କଡ଼ା ହେବ ସଡକ ସୁରକ୍ଷା ଆଇନ : ଜରୁରୀକାଳୀନ ଯାନକୁ ରାସ୍ତା ନଦେଲେ ୧୦ ହଜାର ଜରିମାନା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ମୋଟର ଭେଇକିଲ୍ ଆକ୍ଟରେ କତେକ ସଂଶୋଧନକୁ  ମଞ୍ଜୁରୀ ଦେଇଛନ୍ତି । ଏହା ବିଧେୟକ ଆକାରରେ ସଂସଦରେ ଉପସ୍ଥାପିତ ହେବ।

ଏହି ସଂଶୋଧନ ଅନୁସାରେ ଜରୁରୀକାଳୀନ ଯାନବାହନକୁ  ରାସ୍ତା ନ ଛାଡ଼ିଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିପାରେ । ଅନେକ ସମୟରେ  ଦେଖାଯାଏ ବିଭିନ୍ନ ସଂଗଠନ ପକ୍ଷରୁ ବନ୍ଦ ପାଳନ ଓ ବିକ୍ଷୋଭ ସମୟରେ ଆମ୍ବୁଲାନ୍ସ ଓ ଅନ୍ୟ ଜରୁରୀ ସେବା ଯୋଗାଉଥିବା ଯାନବାହାନକୁ ରୋକି ଦିଆଯାଏ। ଏବେ ଏପରି କଲେ ନିୟମ ଉଲ୍ଲଂଘନକାରୀଙ୍କୁ ଜରିମାନା ଦେବାକୁ ପଡ଼ିବ।

ଏହି ସଂଶୋଧନରେ ସଡକ ସୁରକ୍ଷା କ୍ଷେତ୍ରକୁ ନେଇ ଖୁବ୍ କଠୋର ନିୟମ କରାଯାଇଛି । କିଶୋର ତଥା ନାବାଳିକଙ୍କ ଦ୍ୱାରା ଗାଡି ଚଲାଇବା, ବିନା ଲାଇସେନ୍ସରେ ଗାଡି ଚଲାଇବା, ବିପଦପୂର୍ଣ୍ଣ ଢଙ୍ଗରେ ଗାଡି ଚଲାଇବା, ମଦପିଇ ଗାଡି ଚଲାଇବା, ନିର୍ଦ୍ଧାରିତ ବେଗରୁ ଅଧିକ ବେଗରେ ଗାଡ଼ି ଚଲାଇବା,ନିର୍ଦ୍ଧାରିତ ମାନକରୁ ଅଧିକ ଲୋକଙ୍କୁ ବସାଇ ଗାଡି ଚଲାଇବା  ଫଳରେ ଜରିମାନା ଦେବାକୁ ପଡ଼ିବ।

odishanewsinsight.com

ଜରୁରୀକାଳୀନ ଯାନକୁ ରାସ୍ତା ନ ଦେଲେ ୧୦ ହଜାର ଟଙ୍କାର ଜରିମାନା ଦେବାକୁ ପଡିପାରେ । ସେହିପରି ଅଯୋଗ୍ୟ ଘୋଷିତ ଗାଡ଼ିକୁ (ଫିଟନେସ ନ ଥିବା)  ଚଲାଇଲେ ୧୦ ହଜାର ଫାଇନ୍ ଦେବାକୁ ପଡିପାରେ । ଓଲା, ଉବର୍ ଭଳି ବ୍ୟାବସାୟିକ ସଂସ୍ଥା ଡ୍ରାଇଭିଙ୍ଗ୍ ଲାଇସେନ୍ସର ନିୟମର ଉଲ୍ଲଘଂନ କଲେ ବିଧେୟକ  ଅନୁସାରେ ୧ ଲକ୍ଷରୁ ଅଧିକ ଜରିମାନା ଲାଗିପାରେ ।

ନିୟମ ଅନୁସାରେ ସଡକରେ ଦ୍ରୁତ ଗାଡି ଚଲାଇଲେ ୧ ହଜାର ଟଙ୍କା ଜରିମାନା ଦେବାକୁ ପଡିପାରେ । ବିନା ବୀମା ପଲିସି ଗାଡ଼ି ଚଲାଇବାରେ ଦୁଇ ହଜାର ଟଙ୍କା ଜରିମାନା ଦେବାକୁ ପଡିପାରେ । ବିନା ହେଲମେଟରେ ଗାଡି ଚଲାଇଲେ ୧ ହଜାର ଟଙ୍କା ଜରିମାନା ଦେବା ସହ ୩ ମାସ ପର୍ଯ୍ୟନ୍ତ ଲାଇସେନ୍ସ ରଦ୍ଦ ହେବ।

ସମ୍ବନ୍ଧିତ ଖବର