ବିହାର ଉପନିର୍ବାଚନ: ନିଜ ନିଜ ଆସନ ବଜାୟ ରଖିଲେ ବିଜେପି, ଆରଜେଡି

ପାଟନା: ବିହାରର ଉପନିର୍ବାଚନରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଓ ବିଜେପି ନିଜ ନିଜର ସିଟ୍‌ ବଜାୟ ରଖିବାକୁ ସକ୍ଷମ ହୋଇଛନ୍ତି । ଜାହାନାବାଦ ବିଧାନସଭା ଆସନରେ ଆରଜେଡି ଓ ଭାବୁଆ ଆସନରେ ବିଜେପି ଜିତିଛନ୍ତି । ଅନ୍ୟପକ୍ଷରେ ଆରରିଆ ଲୋକସଭା ଆସନରେ ଗଣତି ଏପର୍ଯ୍ୟନ୍ତ ଜାରି ରହିଥିବାରୁ ତାହାର ଫଳାଫଳକୁ ଅପେକ୍ଷା କରାଯାଇଛି । ଜାହାନାବାଦ ଆସନରେ ଆରଜେଡିର କୁମାର କ୍ରିଷ୍ଣା ମୋହନ ବିଜୟୀ ହୋଇଛନ୍ତି । ତାଙ୍କ ପିତା ମୁନ୍ଦ୍ରିକା ଯାଦବଙ୍କ ମୃତ୍ୟୁ ପରେ ଏହି ଆସନଟି ଖାଲି ଥିଲା । ସେହିପରି ଭାବୁଆ ଆସନରୁ ବିଜେପିର ରିଙ୍କି ରାନୀ ପାଣ୍ଡେ ବିଜୟୀ ହୋଇଛନ୍ତି । ଅନ୍ୟପକ୍ଷରେ ଶେଷ ସମ୍ବାଦ ମିଳିବା ପର୍ଯ୍ୟନ୍ତ ଆରରିଆ ଲୋକସଭା ଆସନରେ ଆରଜେଡି ପ୍ରାର୍ଥୀ ଜେଡିୟୁ ପ୍ରାର୍ଥୀଙ୍କଠାରୁ ଆଗୁଆ ଅଛନ୍ତି ।

ବିହାରରେ ଶାସକ ଜେଡିୟୁ ଆରଜେଡି-କଂଗ୍ରେସ ମହାମେଣ୍ଟରୁ ବାହାରି ଏନଡିଏରେ ମିଶିବା ପରେ ଏହା ହେଉଛି ପ୍ରଥମ ନିର୍ବାଚନ । ଅନ୍ୟପକ୍ଷରେ ଉତ୍ତରପ୍ରଦେଶର ଗୋରଖପୁର ଲୋକସଭା ଆସନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ବିଜେପି ପ୍ରାର୍ଥୀ ଉପେନ୍ଦ୍ର ଦତ୍ତ ଶୁକ୍ଳାଙ୍କଠାରୁ ୨୨୯୫୪ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି । ସେହିପରି ଫୁଲପୁର ଆସନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ନଗେନ୍ଦ୍ର ପ୍ରତାପ ସିଂ ପଟେଲ ବିଜେପିର କୌଶଳେନ୍ଦ୍ର ସିଂଙ୍କଠାରୁ ୪୭୩୫୧ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି ।

ସମ୍ବନ୍ଧିତ ଖବର