ବିଦେଶରୁ ଆସିବ ରାଇଫଲ୍‌, କାର୍ବାଇନ୍‌:୫ଟି ରାଷ୍ଟ୍ର ଗସ୍ତରେ ୯ ଜଣିଆ ଟିମ୍‌

ନୂଆଦିଲ୍ଲୀ: ଭାରତୀୟ ସଶସ୍ତ୍ର ବଳକୁ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବା ବେଳେ ଏଥିଲାଗି ବିଦେଶରୁ ୭୨,୪୦୦ ରାଇଫଲ୍‌ ଓ ୯୩,୮୯୫ ସିକ୍ୟୁବି କାର୍ବାଇନ୍‌ ଆଣିବା ଲାଗି ଚୂଡ଼ାନ୍ତ କରାଯାଇଛି। ତେବେ କେଉଁ ରାଷ୍ଟ୍ରର ରାଇଫଲ୍‌ ବା କାର୍ବାଇନ୍‌ର କେତେ ଦମ୍‌ ତାହା ପରଖିବା ଲାଗି ସରକାର ଏକ ୯ ଜଣିଆ କ୍ଷମତାସମ୍ପନ୍ନ ଟିମ୍‌କୁ ବିଦେଶ ପଠାଇଛନ୍ତି। ଜଣେ ଆର୍ମି ବି୍ରଗେଡିୟର୍‌ଙ୍କ ନେତୃତ୍ୱରେ ଏହି ଟିମ୍‌ ଆମେରିକା, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ, ଇସ୍ରାଏଲ୍‌ ଓ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ କରିବ।
ସୀମାରେ ଚୀନ୍‌ ଓ ପାକିସ୍ତାନ ସେନାର ଔଦ୍ଧତ୍ୟ ଦିନକୁଦିନ ବଢ଼ୁଥିବା ବେଳେ ଜବାବ ଦେବା ଲାଗି ଭାରତୀୟ ସେନାଙ୍କ ପାଇଁ ଅଧିକ ଉନ୍ନତ ରାଇଫଲ୍‌ ଓ କାର୍ବାଇନ୍‌ର ଆବଶ୍ୟକତା ଥିଲା। ତେଣୁ ପ୍ରତିରକ୍ଷା ମନ୍ତ୍ରାଳୟ ଏଥିପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତ କରିଛି। ମନ୍ତ୍ରାଳୟ ଶନିବାର ବିଦେଶ ଗସ୍ତ କରିଥିବା ବେଳେ ୫ଟି ରାଷ୍ଟ୍ରର ଓଇଏମ୍‌ (ଅସଲି ଯନ୍ତ୍ରାଂଶ ନିର୍ମାତା) ଦ୍ୱାରା ନିର୍ମାଣ କରାଯାଉଥିବା ରାଇଫଲ୍‌ ଓ କାର୍ବାଇନ୍‌କୁ ବ୍ୟବହାର କରି ଏହାର କ୍ଷମତା ଯାଞ୍ଚ କରିବ। ଏହାପରେ ଟିମ୍‌ ଏହାର ରିପୋର୍ଟ ପ୍ରସ୍ତୁତ କରି ମନ୍ତ୍ରାଳୟକୁ ପ୍ରଦାନ କରିବ। ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁରି ମିଳିବା ପରେ ମନୋନୀତ ଓଇଏମ୍‌ଠାରୁ ଅସ୍ତ୍ର ମଗାଯିବ। ସୂଚନା ମୁତାବକ, ୧,୭୯୮ କୋଟି ଟଙ୍କାର ରାଇଫଲ୍‌ ଆସିବାକୁ ଥିବା ବେଳେ ୧,୭୪୯ କୋଟି ଟଙ୍କା କାର୍ବାଇନ୍‌ ଆଣିବା ପାଇଁ ଯୋଜନା ରଖାଯାଇଛି। ଏହାବ୍ୟତୀତ ୧,୮୧୯ କୋଟି ଟଙ୍କାର ୧୬,୪୭୯ଟି ହାଲୁକା ରାଇଫଲ୍‌ ଆଣିବା ପାଇଁ ମଧ୍ୟ ପ୍ରତିରକ୍ଷା ମନ୍ତ୍ରାଳୟ ଗତ ଫେବ୍ରୁଆରୀରେ ନିଷ୍ପତ୍ତି ନେଇଛି।

ସମ୍ବନ୍ଧିତ ଖବର