ଋଷି କୁମାର ଶୁକ୍ଳା ସିବିଆଇର ନୂଆ ନିର୍ଦେଶକ

ନୂଆଦିଲ୍ଲୀ : ମଧ୍ୟ ପ୍ରଦେଶର ପୂର୍ବତନ ପୁଲିସ ମହାନିର୍ଦେଶକ ଋଷି କୁମାର ଶୁକ୍ଳାଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ନୂଆ ନିର୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ତାଙ୍କ ନିଯୁକ୍ତିକୁ ଅନୁମୋଦନ ପ୍ରଦାନ କରାଯାଇଛି।

ଏହି ନୂତନ ନିଯୁକ୍ତି ସହିତ ସିବିଆଇ ମୁଖ୍ୟ ପଦକୁ ନେଇ ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦର ଅବସାନ ଘଟିଛି। ୧୯୮୩ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଶୁକ୍ଳା ମଧ୍ୟପ୍ରଦେଶର ପୁଲିସ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ମଧ୍ୟପ୍ରଦେଶରେ କଂଗ୍ରେସ ସରକାର କ୍ଷମତାକୁ ଆସିବା ପରେ ତାଙ୍କୁ ଡିଜି ପଦରୁ ହଟାଇ ପୁଲିସ ହାଉସିଂ କର୍ପୋରେସନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ ଏବଂ ସଂପ୍ରତି ସେ ଏହି ପଦରେ ଅଛନ୍ତି। ସେ ଦୁଇବର୍ଷ ପାଇଁ ସିବିଆଇ ନିର୍ଦ୍ଦେଶକ ଦାୟିତ୍ବ ତୁଲାଇବେ। ଆଲୋକ ବର୍ମା ଓ ରାକେଶ ଆସ୍ଥାନାଙ୍କ ମଧ୍ୟରେ ଝଗଡ଼ାକୁ ନେଇ ସିବିଆଇରେ ଯେଉଁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ତାହାକୁ ସଜାଡ଼ିବା ହେବ ତାଙ୍କ ପାଇଁ ବଡ଼ ଚାଲେଞ୍ଜ।

ସିବିଆଇ ଏବେ ଜଟିଳ ଆଭ୍ୟନ୍ତରୀଣ ସ୍ଥିତି ଦେଇ ଗତି କରୁଛି ଏବଂ ବରିଷ୍ଠ ଅଫିସରମାନଙ୍କ ମଧ୍ୟରେ ବିଭିନ୍ନ କାରଣକୁ ନେଇ ଅସନ୍ତୋଷ ଲାଗି ରହିଛି। ଗତକାଲି ସୁପ୍ରିମ୍‌ କୋର୍ଟ ନୂତନ ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ପ୍ରକ୍ରିୟା ଯଥାଶୀଘ୍ର ଶେଷ କରିବାକୁ କେନ୍ଦ୍ର ସରକାରଙ୍କୁ କହିଥିଲେ। ସିବିଆଇରେ ଏବେ ବଦଳି ଓ ବଦଳି ବାତିଲକୁ ନେଇ ସମସ୍ୟା ଉପୁଜିଥିବାରୁ ପ୍ରଥମେ ଏହି ବିବାଦର ସମାଧାନ ପାଇଁ ନୂତନ ନିର୍ଦ୍ଦେଶକ ପଦକ୍ଷେପ ନେବେ। ଏହା ବ୍ୟତୀତ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାର ତଦନ୍ତ ଅଗ୍ରଗତି ଉପରେ ମଧ୍ୟ ନୂତନ ନିର୍ଦ୍ଦେଶକଙ୍କୁ ଅଧିକ କସରତ କରିବାକୁ ହେବ ବୋଲି କୁହାଯାଉଛି। ଏବେ ସିବିଆଇ ହାତରେ ଅଗସ୍ତା ୱେଷ୍ଟ୍‌ ଲ୍ୟାଣ୍ଡ୍‌ ଦୁର୍ନୀତି, ୨ ଜି ଦୁର୍ନୀତି, କୋଇଲା ଦୁର୍ନୀତି, ଏୟାର ଇଣ୍ଡିଆ ଦୁର୍ନୀତି, କଂଗ୍ରେସ ନେତା ପି ଚିଦମ୍ବରମ ଏବଂ ଭୂପିନ୍ଦର ସିଂହ ହୁଦାଙ୍କ ବିରୋଧରେ ମାମଲା, ଉତ୍ତର ପ୍ରଦେଶ ବାଲି ଖନନ ଦୁର୍ନୀତି, ସାରଦା ଏବଂ ରୋଜଭ୍ୟାଲି ଚିଟ୍‌ଫଣ୍ଡ ସ୍କାମ୍‌ ଆଦି ମାମଲା ରହିଛି।

କାମଚଳା ନିର୍ଦ୍ଦେଶକ ଏମ୍‌. ନାଗେଶ୍ବର ରାଓଙ୍କଠାରୁ ଶୁକ୍ଳା ଦାୟିତ୍ବ ଗ୍ରହଣ କରିବେ। ସିବିଆଇ ମୁଖ୍ୟ ପଦରୁ ଆଲୋକ ବର୍ମାଙ୍କୁ ହଟାଯିବା ପରେ ନାଗେଶ୍ବର ଅନ୍ତରୀଣ ମୁଖ୍ୟ ଭାବେ ଦାୟିତ୍ବ ନେଇଥିଲେ। ସୁପ୍ରିମ୍‌ କୋର୍ଟରେ ନାଗେଶ୍ବରଙ୍କ ନିଯୁକ୍ତିକୁ ଚ୍ୟାଲେଂଜ କରି ହୋଇଥିବା ଆବେଦନ ଉପରେ ଶୁଣାଣି ଜାରି ରହିଛି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚକ୍ଷମତା ସଂପନ୍ନ ମନୋନୟନ କମିଟିରେ ସିବିଆଇ ମୁଖ୍ୟ ଲାଗି ୫ ଜଣଙ୍କ ନାମ ଉପରେ ବିଚାର ଆଲୋଚନା କରାଯାଇଥିଲା। ଶେଷରେ ଶୁକ୍ଳାଙ୍କ ନାମକୁ ଅନୁମୋଦନ କରାଯାଇଥିଲା। ଏହି କମିଟିରେ ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ ଏବଂ ଲୋକସଭାରେ ବିରୋଧୀ ଦଳର ନେତା ମଳ୍ଲିକାର୍ଜୁନ ଖାଡ଼ଗେ ସଭ୍ୟ ଅଛନ୍ତି।

ସମ୍ବନ୍ଧିତ ଖବର