ରୋହିଙ୍ଗ୍ୟା ଶରଣାର୍ଥୀ ସ୍ୱଦେଶ ଫେରିବେ!

ଅଙ୍ଗ ସୁ କିଙ୍କ ଉପରେ ବଢ଼ୁଛି ଅନ୍ତର୍ଜାତୀ ଚାପ

ମାନିଲା(ମାଲେସିଆ) : ନିଜ ଦେଶ ମିଆଁମାର ଛାଡ଼ି ପଳାୟନ କରିଥିବା ରୋହିଙ୍ଗ୍ୟା ମୁସ୍‌ଲିମ୍‌ମାନେ ପୁଣି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାର ଆଶା ସଂଚାର ହୋଇଛି। ଏଥି ପାଇଁ ମିଆଁମାର୍‌ର ଶାସନ ମୁଖ୍ୟ ତଥା କାଉନ୍‌ସେଲର ଅଙ୍ଗ ସାନ୍‌ ସୁ କିଙ୍କ ଉପରେ ଆନ୍ତର୍ଜାତିକ ଚାପ ବଢ଼ିବାରେ ଲାଗିଛି। ଏଠାରେ ଚାଲିଥିବା ଆସିଆନ୍‌ ସମ୍ମିଳନୀ ଅବସରରେ ଆମେରିକାର ପରରାଷ୍ଟ୍ର ସଚିବ ରେକ୍ସ ଟିଲରସନ୍‌ ସୁ କିଙ୍କୁ ସାକ୍ଷାତ କରି ରୋହିଙ୍ଗ୍ୟାମାନଙ୍କ ମାନବାଧିକାର ଉଲ୍ଲଂଘନ ସମ୍ପର୍କରେ ଆଲୋଚନା କରିଥିଲେ। ମିଆଁମାରର ରାଖାଇନ୍‌ ପ୍ରଦେଶରେ ସଂଘଟିତ ସାମ୍ପ୍ରଦାୟିକ ହିଂସାରେ ଅତିଷ୍ଠ ହୋଇ ଦେଶ ଛାଡ଼ିଥିବା ଲକ୍ଷ ଲକ୍ଷ ସଂଖ୍ୟକ ରୋହିଙ୍ଗ୍ୟା ମୁସ୍‌ଲିମ୍‌ଙ୍କୁ ପୁଣି ସ୍ୱଦେଶ ଫେରିବାକୁ ଅନୁମତି ଦେବା ଲାଗି ଟିଲରସନ୍‌ ସ୍ୱତନ୍ତ୍ର ଭାବେ ସୁ କିଙ୍କୁ ପ୍ରବର୍ତ୍ତାଇଥିଲେ। ସେହିପରି ଆଜି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁତେରସ୍‌ ମଧ୍ୟ ରୋହିଙ୍ଗ୍ୟାଙ୍କ ସସମ୍ମାନ ପ୍ରତ୍ୟାବର୍ତ୍ତନ ପାଇଁ ସୁ କିଙ୍କୁ ଅନୁରୂପ ଭାବେ ପ୍ରବର୍ତ୍ତାଇଛନ୍ତି।

ସୁ କିଙ୍କ ସହ ସାକ୍ଷାତ ବେଳେ ଗୁତେରସ୍‌ ରାଖାଇନ୍‌ ପ୍ରଦେଶର ସ୍ଥିତି ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ। ତେବେ ବିଶେଷ କରି ପଡ଼ୋଶୀ ବାଂଳାଦେଶରେ ବହୁସଂଖ୍ୟାରେ ଆଶ୍ରୟ ନେଇଥିବା ରୋହିଙ୍ଗ୍ୟାମାନଙ୍କୁ ତୁରନ୍ତ ସୁ କି ନିଜ ଦେଶକୁ ଫେରାଇ ଆଣିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ବୋଲି ଗୁତେରସ୍‌ ପରାମର୍ଶ ଦେଇଛନ୍ତି। ଏଥି ସହିତ ଘରଦ୍ୱାର ଛାଡ଼ି ପଳାୟନ କରିଥିବା ସେହି ସଂଖ୍ୟାଲଘୁ ରୋହିଙ୍ଗ୍ୟାମାନେ କ୍ରମାନ୍ଵୟରେ ସ୍ୱଦେଶ ଫେରିବା ପରେ ସେମାନଙ୍କ ଉପଯୁକ୍ତ ଥଇଥାନ ଏବଂ ମିଆଁମାର୍‌ରେ ସଂଖ୍ୟାଗରିଷ୍ଠ ବୌଦ୍ଧ ସମ୍ପ୍ରଦାୟ ଭିତରେ ଶାନ୍ତିପୂର୍ଣ୍ଣ ସହବସ୍ଥାନ ପାଇଁ ମଧ୍ୟ ଭିତ୍ତିଭୂମି ଉପଲବ୍ଧ କରାଇବା ଉପରେ ଗୁତେରସ୍‌ ଜୋର୍‌ ଦେଇଛନ୍ତି। ସୂଚନା ଥାଉ କି, ଗତକାଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ଆଲୋଚନାରେ ମଧ୍ୟ ରୋହିଙ୍ଗ୍ୟା ପ୍ରସଙ୍ଗ ସ୍ଥାନ ପାଇଥିବା ଜାଣିବାକୁ ମିଳିଛି। ସେହିପରି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡ୍ୟୁ ମଧ୍ୟ ରୋହିଙ୍ଗ୍ୟା ପ୍ରସଙ୍ଗରେ ଗଭୀର ଚିନ୍ତା ପ୍ରକଟ କରିବା ସହ ସେମାନଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ସୁ କିଙ୍କୁ ଅନୁରୋଧ କରିଥିବା କହିଛନ୍ତି।

 

ସମ୍ବନ୍ଧିତ ଖବର