ଦିଲ୍ଲୀ: ପେଟ୍ରୋଲ ପମ୍ପରେ ନିଆଁ ଲଗାଇଲେ ଆନ୍ଦୋଳନକାରୀ; ଉଗ୍ର ହେଉଛି ସିଏଏ ବିରୋଧୀ ଓ ସମର୍ଥକଙ୍କ ମଧରେ ସଂଘର୍ଷ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ବିରୋଧୀ ଆନ୍ଦୋଳନକାରୀ ଓ ସପକ୍ଷବାଦୀ ସମର୍ଥକଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ସଂଘର୍ଷ କ୍ରମେ ଉଗ୍ର ହେବା ସହ ବ୍ୟାପିବାକୁ ଆରମ୍ଭ କରିଛି। ବିରୋଧୀ ଆନ୍ଦୋଳନକାରୀ ଓ ସପକ୍ଷବାଦୀ ସମର୍ଥକଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ସଂଘର୍ଷ ହିଂସାତ୍ମକ ରୂପ ନେଇଛି। ଏଥିସହ ଉତ୍ତରପୂର୍ବ ଦିଲ୍ଲୀର ଭଜନପୁରା ଅଞ୍ଚଳରେ ଥିବା ଏକ ପେଟ୍ରୋଲ ପମ୍ପରେ ଆନ୍ଦୋଳନକାରୀମାନେ ଆଜି ଅପରାହ୍ଣରେ ନିଆଁ ଲଗାଇ ଦେଇଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତି କ୍ରମେ ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବା ଦେଖିବା ପରେ ଦିଲ୍ଲୀ ପ୍ରଶାସନ ପକ୍ଷରୁ ୧୦ଟି ଥାନା ଅଞ୍ଚଳରେ ୧୪୪ ଧାରା ଜାରି କରି ଦିଆଯାଇଛି।
ଘଟିବା ଫଳରେ ରତନ ଲାଲ ନାମକ ଜନୈକ ପୁଲସ୍‌ ହେଡ୍‌ କନେଷ୍ଟବଲ ମୃତ୍ୟୁବରଣ କରିଛନ୍ତି। ସେ ଦିଲ୍ଲୀର ଗୋକାଲପୁରୀ ଏସିପିଙ୍କ କାର୍ଯ୍ୟାଳୟରେ ମୁତୟନ ଥିଲେ। ଏହି ଘଟଣାପରେ ସମଗ୍ର ମୌଜପୁର ଥାନା ଅଞ୍ଚଳରେ ୧୪୪ ଧାରା ଲଗାଇ ଦିଆଯାଇଛି।

News18

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଆଜି ଅପରାହ୍ଣରେ ଦିଲ୍ଲୀର ମୌଜପୁର ଅଞ୍ଚଳରେ ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ବିରୋଧୀ ଆନ୍ଦୋଳନକାରୀ ଓ ସପକ୍ଷବାଦୀ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା। ପରସ୍ପର ପରସ୍ପର ଉପରକୁ ଟେକା ପଥର ମାଡ଼ କରିବା ପରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହୋଇ ପଡ଼ିଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲସ୍‌ ହେଡ୍‌ କନେଷ୍ଟବଲ ରତନ ଲାଲ ଫୋର୍ସ ସହ ଘଟଣାସ୍ଥଳକୁ ଯାଇଥିବା ବେଳେ ବିକ୍ଷୋଭକାରୀମାନେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ପୁଲସ୍‌ ହେଡ୍‌ କନେଷ୍ଟବଲ ରତନ ଲାଲ ଗୁରୁତର ଭାବେ ଆହତ ହେବା ପରେ ମୃତ୍ୟୁବରଣ କରିଥିଲେ। ଏହି ଘଟଣାରେ ଅନ୍ୟ ଜଣେ ଡିଏସ୍‌ପିଙ୍କ ସମେତ ଆହୁରି ବହୁ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ।

ତେବେ, ସଂପ୍ରତି ଭାରତ ଗସ୍ତରେ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସପରିବାର ଆଉ ଅଳ୍ପ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ପହଞ୍ଚିବାକୁ ଥିବାବେଳେ ଦିଲ୍ଲୀର ବାତାବରଣ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିବା ଘଟଣା ଉଭୟ ଦିଲ୍ଲୀ ପ୍ରଶାସନ ଓ କେନ୍ଦ୍ର ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇପଡ଼ିଛି।

ସମ୍ବନ୍ଧିତ ଖବର