ଆଜି ଚାରିଟି ଦେଶର ମୁଖ୍ୟଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦୀ; ଟ୍ରମ୍ପଙ୍କ ସହ କଶ୍ମୀର ପ୍ରସଙ୍ଗ ଆଲୋଚନା କରି ପାରନ୍ତି

ନୂଆଦିଲ୍ଲୀ: ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ଚାରି ଜଣ ନେତାଙ୍କୁ ଭେଟିବା ସହ ଫ୍ରାନ୍‌ସ୍‌ର ବିଏରିଜ୍‌ ଠାରେ ଜି୭ ଶିଖର ବୈଠକର ଦୁଇଟି ଅଧିବେଶନରେ ଯୋଗ ଦେବେ।

ସେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌, ସେନିଗାଲ୍‌ ରାଷ୍ଟ୍ରପତି ମେକି ସାଲ୍‌, ଜର୍ମାନ୍‌ ଚାନ୍‌ସେଲର୍‌ ଏଞ୍ଜେଲା ମର୍କେଲ୍‌ ଏବଂ ଚିଲି ରାଷ୍ଟ୍ରପତି ସେବାଷ୍ଟିନା ନିନେରାଙ୍କୁ ଭେଟିବେ।

ଜି୭ର ଦୁଇ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦୀ ଜଳବାୟୁ, ଜୈବବିବିଧତା, ସମୁଦ୍ର ଏବଂ ଡିଜିଟାଲ୍‌ ଟ୍ରାନ୍‌ସ୍‌ଫର୍ମେସନ୍‌ ଆଦି ପ୍ରସଙ୍ଗରେ ଭାଗ ନେବେ।

Image Source: India Today

ଅପରାହ୍ଣ ୩. ୩୫ରେ ସେ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ଭେଟି ଅପରାହ୍ଣ ୪: ୩୦ ଯାଏଁ ଆଲୋଚନା କରିବେ। ଏଥିରେ ସେ କଶ୍ମୀର ସଂକ୍ରାନ୍ତରେ ଆଲୋଚନା କରିବେ ବୋଲି ଆଶା କରାଯାଉଛି।

କଶ୍ମୀର ମାମଲାରେ ମଧ୍ୟସ୍ଥତା କରିବେ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ନିଜ ଆଡୁ ତିନି ଥର ପ୍ରସ୍ତାବ ଦେଲେଣି। କିନ୍ତୁ, କଶ୍ମୀର ସମସ୍ୟାର ସମାଧାନ ପାଇଁ ତୃତୀୟ ପକ୍ଷର ସହାୟତା ଲୋଡ଼ା ନାହିଁ ବୋଲି ନୂଆଦିଲ୍ଲୀ ସ୍ପଷ୍ଟ ଭାବେ ଜଣାଇ ଦେଇଛି।

ଏହି ସାକ୍ଷାତ୍‌କାରରେ ବାଣିଜ୍ୟ ପ୍ରତିରକ୍ଷା ଚୁକ୍ତି ଏବଂ ଆଫଗାନ ଶାନ୍ତି ପ୍ରକ୍ରିୟା ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯିବାକୁ ସ୍ଥିର କରାଯାଇଛି।
ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ସହ ଆଲୋଚନା ବ୍ୟତିରେକେ, ପ୍ରଧାନମନ୍ତ୍ରୀ ମୋଦୀ ଜି୭ ଶିଖର ବୈଠକରେ ଛଅଟି ଦ୍ୱିପାକ୍ଷିକ ଆଲୋଚନା କରିବେ ବୋଲି ସ୍ଥିର ହୋଇଥିଲା।

ସମ୍ବନ୍ଧିତ ଖବର