ଦୁଇ ଭାଗ ହେଲା ଆର୍‌ଜେଡି ‘ଲାଲୁ-ରାବ୍‌ଡି ମୋର୍ଚ୍ଚା’ ଘୋଷଣା କଲେ ତେଜପ୍ରତାପ

ପାଟନା: ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ଏବେ ଦୁଇ ଭାଗ ହୋଇଯାଇଛି। ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ ଆଜି ‘ଲାଲୁ-ରାବ୍‌ଡି ମୋର୍ଚ୍ଚା’ ନାମରେ ଏକ ନୂଆ ଦଳ ଘୋଷଣା କରିଛନ୍ତି। ଏହା ସହିତ ସାରଣ ଲୋକସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ସେ ଆର୍‌ଜେଡି ପ୍ରାର୍ଥୀ ତଥା ନିଜ ଶ୍ବଶୁର ଚନ୍ଦ୍ରିକା ରାୟଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି। ତେଜପ୍ରତାପ କହିଛନ୍ତି ଯେ ଦଳକୁ ସୁଦୃଢ଼ କରିବା ପାଇଁ ତାଙ୍କର ଯୋଜନାକୁ ଭଣ୍ଡୁର କରାଯିବା ପରେ ସେ ଏଭଳି ପଦକ୍ଷେପ ନେଇଛନ୍ତି। ସାରଣ ଆସନ ସର୍ବଦା ଆମ ପରିବାରରେ ରହି ଆସିଛି ଏବଂ ଏହି ଆସନରୁ ମୋ ମା’ ରାବ୍‌ଡି ଦେବୀ ଯଦି ନିର୍ବାଚନ ନ ଲଢ଼ିବେ ତା’ହେଲେ ସେଠାରୁ ମୁଁ ସ୍ବାଧୀନ ପ୍ରାର୍ଥୀ ହେବି ବୋଲି ତେଜପ୍ରତାପ କହିଛନ୍ତି। ଏହା ସହିତ ଲାଲୁ-ରାବ୍‌ଡି ମୋର୍ଚ୍ଚା ପକ୍ଷରୁ ରାଜ୍ୟର ଅଧିକାଂଶ ଆସନରେ ସ୍ବାଧୀନ ପ୍ରାର୍ଥୀ ଦିଆଯିବ ବୋଲି ତେଜପ୍ରତାପଙ୍କ ଘୋଷଣା ଆର୍‌ଜେଡି ପାଇଁ ଚିନ୍ତାର କାରଣ ହୋଇଛି। ଦଳରେ ଏଭଳି ବିଭାଜନ ପ୍ରାର୍ଥୀମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ଆଜି ଏକ ଜରୁରୀ ବୈଠକରେ ଆର୍‌ଜେଡି ନେତାମାନେ ମିଳିତ ହୋଇଥିଲେ ମଧ୍ୟ ସମାଧାନର କୌଣସି ପନ୍ଥା ବାହାରି ପାରୁନାହିଁ। ଆର୍‌ଜେଡିରେ ଏଭଳି ବିଭାଜନ ରାଜ୍ୟରେ ଏନ୍‌ଡିଏ ମେଣ୍ଟ ପାଇଁ ବରଦାନ ସାବ୍ୟସ୍ତ ହେବ ବୋଲି କେତେକ ନେତା ମନ୍ତବ୍ୟ ଦେଇଛନ୍ତି।

ତେଜପ୍ରତାପ କହିଛନ୍ତି, ମହାମେଣ୍ଟ ପକ୍ଷରୁ ଆସନ ବଣ୍ଟନ ନେଇ ଅତ୍ୟନ୍ତ ଭୁଲ୍‌ ନୀତି ଗ୍ରହଣ କରାଯାଇଥିଲା ଏବଂ ଜନସାଧାରଣଙ୍କ ମତକୁ ଗୁରୁତ୍ବ ଦିଆଯାଇନଥିଲା। ଗୋଟିଏ ପରେ ଗୋଟିଏ ପର୍ଯ୍ୟାୟରେ ତାଙ୍କୁ ଅଣଦେଖା କରାଯିବା ସତ୍ତ୍ବେ ସେ ନିରବ ରହିଥିଲେ। କିନ୍ତୁ ଲୋକସଭା ନିର୍ବାଚନ ପାଇଁ  ତାଙ୍କର କୌଣସି ପ୍ରସ୍ତାବ କାର୍ଯ୍ୟକାରୀ ନହେବାରୁ ସେ ସମର୍ଥକଙ୍କ ପରାମର୍ଶକ୍ରମେ ନୂତନ ଦଳ ଗଠନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ବୋଲି ତେଜପ୍ରତାପ କହିଛନ୍ତି। ଦୁଇଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଆସନରେ ଲାଲୁ-ରାବ୍‌ଡି ମୋର୍ଚ୍ଚା ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ସେ କହିଛନ୍ତି। ଲାଲୁ ରାବ୍‌ଡି ମୋର୍ଚ୍ଚାର ରଣନୀତିକ ବୈଠକ ଖୁବ୍‌ଶୀଘ୍ର ଡକାଯିବ ଏବଂ ସେ ରାଜ୍ୟର ସ୍ବାର୍ଥ ପାଇଁ ଲୋକଙ୍କ ପାଖକୁ ଯିବେ ବୋଲି ମଧ୍ୟ ତେଜପ୍ରତାପ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର