀ ଦିଗ୍‌ବିଜୟ ସିଂହଙ୍କ ବିରୋଧରେ ଉଗ୍ର ହିନ୍ଦୁତ୍ବ ଚେହେରା ଭାବେ ପରିଚିତ ସାଧ୍ବୀ ପ୍ରଜ୍ଞାଙ୍କୁ ପ୍ରାର୍ଥୀ କରିବା ପାଇଁ ଏବେ ବିଚାରବିମର୍ଶ ଚଳାଇଛି। ପ୍ରଜ୍ଞାଙ୍କୁ ପ୍ରାର୍ଥୀ କରାଗଲେ ଏହା ଦଳ ପାଇଁ କିଭଳି ଫାଇଦା ଦେବ କିମ୍ବା ସମସ୍ୟା ସୃଷ୍ଟି କରିବ ସେ ନେଇ ବରିଷ୍ଠ ନେତାଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି ଏବଂ ଖୁବ୍‌ଶୀଘ୍ର ଏ ବାବଦରେ ସ୍ଥିତି ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି । ସାଧ୍ବୀ ପ୍ରଜ୍ଞା ପ୍ରାର୍ଥୀ ହେଲେ ଭୋପାଳ ଆସନରେ ବ୍ୟାପକ ଧ୍ରୁବୀକରଣ ଦେଖିବାକୁ ମିଳିବ। ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାର ଅଭିଯୁକ୍ତ ସାଧ୍ବୀ ପ୍ରଜ୍ଞାଙ୍କୁ ଗତ ବର୍ଷ ଏନ୍‌ଆଇଏ ଅଦାଲତ ପ୍ରମାଣ ଅଭାବରୁ ଖଲାସ କରିଥିଲେ।

hindi.news18.com

ଦିଗ୍‌ବିଜୟ ସିଂହ ତାଙ୍କର ହିନ୍ଦୁ ବିରୋଧୀ ବୟାନ ପାଇଁ ମଧ୍ୟ ସର୍ବଦା ଚର୍ଚ୍ଚାରେ ରହିଛନ୍ତି। ‘ହିନ୍ଦୁ ଆତଙ୍କବାଦ’ ଶବ୍ଦ ବ୍ୟବହାର କରି ବିଭିନ୍ନ ମହଲରୁ କଡ଼ା ସମାଲୋଚନାର ଶିକାର ହୋଇଥିବା ଦିଗ୍‌ବିଜୟ ମୁସ୍‌ଲିମ ତୁଷ୍ଟୀକରଣ ନୀତିର ଜଣେ ବଡ଼ ସମର୍ଥକ ଏବଂ ଆତଙ୍କବାଦୀଙ୍କ ପ୍ରତି ତାଙ୍କର ନରମ ଆଭିମୁଖ୍ୟ ମଧ୍ୟ କାହାକୁ ଅଛପା ନାହିଁ। ଏଭଳି ସ୍ଥିତିରେ ବିଜେପି ସାଧ୍ବୀ ପ୍ରଜ୍ଞାଙ୍କୁ ଦିଗବିଜୟଙ୍କ ବିରୋଧରେ ପ୍ରାର୍ଥୀ କଲେ ହିନ୍ଦୁତ୍ବ ପ୍ରସଙ୍ଗ ଜୋର୍‌ଦାର ଢଙ୍ଗରେ ସାମ୍ନାକୁ ଆସିବ। ସାଧ୍ବୀ ପ୍ରଜ୍ଞା କହିଛନ୍ତି, ଦିଗ୍‌ବିଜୟକୁ ହରାଇବା ପାଇଁ ସେ ତୟାର ଅଛନ୍ତି। ଏହି କଂଗ୍ରେସ ନେତାଙ୍କ ଷଡ଼ଯନ୍ତ୍ରପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ହିଁ ତାଙ୍କୁ ମାଲେଗାଓଁ ବିସ୍ଫୋରଣ ମାମଲାରେ ଫସାଇ ଦିଆଯାଇଥିଲା ବୋଲି ସେ କହିଛନ୍ତି। ଭୋପାଳ ଆସନ ବିଜେପିର ସବୁଠାରୁ ସୁରକ୍ଷିତ ଆସନ ମଧ୍ୟରୁ ଅନ୍ୟତମ। ବିଜେପି ଏଠାରେ ୧୯୮୯ରୁ ନିର୍ବାଚନ ଜିତି ଆସୁଛି।

ସମ୍ବନ୍ଧିତ ଖବର